Advertisement
Article Detail0/zeeodisha/odisha770912
Zee OdishaBhubneshwarପାର୍ବଣରେ ଖୁସି ଦେବା ପରିବର୍ତ୍ତେ କନ୍ଦାଇଲା ପିଆଜ

ପାର୍ବଣରେ ଖୁସି ଦେବା ପରିବର୍ତ୍ତେ କନ୍ଦାଇଲା ପିଆଜ

ବଢିଚାଲିଥିବା ପିଆଜ ଦର ଏବେ କିଲୋଗ୍ରାମ ପିଛା ୮୦ ଟଙ୍କା ଟପିଲାଣି। ୧୦୦ ଛୁଇଁବାକୁ ବାକି ରହିଛି। 

ପାର୍ବଣରେ ଖୁସି ଦେବା ପରିବର୍ତ୍ତେ କନ୍ଦାଇଲା ପିଆଜ

ଭୁବନେଶ୍ୱର: ବର୍ତ୍ତମାନ ପାର୍ବଣ ଋତୁ (Parbon Season) ସମୟରେ ପରିବା (Vegetable) ବ୍ୟାଗରୁ ଉଭାନ ହୋଇଗଲାଣି ପିଆଜ (Onion)। ଏହାକୁ ଛୁଇଁଲେ ଲାଗୁଛି ଡର। ପାର୍ବଣ ଋତୁ ତଥା କୋରୋନା ସଂକଟ (Corona Crisis) କାଳରେ ପିଆଜ ଦରକୁ ଦେଖି ଗ୍ରାହକଙ୍କ ମଧ୍ୟରେ ଛାନିଆ ପଶିଛି। ଏପରିକି ଏହାକୁ ଦେଖିଲେ ଆଖିରୁ ଲୁହ ବାହାରିବା ଭଳି ସ୍ଥିତି ଖାଉଟିଙ୍କ ମଧ୍ୟରେ ସୃଷ୍ଟି ହେଲାଣି। 

ଗୋଟିଏ ପଟେ ରୋଜଗାର ହରାଇ ବୃତ୍ତି ଖୋଜୁଥିବା ଲୋକର ଖାଇବାରେ ଏବେ ପିଆଜ ଅଲୋଡା ହୋଇପଡିଛି। ଏହାର କାରଣ ହେଉଛି ଏବେ ପିଆଜ କିଲୋ ପ୍ରତି ଖୁଚୁରା ଦର ୮୦ ଟଙ୍କା ଟପିଗଲାଣି। ଯାହା ଆଗକୁ ୧୦୦ ଟଙ୍କା  ଛୁଇଁବ ବୋଲି ଆକଳନ କରାଯାଇଛି। ରାଜଧାନୀ ଭୁବନେଶ୍ୱରସ୍ଥିତ ଆଇଗିଣିଆ ଗୋଦାମ ହେଉ କିମ୍ବା କଟକ ଛତ୍ରବଜାର ଏଠି ସୁନା ଦରରେ ବିକ୍ରି ହେଉଛି ପିଆଜ। ବଡ କଥା ହେଲା ପ୍ରତିବର୍ଷ ଏହି ସମୟରେ ପିଆଜ ଦର ବଢିଚାଲିଥିବା ବେଳେ ଏହାର ଉପରେ କେନ୍ଦ୍ର ଅଥବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଲଗାମ ଲଗା ଯାଇପାରିନାହିଁ। ଯାଦା ଦ୍ୱାରା ଖାଉଟି କ୍ଷତି ସହୁଥିବା କହିଛି ବ୍ୟବସାୟୀ ସଂଘ। 

ପିଆଜ ଦରରେ ଲାଗିଯାଇଛି ନିଆଁ। କାଟିଲେ ନୁହେଁ ବରଂ କିଣିଲେ ଅଖିରୁ ବାହାରୁଛି ଲୁହ। ବଢିଚାଲିଥିବା ପିଆଜ ଦର ଏବେ କିଲୋଗ୍ରାମ ପିଛା ୮୦ ଟଙ୍କା ଟପିଲାଣି। ୧୦୦ ଛୁଇଁବାକୁ ବାକି ରହିଛି। ଆଜ୍ଞା ହଁ କୋରୋନା କାଳରେ କ୍ରୟ ଶକ୍ତି ହରାଇଥିବା ଖାଉଟି ଏବେ ପିଆଜ କିଣିବାକୁ ଭୟ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଏବେ ପିଆଜ ସଙ୍କଟ ଦେଖାଦେଇଛି। ସର୍ବବୃହତ ଆଇଗିଣିଆ ଗୋଦମକୁ ଦୈନିକ ୧୫ରୁ ଉର୍ଦ୍ଧ୍ୱ ଟ୍ରକ୍ ଆସୁଥିବା ବେଳେ ଏବେ ଅଧାକୁ କମିଯାଇ ୬-୮ ଟ୍ରକ ମଧ୍ୟରେ ସୀମିତ ରହିଛି। 

Add Zee News as a Preferred Source

କୁଇଣ୍ଟାଲ ପିଛା ପିଆଜ ଦର ୬୫୦୦- ୭୦୦୦ ଟଙ୍କା ମଧ୍ୟରେ ରହିଥିବା ବେଳେ ଖୁଚୁରା ଦର କେଜି ପ୍ରତି ୭୦-୮୦ଟଙ୍କା ମଧ୍ୟରେ ରହିଛି। ବର୍ଷା ଓ ବନ୍ୟା କାରଣରୁ ଆନ୍ଧ୍ରପ୍ରଦେଶ (Andhra Pradesh), ବେଙ୍ଗାଲୁରୁ (Bengaluru) ରୁ ପିଆଜି ଆମଦାନୀ ବନ୍ଦ ହୋଇଥିବା ବେଳେ ଏବେ ଗୋଟିଏ ସ୍ଥାନ ନାସିକ (Nashik) ଉପରେ ନିର୍ଭର କରିବାକୁ ପଡୁଛି। ସେଠାରେ ସରକାରଙ୍କ ମନମାନୀ ଓ କିଛି ଆସାଧୁ ବ୍ୟବସାୟୀଙ୍କ ହେତୁ ଦର ବୃଦ୍ଧି ହେଉଥିବା ଓଡିଶା ବ୍ୟବସାୟୀ ମହାସଂଘ ସମ୍ପାଦକ କହିଛନ୍ତି। ପ୍ରତିବର୍ଷ ଏପରି ଚିନ୍ତାରୁ ମୁକ୍ତି ପାଇଁ ଏକ ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବାକୁ ସେ କହିଛନ୍ତି। 

ସେପଟେ କଟକ ଛତ୍ର ବଜାରରେ ମଧ୍ୟ ସମାନ ସ୍ଥିତି। ଆଳୁ ଦରକୁ ଅତିକ୍ରମ କରି ପିଆଜ ଦର ପିଆଜ କିଲୋ ପିଛା ୭୦ ଟଙ୍କାରେ ବିକ୍ରି ହେଉଛି। ପ୍ରତି ୨ ଦିନ ଥରେ ଏଭଳି ଦର ବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢାଇଦେଇଛି।  ଯାହାଫଳରେ ବଜାରରୁ ଗ୍ରାହକଙ୍କ ପିଆଜ ଆବଶ୍ୟକତା ମଧ୍ୟ ହ୍ରାସ ପାଇଛି। ପୂର୍ବାପେକ୍ଷା ଅଳ୍ପରେ ସନ୍ତୁଷ୍ଟ ହେଉଥିବା କହିଛନ୍ତି ଗ୍ରାହକ। ଛତ୍ରବଜାରରେ ୨୦ଟି ପିଆଜ ଟ୍ରକର ଆବଶ୍ୟକତା ପଡୁଥିବାବେଳେ କେଉଁ ଦିନ ଗୋଟିଏ କି ଦୁଇଟି ନଚେତ କୌଣସି ବି ପିଆଜ ଟ୍ରକ ଆସୁନାହିଁ। ଯାହା ଫଳରେ ପିଆଜ ଦର ବୃଦ୍ଧିର କାରଣ ବୋଲି କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘ ସଭାପତି। 

ରାଜ୍ୟରେ ବର୍ଷକୁ ୫ ଲକ୍ଷ ୩୦ ହଜାର ଟନ୍ ପିଆଜର ଆବଶ୍ୟକତା ଥିବା ବେଳେ, ସେହି ଅନୁସାରେ ଆମଦାନୀ ମଧ୍ୟ ହେଉଛି। ସେପଟେ କେନ୍ଦ୍ର ସରକାର ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ଦେବା ପରେ ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା କଳାବଜାରୀ ବୃଦ୍ଧି ପାଉଥିବା ଆଶଙ୍କା କରାଯାଉଛି। ସେପଟେ ଯୋଗାଣ ବିଭାଗ ଏବେ ହାତବାନ୍ଧି ବସିପଡିଛି। 

About the Author