ମିଲରଙ୍କ ମାୟାରେ ରାଜ୍ୟ ସରକାର ବାୟା

ମିଲର୍‌ମାନେ କେବଳ ଚାଷୀଙ୍କୁ ଲୁଟୁ ନାହାନ୍ତି ବରଂ ଖୋଦ୍ ସରକାର ବି ଲୁଟିଛନ୍ତି ମିଲରମାନେ । ୨୦୦୯ରୁ ୨୦୧୬ ମଧ୍ୟରେ ଧାନ ମିଲର୍‌ମାନେ ରାଜ୍ୟ ସରକାରଙ୍କୁ ୧୪୨କୋଟି ୫୧ଲକ୍ଷ ୪୧ ହଜାର ୭୭୫ଟଙ୍କା ଠକିଛନ୍ତି । ଗୃହରେ ଖାଦ୍ୟ ମନ୍ତ୍ରୀଙ୍କ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ମିଲର ମାନେ କେତେ ଶକ୍ତିଶାଳୀ ତାହା ଜଣାପଡ଼ିଛି । 

ମିଲରଙ୍କ ମାୟାରେ ରାଜ୍ୟ ସରକାର ବାୟା

ଭୁବନେଶ୍ୱର: ଧାନ କିଣାକୁ ନେଇ ଅବ୍ୟବସ୍ଥା ଜାରି ରହିଛି । ସରକାରଙ୍କ ନିର୍ଦ୍ଦେଶକୁ ଜିଲ୍ଲାପାଳ ମାନୁ ନାହାନ୍ତି । ଚାଷୀଙ୍କୁ ମିଲରମାନେ କଟନ, ଛଟନୀ ନାଁରେ ଲୁଟୁଛନ୍ତି । ସମବାୟ ସମିତି କେବଳ ବାହାନା, ଅସଲରେ ସରକାରଙ୍କ ଧାନ କିଣୁଛନ୍ତି ମିଲରମାନେ । ବିଧାନସଭା ଅଧିବେଶନରେ ବିରୋଧିଙ୍କ ଏଭଳି ଅଭିଯୋଗ ଯୋଗୁଁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଖାଦ୍ୟ ଯୋଗାଣ ମନ୍ତ୍ରୀ ବିଧାୟକଙ୍କ ସହ ୱାନ୍ ଟୁ ୱାନ ଆଲୋଚନା କରି ସମାଧାନର ବାଟ ବାହାର କରୁଥିବା ବେଳେ ଏବେ ଆସିଛି ସମସ୍ତଙ୍କୁ ଚକିତ କଲାଭଳି ଖବର ।

ମିଲର୍‌ମାନେ କେବଳ ଚାଷୀଙ୍କୁ ଲୁଟୁ ନାହାନ୍ତି ବରଂ ଖୋଦ୍ ସରକାର ବି ଲୁଟିଛନ୍ତି ମିଲରମାନେ । ୨୦୦୯ରୁ ୨୦୧୬ ମଧ୍ୟରେ ଧାନ ମିଲର୍‌ମାନେ ରାଜ୍ୟ ସରକାରଙ୍କୁ ୧୪୨କୋଟି ୫୧ଲକ୍ଷ ୪୧ ହଜାର ୭୭୫ଟଙ୍କା ଠକିଛନ୍ତି । ଗୃହରେ ଖାଦ୍ୟ ମନ୍ତ୍ରୀଙ୍କ ଏଭଳି ତଥ୍ୟ ସାମ୍ନାକୁ ଆସିବା ପରେ ମିଲର ମାନେ କେତେ ଶକ୍ତିଶାଳୀ ତାହା ଜଣାପଡ଼ିଛି ।

ରାଜ୍ୟର ମୋଟ ୯୨ଜଣ ମିଲର ସରକାରଙ୍କଠାରୁ  ଧାନ ନେଇଛନ୍ତି । ହେଲେ ଏବାବଦକୁ ଯେଉଁ ଚାଉଳ ଦେବା କଥା, ତାହା ଦେଇନାହାନ୍ତି । ବିଜେଡ଼ି ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ, ୧୯ଟି ଜିଲ୍ଲାର ୯୨ଜଣ ମିଲର ସରକାରଙ୍କ ଠାରୁ ଧାନ ନେଇ ଆଉ ଚାଉଳ ଫେରାଇନାହାନ୍ତି । ୨୦୦୯ରୁ ୨୦୧୬ ମଧ୍ୟରେ ଧାନ ମିଲର୍‌ମାନେ ରାଜ୍ୟ ସରକାରଙ୍କୁ ୧୪୨କୋଟି ୫୧ଲକ୍ଷ ୪୧ ହଜାର ୭୭୫ଟଙ୍କା ଠକିଛନ୍ତି । ନିଣ୍ଟିଟିଆ ଜିଲ୍ଲାରୁ ବଳକା ଜିଲ୍ଲାରେ ପରିଣତ ହୋଇଥିବା କଳାହାଣ୍ଡିରେ ୧୯ଜଣ ମିଲର ୨୬କୋଟି ୨୧ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଠକିଛନ୍ତି । ନୂଆପଡ଼ା ଜିଲ୍ଲାରେ ୬ ମିଲର ୧୭କୋଟି ୩୪ଲକ୍ଷ, ନବରଙ୍ଗପୁରରେ ୩ମିଲର କୋଟିଏ ୩୭ଲକ୍ଷ ଟଙ୍କା ଧାନ ନେଇ ଆଉ ଚାଉଳ ଫେରାଇନାହନ୍ତି । ହେଲେ ଏଥିରେ ମିଲରଙ୍କ ଦୋଷ ଅପେକ୍ଷା ଏଫ୍‌ସିଆଇର ଭୂମିକା ଆଡ଼କୁ ଅଙ୍ଗୁଠି ଉଠାଇଛନ୍ତି ସରକାରଙ୍କ ଆଉ ଜଣେ ବରିଷ୍ଠ ମନ୍ତ୍ରୀ ।

କୋରାପୁଟରେ ୨ ମିଲର କୋଟିଏ ୫୯ଲକ୍ଷ, ଖୋର୍ଦ୍ଧାରେ ୩ ମିଲର ୫କୋଟି ୯ଲକ୍ଷ, କେନ୍ଦ୍ରାପଡ଼ାରେ ୨ ମିଲର ୭୯ଲକ୍ଷ ଟଙ୍କାର ଚାଉଳ ସରକାରଙ୍କୁ ଠାରୁ ନେଇଥିବା ବେଳେ ଏ ବାବଦକୁ ଚାଉଳ ସରକାରଙ୍କୁ ଫେରାଇନାହାନ୍ତି । ବାଲେଶ୍ୱରରେ ୮ଜଣ ମିଲର ୧୯କୋଟି ୫୩ଲକ୍ଷ, ବରଗଡ଼ରେ ୪ ମିଲର ୬କୋଟି ୮୫ଲକ୍ଷ ଟଙ୍କା ସରକାରଙ୍କୁ ଠକିଛନ୍ତି । ଭଦ୍ରକରେ ୪ ମିଲର ୭କୋଟି ୪୨ଲକ୍ଷ ଟଙ୍କାର ଧାନ ନେଇ ଚାଉଳ ଫେରାଇନଥିବା ବେଳେ କଟକରେ ୫ମିଲର ୧୦କୋଟି ୫୩ଲକ୍ଷ, ଦେବଗଡ଼ରେ ୨ ମିଲର କୋଟିଏ ୯ଲକ୍ଷ, ଜଗତସିଂହପୁରରେ ୩ ମିଲର ୨କୋଟି ୨୨ଲକ୍ଷ, ଯାଜପୁରରେ ଜଣେ ମିଲର ୨କୋଟି ୩୩ଲକ୍ଷ, ଝାରୁସୁଗୁଡ଼ାରେ ୪ ମିଲର ୯କୋଟି ୮୬ଲକ୍ଷ ଟଙ୍କାର ଧାନ ନେଇ ସରକାରଙ୍କୁ ଚାଉଳ ଫେରାଇନାହାନ୍ତି ।

 ଗୋଦାମ ନଥିବାରୁ ଚାଉଳ ରହିପାରିଲା ନାହିଁ କି ମିଲରମାନେ ଚାଉଳ ଫେରାଇଲେ ନାହିଁ । ତେବେ ଡ଼ିଫଲଟର ମିଲରଙ୍କ ଠାରୁ ସରକାର ଅର୍ଥ ଆଦାୟ କରିବା ଦରକାର ବୋଲି ପରିବହନ ମନ୍ତ୍ରୀ କହିଛନ୍ତି । ଧାନ କିଣା ବ୍ୟବସ୍ଥାରେ ସରକାରୀ ଭାବେ ମିଲରଙ୍କ କୌଣସି ଭୂମିକା ନଥିଲେ ମଧ୍ୟ ଭିତ୍ତିଭୂମିର ଅଭାବ ଯୋଗୁଁ ବିନା ମିଲରଙ୍କ ସହାୟତାରେ ସରକାର ଧାନ କିଣା ବ୍ୟବସ୍ଥାକୁ ଆଗକୁ ନେଇପାରୁନାହାନ୍ତି । ଏହାର ଫାଇଦା ନେଇ ମିଲର ମାନେ ମଧ୍ୟ ସରକାରଙ୍କୁ ଠକିବାରେ ଲାଗିଛନ୍ତି ।