ଆଇଏଏସ୍, ଆଇପିଏସ୍ ଅଧିକାରୀ ହୁଅନ୍ତୁ କି ଓଏଏସ୍ ଅଫିସର, ଲେଡ଼ି ଡକ୍ଟର ହୁଅନ୍ତି, ଲେଡ଼ି ପୋଲିସ ଇନ୍ସ୍ପେକ୍ଟର ସମସ୍ତଙ୍କ ତ୍ୟାଗ, ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସର୍ବୋପରି ଦୃଢ ମାନସିକତା ଯୋଗୁଁ ଏମାନେ ଏବେ ଚର୍ଚ୍ଚାରେ ।
Trending Photos
)
ଯଯାତି ମହାନ୍ତି, ଭୁବନେଶ୍ୱର: କୋରୋନା ଲଢ଼େଇରେ ସାମିଲ ହୋଇଛନ୍ତି ଅନେକ ଯୋଦ୍ଧା । ସବୁଥର ଭଳି ପୁରୁଷଙ୍କ ସହ ତାଳ ଦେଇ ଜନତାଙ୍କ ସେବାରେ ଲାଗିଛନ୍ତି ଅନେକ ସୁପରୱମେନ । କୋରୋନାକୁ ନଡରି ଲୋକଙ୍କ ସୁରକ୍ଷାରେ ଦିନରାତି ଲାଗିଛନ୍ତି ମହିଳା । ଆଇଏଏସ୍, ଆଇପିଏସ୍ ଅଧିକାରୀ ହୁଅନ୍ତୁ କି ଓଏଏସ୍ ଅଫିସର, ଲେଡ଼ି ଡକ୍ଟର ହୁଅନ୍ତି, ଲେଡ଼ି ପୋଲିସ ଇନ୍ସ୍ପେକ୍ଟର ସମସ୍ତଙ୍କ ତ୍ୟାଗ, ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସର୍ବୋପରି ଦୃଢ ମାନସିକତା ଯୋଗୁଁ ଏମାନେ ଏବେ ଚର୍ଚ୍ଚାରେ । ଖାଲି ଉପରିସ୍ଥ ଅଧିକାରୀ ନୁହନ୍ତି, ତୃଣମୂଳ ସ୍ତରରେ ମଧ୍ୟ ଅନେକ ମହିଳା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଛନ୍ତି । ଏଥର ଏଭଳି ୪ ଅଧିକାରୀ ଉପରେ ନଜର ପକାଇବା, ଯେଉଁମାନେ ଅନେକ ପ୍ରତିକୂଳ ପରିସ୍ଥିତିରେ ନିଜ ଦାୟିତ୍ୱକୁ ଭୁଲିନାହାନ୍ତି ।
କୋଭିଡ ୧୯ । ସାରା ବିଶ୍ୱକୁ ଥରାଇ ଦେଇଛି ମହାମାରୀ । ଲକ୍ଷାଧିକ ଲୋକ ଆକ୍ରାନ୍ତ ଓ ମୃତ । ଡରରେ ପଦାକୁ ବାହାରୁନାହାନ୍ତି ଲୋକେ । ତେବେ ଲୋକଙ୍କ ସୁରକ୍ଷା ପାଇଁ ନିଜ ଜୀବନକୁ ବିପଦରେ ପକାଇଛନ୍ତି ଡାକ୍ତର, ନର୍ସ, ପୋଲିସ, ପ୍ରଶାସନିକ ଅଧିକାରୀ । ଲୋକେ ଏମାନଙ୍କୁ ଆଖ୍ୟା ଦେଇଛନ୍ତି ସୁପରଓମ୍ୟାନ । ଓଡିଶାରେ କୋରୋନା ଲଢେଇର ‘ସୁପରୱମେନ ’ । ସବୁଥର ଭଳି ପୁରୁଷଙ୍କ ସହ ତାଳ ଦେଇ ଜନତାଙ୍କ ସେବାରେ ଲାଗିଛନ୍ତି ଅନେକ ସୁପରୱମେନ । କୋରୋନାକୁ ନଡରି ଲୋକଙ୍କ ସୁରକ୍ଷାରେ ଦିନରାତି ଲାଗିଛନ୍ତି । ଆମ ରାଜ୍ୟରେ ମଧ୍ୟ କୋରୋନା ଲଢେଇରେ ସାମିଲ ହୋଇଛନ୍ତି ଅନେକ ମହିଳା ଯୋଦ୍ଧା । କର୍ତ୍ତବ୍ୟ ଆଗରେ ତୁଚ୍ଛ କରିଦେଇଛନ୍ତି ପରିବାର ଓ ନିଜ ସୁରକ୍ଷା । ଆସନ୍ତୁ ଜାଣିବା ଏପରି କିଛି ସମର୍ପିତ ମହିଳା ଯୋଦ୍ଧାଙ୍କ ବିଷୟରେ ।
ସୁଜାତା କାର୍ତ୍ତିକେୟନ
ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗର ମୁଖ୍ୟ । କୋରୋନା ମୁକାବିଲା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ରହିଛି ବଡ ଭୂମିକା । ଆଉ ଏହାର ନେତୃତ୍ୱ ନେଇଛନ୍ତି ସୁଜାତା । ୬୦୫ଟି ଗୋଷ୍ଠୀର ୭୦୦୦ରୁ ଅଧିକ ମହିଳା ତିଆରି କରିଛନ୍ତି ୫୦ ଲକ୍ଷରୁ ଅଧିକ ମାସ୍କ । ସେହିପରି ରାଜ୍ୟର ପ୍ରାୟ ସାଢେ ୩ ଲକ୍ଷ ଲୋକଙ୍କ ଭୋକ ମେଣ୍ଟାଇଛନ୍ତି ୬୦୦୦ରୁ ଉର୍ଦ୍ଧ୍ୱ ମହିଳା । ୫୨୪୭ ପଞ୍ଚାୟତରେ ଏହି ଖାଦ୍ୟ ବଣ୍ଟନ କରାଯାଉଛି । ସେହିପରି ୨୫ ହଜାର ୨୩୯ ଜଣ ୧୦୮୦ଟି ସହରାଞ୍ଚଳରେ ଖାଦ୍ୟ ପହଞ୍ଚାଉଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଲାଗତାର ଗାଇଡ଼୍ କରୁଥିବା, ସେମାନଙ୍କ ଯୋଜନା ପ୍ରସ୍ତୁତ କରୁଥିବା ଅଧିକାରୀ ହେଉଛନ୍ତି ସୁଜାତା । କୋରୋନା ଯୁଦ୍ଧରେ ସୁଜାତା ମଧ୍ୟ ଜଣେ ସେନାପତି ଭାବେ ମିଶନ ଶକ୍ତି ବିପ୍ଳବକୁ ଏନ ନୂଆ ଦିଗ ଦେଖାଇଛନ୍ତି ।
ଶାଳିନୀ ପଣ୍ଡିତ
ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶିକା । ଓଡ଼ିଶାକୁ କୋରୋନା ଆସିବାର ଅନେକ ପୂର୍ବରୁ, ଅର୍ଥାତ ଜାନୁଆରୀ ୨୦୨୦ରୁ ଯେତେବେଳେ କେନ୍ଦ୍ର ସରକାର କୋରୋନା ମୁକାବିଲା ନେଇ ପ୍ରାରମ୍ଭିକ ଆଲୋଚନା ଆରମ୍ଭ କଲେ ବିଭିନ୍ନ ରାଜ୍ୟ ସରକାରଙ୍କ ସହ, ସେତେବେଳ ଠାରୁ ଏହି ଯୁଦ୍ଧରେ ଯୋଡ଼ି ହୋଇଛନ୍ତି ଶାଳିନୀ ପଣ୍ଡିତ । କୋରୋନା ଆକ୍ରାନ୍ତଙ୍କ କଣ୍ଟାକ୍ଟ ଟ୍ରେସିଂ ଠାରୁ ଲାବ୍ରୋଟାରୀ ଓ ଟେଷ୍ଟିଂ କାର୍ଯ୍ୟର କରୁଛନ୍ତି ତଦାରଖ । କୋରୋନା ସଂକ୍ରମଣ ନ ବ୍ୟାପିବାର ସମସ୍ତ ଦାୟିତ୍ୱ ଶାଳିନୀଙ୍କ ମୁଣ୍ଡରେ । ପଜିଟିଭ କେସ ବାହାରିବା ମାତ୍ରେ ତାହାର ଟିକିନିଖି ଇତିହାସ ଖୋଜି ବାହାର କରିବାରେ ଲାଗିପଡନ୍ତି ଶାଳିନୀ । କୋରୋନା ଲଢେଇରେ ଏକ ନୀରବ ସେନାପତି ଭାବେ ତାଙ୍କ ଦାୟିତ୍ୱକୁ ସୂଚାରୁ ରୂପେ ନିଭାଇବାରେ ସକ୍ଷମ ହୋଇଛନ୍ତି ।
ଯାମିନୀ ଷଡ଼ଙ୍ଗୀ
ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ସହ ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ । କୋରୋନା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ରାଜ୍ୟର ସମସ୍ତ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନକୁ ଯୋଗାଉଛନ୍ତି ଅତ୍ୟାବଶ୍ୟକୀୟ ମେଡିକାଲ ସାମଗ୍ରୀ । ଡ଼ିସପେନ୍ସରୀ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମେଡ଼ିକାଲ କଲେଜ, ସବୁଠି ସବୁ ପ୍ରକାରର ଜରୁରୀ ଔଷଧ ସାଙ୍ଗକୁ ସମସ୍ତ ସର୍ଜିକାଲ ଉପକରଣ ଠିକ୍ ସମୟରେ ଉପଯୁକ୍ତ ପରିମାଣରେ ପହଞ୍ଚାଇବା ନିଗମର ପ୍ରାଥମିକ କାର୍ଯ୍ୟ । କୋରୋନା ଲକ୍ଡ଼ାଉନ୍ ସମୟରେ ଏସବୁ ବ୍ୟବସ୍ଥାର ସଠିକ୍ ଅନୁଧ୍ୟାନ ସଫଳତାର ସହ କରିବାରେ ସକ୍ଷମ ହୋଇଛନ୍ତି ଯାମିନୀ ଷଢଙ୍ଗୀ । କୋରୋନା ଲଢେଇରେ ନିଜକୁ ସାମିଲ କରିଛନ୍ତି ।
ଅନୁ ଗର୍ଗ
ରାଜ୍ୟର ଆଉ ଜଣେ ମହିଳା ଯୋଦ୍ଧା । ସରକାରଙ୍କ ଶ୍ରମ ଓ କର୍ମଚାରୀ ବୀମା ବିଭାଗର ପ୍ରମୁଖ ସଚିବ । ରାଜ୍ୟ ଭିତରେ ଓ ବାହାରେ ଥିବା ଶ୍ରମିକଙ୍କ ପାଇଁ ଭରସା ପାଲଟିଛନ୍ତି । ରାଜ୍ୟ ବାହାରେ ଫସିଥିବା ଓଡ଼ିଆଙ୍କ କଥା ବୁଝିବା ପାଇଁ ଯଦିଓ ଏକ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି, ଏହାର ଦାୟିତ୍ୱରେ ଅନେକ ଯୁବ ଆଇପିଏସ୍ ଅଫିସର ଅଛନ୍ତି ଏବଂ ଗୃହ ସଚିବ ଏହାର ତଦାରଖ କରୁଛନ୍ତି, ହେଲେ ଅନୁ ଗର୍ଗ ହେଉଛନ୍ତି ଏହାର ପ୍ରଚ୍ଛଦପଟ ନାୟିକା । ସବୁ ଜିଲ୍ଲା ସହ ଉତମ ସମନ୍ୱୟ ରକ୍ଷା କରି ଦାଦନ ଶ୍ରମିକଙ୍କ ତଥ୍ୟ ସଂଗ୍ରହ କରିବା ହେଉ କି ରାଜ୍ୟ ବାହରୁ ଇନ୍ପୁଟ୍ ପାଇବା ମାତ୍ରେ ଏହାକୁ ତତ୍କ୍ଷଣାତ୍ କାର୍ଯ୍ୟକାରୀ କରିବାରେ କଣ୍ଟ୍ରୋଲ ରୁମ୍କୁ ସାହାଯ୍ୟ କରିବା ହେଉ, ତୁରନ୍ତ କାମରେ ଲାଗିପଡ଼ନ୍ତି ସଚିବ ଅନୁ ଗର୍ଗ ।
ନିଜ ପରିବାର ଓ ପିଲାଛୁଆଙ୍କ କଥା ନଭାବି ରାଜ୍ୟବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି ଏହି ମହିଳା ଯୋଦ୍ଧାମାନେ । ଲକ୍ଷ୍ୟ କେବଳ ଗୋଟିଏ- ଓଡିଶାର ସୁରକ୍ଷା । କୋରୋନା ମୁକାବିଲାରେ ଏହି ନାରୀ ଶକ୍ତିର ଭୂମିକା ପ୍ରଶଂସନୀୟ । ଏମାନଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ ଆଗରେ ଫିକା ପଡିଛି ନାରୀର ସମସ୍ତ ଦୁର୍ବଳତା । ଏହି ସୁପର ମହିଳାଙ୍କୁ ସାରା ରାଜ୍ୟ ଆଜି ସାଲ୍ୟୁଟ କରୁଛି ।