)
ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତ ବାଲେଶ୍ୱରର ବୋଲି ଜଣାପଡ଼ିଛି । ତେବେ ଏହାକୁ ମିଶାଇ କେବଳ ବାଲେଶ୍ୱରରେ ୨୦ ଆକ୍ରାନ୍ତ ଚିହ୍ନଟ ହେଲେଣି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ଗତକାଲି ଗୋଟିଏ ଦିନରେ ଯାଜପୁରରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଫଳରେ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୩୫ ଜଣଙ୍କ ଏବେ ଚିକିତ୍ସା ଜାରି ରହିଛି । ମାତ୍ର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସେହିପରି ବାଲେଶ୍ୱରର ସମସ୍ତ ୨୦ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । କେହିମଧ୍ୟ ସୁସ୍ଥ ହୋଇନାହାଁନ୍ତି । ଭଦ୍ରକରେ ସମୁଦାୟ ୧୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ରୋଗୀ ସକ୍ରିୟ ଅଛନ୍ତି । ତେବେ ଅନ୍ୟ ୨ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ(ଭୁବନେଶ୍ୱର) ଏପର୍ଯ୍ୟନ୍ତ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ସୁସ୍ଥ ହୋଇସାରିଲେଣି । ପୂର୍ବରୁ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୧୯ ଜଣଙ୍କ ଚିକିତ୍ସା ଚାଲିଛି । ଯଦି ସୁନ୍ଦରଗଡ଼ କଥା ଦେଖିବା, ତେବେ ଜିଲ୍ଲାରେ ସମୁଦାୟ ୧୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଅନ୍ୟ ୫ ଜଣଙ୍କ ଚିକିତ୍ସା ଜାରି ରହିଛି । ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ କୋରାପୁଟରେ ଜଣେ ଲେଖାଏଁ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉପରୋକ୍ତ ସମସ୍ତ ଜିଲ୍ଲାକୁ ରେଡ ଜୋନରେ ରଖାଯାଇଛି ।
ସେହିପରି ସମୁଦାୟ ୧୪୩ ଆକ୍ରାନ୍ତଙ୍କ ମଧ୍ୟରେ କେବଳ ୧୦୧ ଜଣ ପୁରୁଷ ରହିଛନ୍ତି । ଅନ୍ୟ ୪୨ ଆକ୍ରାନ୍ତ ମହିଳା ଅଛନ୍ତି । ଅକ୍ରାନ୍ତଙ୍କ ମଧ୍ୟରେ ୭୧ ଜଣଙ୍କ ବୟସ ୧୫ରୁ ୪୦ ମଧ୍ୟରେ ବୋଲି ଜଣାପଡ଼ିଛି ।