୨୦ଟି ଖଣିର ନିଲାମ ବାତିଲ କଲେ ରାଜ୍ୟ ସରକାର

୨୦ଟି ଖଣିର ନିଲାମ ବାତିଲ କରାଯାଇଛି । ଏଥିପାଇଁ ୧୭୭ଟି ଆବେଦନ ଆସିଥିଲା । ଟେକ୍ନିକାଲ ବିଡ ସମୟରେ ତ୍ରୁଟି ଦେଖାଗଲା । ମୂଳ କମ୍ପାନୀ ଓ ସବସିଡିଆରି କମ୍ପାନୀ ନାଁରେ ଏକାଧିକ ଟେଣ୍ଡର ଆବେଦନ କରିଥିଲେ । 

୨୦ଟି ଖଣିର ନିଲାମ ବାତିଲ କଲେ ରାଜ୍ୟ ସରକାର

ଯଯାତି ମହାନ୍ତି, ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଖଣି ନିଲାମୀ ପ୍ରକ୍ରିୟା ଉପରେ ରୋକ୍ ଲାଗିଛି । ଖଣି ନିଲାମୀ ପାଇଁ ହୋଇଥିବା ସମସ୍ତ ବିଜ୍ଞପ୍ତିକୁ ବାତିଲ କରାଯାଇଛି ।  ସମସ୍ତ ୨୦ଟି ଖଣିର ନିଲାମୀ ବାତିଲ ହୋଇଛି ।  ଖୁବ ଶୀଘ୍ର ସାନି ବିଜ୍ଞପ୍ତି ପ୍ରକାଶ ପାଇବ  । ଅକ୍ଟୋବର ୪,୧୪ ତାରିଖରେ ହୋଇଥିଲା ବିଜ୍ଞପ୍ତି  । ଡିସେମ୍ବର ୬ରେ ପ୍ରକାଶ ପାଇବ ୨୦ ଖଣିର ନିଲାମୀ ବିଜ୍ଞପ୍ତି  । ଏହି ସବୁ ଖଣିର ଅବଧି ମାର୍ଚ୍ଚ ୨୦୨୦ରେ ସରୁଛି । ନିଲାମୀ ସର୍ତ୍ତରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଗୋଟିଏ ଖଣି ପାଇଁ ଗୋଟିଏ କମ୍ପାନୀ ନିଲାମୀରେ ଭାଗ ନେବା ସର୍ତ୍ତ ଏଣକି ରଖାଯିବ ।

୨୦ଟି ଖଣିର ନିଲାମ ବାତିଲ କରାଯାଇଛି । ଏଥିପାଇଁ ୧୭୭ଟି ଆବେଦନ ଆସିଥିଲା । ଟେକ୍ନିକାଲ ବିଡ ସମୟରେ ତ୍ରୁଟି ଦେଖାଗଲା । ମୂଳ କମ୍ପାନୀ ଓ ସବସିଡିଆରି କମ୍ପାନୀ ନାଁରେ ଏକାଧିକ ଟେଣ୍ଡର ଆବେଦନ କରିଥିଲେ । ଖଣି ନିଲାମ ନିୟମ ଅନୁସାରେ ଗୋଟିଏ କମ୍ପାନୀ ସବସିଡିଆରି ଓ ମୂଳ କମ୍ପାନୀ ଭାବେ ଏକାଧିକ ଆବେଦନ କରି ପାରିବ ନାହିଁ । ସେଥିପାଇଁ ସରକାର ସ୍ଵଚ୍ଛତା ଆଣିବା ପାଇଁ ଟେଣ୍ଡର ବାତିଲ କଲେ । ଆସନ୍ତା ଡିସେମ୍ୱର ୬ରେ ପୁଣି ୨୦ଟି ଖଣି ନିଲାମ ନେଇ ବିଜ୍ଞପ୍ତି ପ୍ରକାଶ ପାଇବ  ।  ଏଥିରେ ସର୍ତ ରଖାଯିବ ଗୋଟିଏ କମ୍ପାନୀ ଭିନ୍ନ ଭିନ୍ନ ନାଁରେ ଭାଗ ନେଇ ପାରିବ ନାହିଁ  । ଏ ସମସ୍ତ ନିଲାମ ପ୍ରକ୍ରିୟା ଆସନ୍ତା ବର୍ଷ ଅର୍ଥାତ ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ସରିବ ବୋଲି ଖଣି ନିର୍ଦ୍ଦେଶକ ଦୀପକ ମହାନ୍ତି କହିଛନ୍ତି ।

ହେଲେ ସରକାର ପରିବର୍ତ୍ତନ କରିବାକୁ ଯାଉଥିବା ଏହି ସର୍ତ୍ତକୁ ନେଇ ଭିନ୍ନମତ ପୋଷଣ କରିଛନ୍ତି ସମୀକ୍ଷକ । ଯେତେ ଅଧିକ ବିଡ଼ର୍ ହେବେ, ସେତେ ଅଧିକ ଦରରେ ଖଣି ନିଲାମୀ ହେବ ଏବଂ ରାଜ୍ୟ ରାଜକୋଷକୁ ଅଧିକ ଅର୍ଥ ଆସିବ । ଅନ୍ୟପଟେ ମାର୍ଚ୍ଚ ୨୦୨୦ରେ ୨୦ଟି ଖଣିର ଅବଧି ସରୁଥିବାରୁ କଂଚାମାଲ ଅଭାବ ସମସ୍ୟାକୁ ନେଇ ଆଶଙ୍କା କରିବା ଉଚିତ ନୁହେଁ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ନୂଆ କମ୍ପାନୀ ଆସିବା ପର୍ଯ୍ୟନ୍ତ ପୁରୁଣା କମ୍ପାନୀ ଖଣି ଉତ୍ତୋଳନ କରିବାରେ ସମସ୍ୟା ନଥିବାରୁ କଂଚାମାଲ ନେଇ କୌଣସି ସମସ୍ୟା ହେବ ନାହିଁ ।

ଲୁହାପଥର ଓ ମାଙ୍ଗାନିଜ ଖଣି ପାଇଁ ରୁଙ୍ଗଟା, ବେଦାନ୍ତ, ଜିନ୍ଦଲ, ଆର୍ସଲର ମିତ୍ତଲ, ଆଦାନୀ ଗ୍ରୁପ, ପଟ୍ଟନାୟକ ଷ୍ଟିଲ, ଏମ୍ଜିଏମ୍, ଶ୍ୟାମ୍ ମେଟାଲିକ୍ସ ଭଳି କମ୍ପାନୀ ନିଲାମୀରେ ଭାଗ ନେବାକୁ ଆବଦନ କରିଥିଲେ ।