ରାଜ୍ୟସଭା ରେସରେ ତୁଙ୍ଗ ନେତା !

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଂଖ୍ୟା ଦୃଷ୍ଟିରୁ ବଳଶାଳୀ ଥିବା ବିଜେଡ଼ିରେ ଆରମ୍ଭ ହୋଇଛି ଅଙ୍କକଷା । ୪ ଆସନରୁ ୩ ସିଟ୍ ବିଜେଡ଼ି ଅନାୟାସରେ ଦଖଲ କରିବାରେ କୌଣସି ସମସ୍ୟା ନାହିଁ ।

ରାଜ୍ୟସଭା ରେସରେ ତୁଙ୍ଗ ନେତା !

ଯଯାତି ମହାନ୍ତି, ଭୁବନେଶ୍ୱର: ରାଜ୍ୟସଭାର ୪ଟି ଆସନର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଜେଡ଼ି ଶିବିର ଚଳଚଂଚଳ ହୋଇ ଉଠିଛି । ଆଶାୟୀ ସଂଖ୍ୟା ଧିରେ ଧିରେ ବଢୁଛି । କେଉଁ ବର୍ଗରୁ କେଉଁ ଆଧାରରେ ସୁପ୍ରିମୋ ପ୍ରାର୍ଥୀ ବାଛିବେ, ତାହା ଉପରେ ସମସ୍ତଙ୍କ ନଜର ଥିବା ବେଳେ ଅଙ୍କକଷା ଆରମ୍ଭ ହୋଇଛି । ଯୁବବର୍ଗଙ୍କ ଉପରେ ବିଜେଡ଼ି ସୁପ୍ରିମୋ ଅଧିକ ଭରସା କରୁଥିବାରୁ ରାଜ୍ୟସଭାରେ ମଧ୍ୟ ଯୁବବର୍ଗଙ୍କୁ ଗୁରୁତ୍ୱ ଦିଆଯିବ ବୋଲି ସମୀକ୍ଷକ ଆକଳନ କରିଛନ୍ତି । ମହିଳାଙ୍କ ଉପରେ ମଧ୍ୟ ଫୋକସ ରହିପାରେ ବୋଲି ଚର୍ଚ୍ଚା ହେଉଛି । ସେପଟେ ବିଜେଡ଼ିରେ ଥିବା ତୁଙ୍ଗ ନେତାମାନେ ମଧ୍ୟ ରାଜ୍ୟସଭା ପାଇଁ ଆଶା ଛାଡ଼ିନାହାନ୍ତି । ଗତଥର ଟିକେଟରୁ ବଂଚିତ ହୋଇଥିବା ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ହୁଅନ୍ତୁ କି ଅନଙ୍ଗ ଉଦୟ ସିଂହଦେଓ କି ପୁଣି ପ୍ରଫୁଲ୍ଲ ଘଡ଼େଇଙ୍କ ଭଳି ନେତା ମଧ୍ୟ ରାଜ୍ୟସଭା ଆସନ ଉପରେ ନଜର ରଖିଛନ୍ତି ।

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି । ଆଜିଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ନାମାଙ୍କନ । ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସଂଖ୍ୟା ଦୃଷ୍ଟିରୁ ବଳଶାଳୀ ଥିବା ବିଜେଡ଼ିରେ ଆରମ୍ଭ ହୋଇଛି ଅଙ୍କକଷା । ୪ ଆସନରୁ ୩ ସିଟ୍ ବିଜେଡ଼ି ଅନାୟାସରେ ଦଖଲ କରିବାରେ କୌଣସି ସମସ୍ୟା ନାହିଁ । ଆବଶ୍ୟକ ପଡ଼ିଲେ ରଣକୌଶଳ ପ୍ରୟୋଗ କରି ଚତୁର୍ଥ ସିଟ୍ ହାତେଇବା ମଧ୍ୟ କିଛି ଅସମ୍ଭବ ନୁହେଁ । ତେବେ କିଏ ହେବେ ବିଜେଡ଼ିର ପ୍ରାର୍ଥୀ? କାହାକୁ ଭରସା କରିବେ ନବୀନ? କେଉଁ ବର୍ଗଙ୍କୁ ଦେବେ ଗୁରୁତ୍ୱ? କାର୍ଯ୍ୟକାଳ ସରୁଥିବା ସରୋଜିଜୀ ହେମ୍ବ୍ରମଙ୍କୁ ଛାଡ଼ିଦେଲେ ଓଡ଼ିଶାର ଆଉ କେହି ମହିଳା ରାଜ୍ୟସଭା ସାଂସଦ ନାହାନ୍ତି । ତେଣୁ ମହିଳାଙ୍କ ଉପରେ ନବୀନଙ୍କ ରଣନୀତି କ’ଣ? ଏସବୁ ପ୍ରଶ୍ନ ବିଜେଡ଼ି ନେତାମାନଙ୍କ ମନରେ ବିଶେଷ କରି ରାଜ୍ୟସଭା ଆଶାୟୀମାନଙ୍କୁ ଆନ୍ଦୋଳିତ କରୁଥିବା ବେଳେ ସବୁ କିଛି ନିର୍ଭର କରେ ନବୀନଙ୍କ ଉପରେ । ତେବେ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼େଇ ଏବଂ ପୂର୍ବତନ ସମ୍ବଲପୁର ସାଂସଦ ନଗେନ୍ଦ୍ର ପ୍ରଧାନ ରାଜ୍ୟସଭା ଉପରୁ ଆଶା ଛାଡ଼ିନାହାନ୍ତି । ସୁପ୍ରିମୋ ଯୁବବର୍ଗଙ୍କୁ ଅଧିକ ଗୁରୁତ୍ୱ ଦେବେ ବୋଲି ସମୀକ୍ଷକ ଆକଳନ କରିଛନ୍ତି ।

ବିଜେଡ଼ିର ସମ୍ଭାବ୍ୟ ତାଲିକାରେ ସ୍ୱତନ୍ତ୍ର ବିକାଶ ପରିଷଦର ଉପଦେଷ୍ଟା ସୁଜିତ କୁମାର, ଓଟିଡ଼ିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, ସୋଆ ବିଶ୍ୱବିଦ୍ୟାଳୟ ମାଲିକ ମନୋଜ ନାୟକ, ଅନଙ୍ଗ ଉଦୟ ସିଂହଦେଓ ଥିବା ବେଳେ ପ୍ରସନ୍ନ ପାଟଶାଣୀ ଏବଂ ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ପ୍ରତିଶ୍ରୁତି ମିଳିଥିବା କଥା ଚର୍ଚ୍ଚା ହେଉଥିବାରୁ ତାଲିକାରେ ଏମାନଙ୍କ ନାମ ମଧ୍ୟ ଯୋଡ଼ି ହୋଇଛି । ସେହିପରି ରାଜ୍ୟ ରାଜନୀତିରେ ଡ଼ାର୍କ ହର୍ସ ଭାବେ ପରିଚିତ ଦିଲ୍ଲୀପ ରାୟ ମଧ୍ୟ ଚର୍ଚ୍ଚାରୁ ଦୂରରେ ନାହାନ୍ତି । ବିଜେଡ଼ିରେ ପ୍ରାର୍ଥୀକୁ ନେଇ ଅଙ୍କକଷା ଆରମ୍ଭ ହୋଇଥିବା ବେଳେ ବିରୋଧି କଂଗ୍ରେସ ଓ ବିଜେପି ହାଇକମାଣ୍ଡଙ୍କ ନିଷ୍ପତିକୁ ଅପେକ୍ଷା କରିଛନ୍ତି । ସଂଖ୍ୟା କମ୍ ଥିଲେ ମଧ୍ୟ କଂଗ୍ରେସର ୯ ବିଧାୟକ ଗେମ୍ ଚେଞ୍ଜର ହୋଇପାରନ୍ତି । ସେହିପରି ପ୍ରାର୍ଥୀ ଦେବାକୁ ବିଜେପି ବିଧାୟକମାନେ ମନ ବଳାଇଥିଲେ ମଧ୍ୟ ଅପେକ୍ଷା ହାଇକମାଣ୍ଡଙ୍କ ଗ୍ରୀନ ସିଗ୍ନାଲକୁ ।

ମାର୍ଚ୍ଚ ୧୩ ତାରିଖ ହେଉଛି ନାମାଙ୍କନ ଦାଖଲର ଶେଷ ତାରିଖ । ୧୧ ତାରିଖରୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଏସବୁକୁ ନଜରରେ ରଖି ବିଜେଡ଼ି ଯେ କୌଣସି ମୁହୁର୍ତରେ ତାର ପ୍ରାର୍ଥୀ ତାଲିକା ଘୋଷଣା କରିବାର ସମ୍ଭାବନା ରହିଛି । ହେଲେ ଯେ ପର୍ଯ୍ୟନ୍ତ ଚୁଡ଼ାନ୍ତ ପ୍ରାର୍ଥୀମାନେ ସାମ୍‌ନାକୁ ଆସିନାହାନ୍ତି, ସେ ପର୍ଯ୍ୟନ୍ତ ରାଜ୍ୟସଭାକୁ ନେଇ ଚର୍ଚ୍ଚା ଚାଲିବା ସହ ରାଜ୍ୟ ରାଜନୀତି ମଧ୍ୟ ଚଳଚଂଚଳ ରହିବ ବୋଲି ଅନୁମାନ କରାଯାଉଛି ।