ସଚିବ ଖୋଜିବେ ସମସ୍ୟା !
Advertisement
Article Detail0/zeeodisha/odisha617494

ସଚିବ ଖୋଜିବେ ସମସ୍ୟା !

ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ୩ ମାସ ପାଇଁ ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗୋଟିଏ ଗୋଟିଏ ଜିଲ୍ଲା ଦାୟିତ୍ୱ ଦିଆଯାଇଛି ।

ସଚିବ ଖୋଜିବେ ସମସ୍ୟା !

ଯଯାତି ମହାନ୍ତି, ଭୁବନେଶ୍ୱର: ସଚିବଙ୍କୁ ଜିଲ୍ଲା ଦାୟିତ୍ୱ । ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରିବାରେ କେଉଁଠି ରହୁଛି ସମସ୍ୟା ? କାହିଁକି ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନି ସରକାରୀ ଯୋଜନା ? ଏସବୁ କଥା ଅନୁଧ୍ୟାନ କରିବେ ବିଭାଗୀୟ ସଚିବ ଓ ବରିଷ୍ଠ ଅଧିକାରୀ ।

ଜାନୁଆରୀରୁ ମାର୍ଚ୍ଚ ପର୍ଯ୍ୟନ୍ତ ୩ ମାସ ପାଇଁ ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କୁ ଗୋଟିଏ ଗୋଟିଏ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ଜିଲ୍ଲା ଗସ୍ତ ବେଳେ ଅଧିକାରୀମାନେ ୧୩ଟି ଫ୍ଲାଗସିପ୍ ଯୋଜନାର ତଦାରଖ ସହ ଆକାଂକ୍ଷା ଜିଲ୍ଲାର ଉନ୍ନତିମୂଳକ କାମ ମଧ୍ୟ ଦେଖିବେ । ଏହା ସହ ସ୍ୱାଭିମାନ ଅଞ୍ଚଳ ଓ କୋଟିଏଆ ପରି ସ୍ୱତନ୍ତ୍ର ଏରିଆର ବିକାଶ ପ୍ରତି ମଧ୍ୟ ଦୃଷ୍ଟି ଦେବେ । ଅଧିକାରୀଙ୍କ ଜିଲ୍ଲା ଗସ୍ତ ବିକାଶ ମୂଳକ କାମକୁ ତ୍ୱରାନିତ କରିବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଥିବା ବେଳେ କଂଗ୍ରେସ ଏହାକୁ ସମାଲୋଚନା କରିଛି ।

ମମତା, ବିଜୁ ପକ୍କାଘର/ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗଭୀର ନଳକୂପ ବା ଜଳସେଚନ, ମିଶନ ଶକ୍ତି, ନିରାମୟ, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, ପିଇବା ପାଣି, ଗ୍ରାମ୍ୟ ବିଦ୍ୟୁତିକରଣ, ଖାଦ୍ୟ ସୁରକ୍ଷା ଯୋଜନା, ସାମାଜିକ ସୁରକ୍ଷା ଯୋଜନା, ସର୍ବ ଶିକ୍ଷା ଅଭିଯାନ, ଶିଶୁ ବିକାଶ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହେଉଛି ସରକାରଙ୍କ ଫୋକସ୍ ଏରିଆ । ଏହିଭଳି ୧୩ଟି ଫ୍ଲାଗସିପ୍ ଯୋଜନାର ଅନୁଧ୍ୟାନ ଜିଲ୍ଲା ସ୍ତରରେ କରିବାକୁ ବରିଷ୍ଠ ଅଧିକାରୀଙ୍କ ଦାୟିତ୍ୱ ଦିଆଯାଇଛି । କୃଷି ଉତ୍ପାଦ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କୁ ମିଳିଛି ଢେଙ୍କନାଳ ଜିଲ୍ଲା ଦାୟିତ୍ୱ । ଗ୍ରାମ୍ୟ ଉନ୍ନୟନ ସଚିବ ପ୍ରଦୀପ ଯେନାଙ୍କୁ କଳାହାଣ୍ଡି, ଜଙ୍ଗଲ ସଚିବ ମୋନା ଶର୍ମାଙ୍କୁ ସମ୍ବଲପୁର, ସଂଜୀବ ଚୋପ୍ରାଙ୍କୁ କନ୍ଧମାଳ, ଅନୁ ଗର୍ଗଙ୍କୁ ରାୟଗଡ଼ା, ବିଜୟ ଆରୋରାଙ୍କୁ ଗଞ୍ଜାମ ଜିଲ୍ଲା ଦାୟିତ୍ୱ ମିଳିଛି । ଜିଲ୍ଲାକୁ ସଚିବଙ୍କ ଗସ୍ତ ଫଳରେ ଜିଲ୍ଲା ପ୍ରଶାସନ ଅଧିକ ସଜାଗ ରହିବ ଏବଂ ବିକାଶମୂଳକ କାର୍ଯ୍ୟ ତ୍ୱରାନିତ ହେବ ବୋଲି ପୂର୍ତ୍ତ ମନ୍ତ୍ରୀ କହିଛନ୍ତି ।
ସେହପରି ପଞ୍ଚାୟତି ରାଜ ସଚିବ ଦେଓ ରଞ୍ଜନ ସିଂହଙ୍କୁ କେନ୍ଦୁଝର, ରାଜସ୍ୱ ସଚିବ ନିକୁଞ୍ଜ ଧଳଙ୍କୁ ସୁନ୍ଦରଗଡ଼, ହସ୍ତତନ୍ତ ସଚିବ ରଞ୍ଜନା ଚୋପ୍ରାଙ୍କୁ କଟକ ଜିଲ୍ଲାର ଦାୟିତ୍ୱ ମିଳିଥିବା ବେଳେ ସୁରେନ୍ଦ୍ର କୁମାରଙ୍କୁ ବଲାଙ୍ଗୀର, ବିଷ୍ଣୁ ସେଠୀଙ୍କୁ କେନ୍ଦ୍ରାପଡ଼ା, ହେମନ୍ତ ଶର୍ମାଙ୍କୁ ନବରଙ୍ଗପୁର, ଚିତ୍ରା ଅରୁମୁଗମ୍ଙ୍କୁ ଯାଜପୁର, ବିଶାଳ ଗଗନଙ୍କୁ ଭଦ୍ରକ, ସୁଶୀଲ ଲୋହାନୀଙ୍କୁ କୋରାପୁଟ, ଶୋଭା ଶର୍ମାଙ୍କୁ ନୟାଗଡ଼, ବିଶାଳ ଦେବଙ୍କୁ ପୁରୀ, ପ୍ରମୋଦ ମେହେର୍ଦ୍ଦାଙ୍କୁ ବାଲେଶ୍ୱର, କ୍ରୀଷନ କୁମାରଙ୍କୁ ସୋନପୁର, ମନୋଜ ମିଶ୍ରଙ୍କୁ ଜଗତସିଂହପୁର, ଅର୍ଚ୍ଚନା ପଟ୍ଟନାୟକଙ୍କୁ ବୌଦ୍ଦ, ରୁପା ମିଶ୍ରଙ୍କୁ ଝାରୁସୁଗୁଡ଼ା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । ୨୦ବର୍ଷ ଶାସନରେ ରହିବା ପରେ ବି ଜିଲ୍ଲାର ବିକାଶ କଥା ସରକାରଙ୍କ ମନେ ପଡ଼ୁଛି କି ବୋଲି କଂଗ୍ରେସ ବିଧାୟକ ପ୍ରଶ୍ନ କରିଛନ୍ତି ।
ଜିଲ୍ଲା ଗସ୍ତ କରିବାର ସପ୍ତାହକ ମଧ୍ୟରେ ଅଧିକାରୀମାନେ ତାଙ୍କ ରିପୋର୍ଟ ଯୋଜନା ଓ ସଂଯୋଜନ ବିଭାଗକୁ ଦେବେ । ଏବଂ ଏହି ରିପୋର୍ଟ ଉପରେ ସମସ୍ତ ବିଭାଗ ପଦକ୍ଷେପ ନେଇ ତୃଣମୂଳ ସ୍ତରରେ ଥିବା ସମସ୍ୟାକୁ ଦୂର କରିବା ପାଇଁ ପଦକ୍ଷେପ ନେବେ ।