)
ଯଯାତି ମହାନ୍ତି, ଭୁବନେଶ୍ୱର: ରାଜ୍ୟରେ ଥମୁନି କୋରୋନା ସ୍ଥିତି । ଦିନକୁ ଦିନ ବଢିଚାଲିଛି କଟକଣା । ସମ୍ପୂର୍ଣ୍ଣ ରାଜ୍ୟ ଲକ୍ ଡ଼ାଉନ୍ ସାଙ୍ଗକୁ କୋରୋନା ସଂକ୍ରମଣ ଅଞ୍ଚଳକୁ କରାଯାଉଛି ସିଲ୍ । ସମ୍ପୃକ୍ତ ଅଞ୍ଚଳର ବାସିନ୍ଦାଙ୍କ ପାଇଁ ଯିବା ଆସିବା ଉପରେ ଲାଗୁଛି କଟକଣା । ସଙ୍ଗରୋଧ, ଲକ୍ ଡ଼ାଉନ୍, ସଟ୍ ଡ଼ାଉନ୍, ୧୪୪ ଧାରା, କର୍ଫ୍ୟୁ, ସିଲ୍ । ଏସବୁ ଜରିଆରେ କୋରୋନା ସଂକ୍ରମଣ ରୋକିବାକୁ ସରକାର କରୁଛନ୍ତି ପ୍ରୟାସ । ରାଜ୍ୟର ସ୍ଥିତି ଏପରି ଅଛି ଯେ, ଏପ୍ରିଲ ୧୪ ପର୍ଯ୍ୟନ୍ତ ଥିବା ଲକ୍ ଡ଼ାଉନ୍ ବଢାଇବା ହିଁ ସମାଧାନର ଏକମାତ୍ର ବାଟ । ସରକାରଙ୍କ ପରିବହନ ମନ୍ତ୍ରୀ ଏପରି ମତ ଦେଇଥିବା ବେଳେ ଏହାକୁ ପୂର୍ଣ୍ଣ ସମର୍ଥନ କରିଛନ୍ତି ବିରୋଧି ଦଳ ନେତା ଓ କଂଗ୍ରେସ ବିଧାୟକ । କଟକଣା ଜାରି ନ ରହିଲେ ଅଧିକ ସଂକ୍ରମଣ ହେବାର ଆଶଙ୍କା ରହିଛି ବୋଲି ସମସ୍ତେ ହୃଦବୋଧ କରିଛନ୍ତି ।
ପୁଣି ବଢିବ ଲକ୍ ଡ଼ାଉନ୍ ! ସାମାଜିକ ଦୂରତ୍ୱ ବଜାୟ ରଖିବା ହିଁ କୋରୋନାକୁ ଦୂରେଇ ରଖିବାର ଏକମାତ୍ର ବାଟ । କଟକ, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ, ଖୋର୍ଦ୍ଧା ସାଙ୍ଗକୁ କଳାହାଣ୍ଡି ଜିଲ୍ଲାରେ ଯଦିଓ କୋରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି, ହେଲେ କଟକଣା ଜାରି ନ ରଖିଲେ ଏହା ଅନ୍ୟ ଜିଲ୍ଲାକୁ ମଧ୍ୟ ବ୍ୟାପିବାର ସମ୍ଭାବନା ଅନେକ । ଅନେକ ରାଜ୍ୟ ସରକାର କେନ୍ଦ୍ରକୁ ଲକ୍ ଡ଼ାଉନ୍ ଅବଧି ବଢାଇବାକୁ ପରାମର୍ଶ ଦେଲେଣି । ଯଦିଓ ରାଜ୍ୟ ସରକାର ସରକାରୀ ଭାବେ ସେପରି କୌଣସି ସୂଚନା ଦେଇନାହାନ୍ତି, ହେଲେ ସରକାରଙ୍କ ମନ୍ତ୍ରୀଙ୍କ ମତ ଲକ୍ ଡ଼ାଉନ୍ ବଢ଼ିବା ଦରକାର । କଟକଣା ଅବଧି ନ ବଢ଼ାଇଲେ ଗୋଷ୍ଠୀ ସଂକ୍ରମଣକୁ ଦୂରେଇ ହୋଇପାରିବ ନାହିଁ । କୋରୋନା ରୋଗ ଭଲ ହେବା ପାଇଁ କୌଣସି ଔଷଧ ବାହାର କରିବାରେ ସାରା ବିଶ୍ୱ ଏଯାଏଁ ସମର୍ଥ ହୋଇ ନ ଥିବା ବେଳେ ସାମାଜିକ କଟକଣାକୁ ଏପରି ସ୍ଥିତିରେ କୋହଳ କରାଯିବା ଉଚିତ ନୁହେଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ରାଜ୍ୟ ସରକାରଙ୍କ ମନ୍ତ୍ରୀଙ୍କ ପ୍ରସ୍ତାବୁ ବିରୋଧି ରାଜନୈତିକ ଦଳଗୁଡ଼ିକ ମଧ୍ୟ ସମର୍ଥନ କରିଛନ୍ତି । ଗୋଟିଏ ଜାଗାରେ ବେଶି ଲୋକ ଏକତ୍ରିତ ନ ହେବା, ବଜାର ଘାଟ ବନ୍ଦ ରଖିବା, ଯିବା ଆସିବା ଉପରେ କଟକଣା ଲଗାଇବା ଦ୍ୱାରା ହିଁ କୋରୋନା ସଂକ୍ରମଣକୁ ରୋକିବାର ଏକମାତ୍ର ବାଟ ବୋଲି ବିରୋଧି ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି । ରାଜ୍ୟ ସରକାରଙ୍କ ଆଗୁଆ ପଦକ୍ଷେପକୁ ସମର୍ଥନ କରିବା ସହ ଏହି କଟକଣା ଅବଧି ବଢାଇବା ଜରୁରୀ ବୋଲି ସେ କହିଛନ୍ତି । କେବଳ ବିଜେଡ଼ି କି ବିଜେପି ନୁହେଁ, କଂଗ୍ରେସ ମଧ୍ୟ ଏଥିରେ ସହମତ ହୋଇଛି । ରାଜଧାନୀ ଭୁବନେଶ୍ୱରରେ କୋରୋନା ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ପ୍ରତିଦିନ ନୂଆ ନୂଆ କଟକଣା ଜାରି ହେଉଛି । ଜିଲ୍ଲା ସୀମାକୁ ସିଲ୍ କରାଯିବା ଦ୍ୱାରା କୋରୋନା ସଂକ୍ରମଣକୁ ରୋକାଯାଇପାରୁଛି । ଏଭଳି କଟକଣା ଆଗକୁ ବଳବତର ରଖିବା ସପକ୍ଷରେ ମତ ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।
୨୨ ତାରିଖରେ ଜନତା କର୍ଫ୍ୟୁ ପରଠାରୁ ୨୧ ଦିନିଆ ଲକ୍ ଡ଼ାଉନ୍ ଚାଲିଛି ସାରା ଦେଶରେ । ଲକ୍ ଡ଼ାଉନ୍ ସତ୍ତ୍ୱେ ଦେଶ ତଥା ରାଜ୍ୟରେ ବଢ଼ିଚାଲିଛି କୋରୋନା ପଜିଟିଭ୍ ରୋଗୀଙ୍କ ସଂଖ୍ୟା । କଟକଣାରେ କୋହଳ କଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ସମ୍ଭାବନା ଥିବାରୁ ଲକ୍ ଡ଼ାଉନ୍ ଅବଧି ବୃଦ୍ଧି ସପକ୍ଷରେ ମତ ଦେଇଛନ୍ତି ସବୁ ରାଜନୈତିକ ଦଳ ।