ଖାଉଟିଙ୍କ ପାଇଁ ଆଶ୍ୱସ୍ତିକର ଖବର, ଆସନ୍ତା ସପ୍ତାହ ସୁଦ୍ଧା କମିବ ପିଆଜ ଦର !

ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ବୁଧବାର ରାଜଧାନୀ ଭୁବନେଶ୍ୱର ୟୁନିଟ ୧ ଦୈନିକ ପରିବା ହାଟରେ କେଜି ପ୍ରତି ୧୩୦ ଟଙ୍କାରେ ବିକ୍ରି ହୋଇଛି 

ଖାଉଟିଙ୍କ ପାଇଁ ଆଶ୍ୱସ୍ତିକର ଖବର, ଆସନ୍ତା ସପ୍ତାହ ସୁଦ୍ଧା କମିବ ପିଆଜ ଦର !
ସୌଜନ୍ୟ: ସୋସିଆଲ ମିଡିଆ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଖାଉଟିଙ୍କ ପାଇଁ ଆଶ୍ୱସ୍ତିକର ଖବର, ଆସନ୍ତା ସପ୍ତାହ ସୁଦ୍ଧା କମିପାରେ ପିଆଜ ଦର । ରାଜ୍ୟରେ ପିଆଜ ଦର ଆକାଶ ଛୁଆଁ ହୋଇଥିବା ବେଳେ ବୁଧବାର ରାଜଧାନୀ ଭୁବନେଶ୍ୱର ୟୁନିଟ ୧ ଦୈନିକ ପରିବା ହାଟରେ କେଜି ପ୍ରତି ୧୩୦ ଟଙ୍କାରେ ବିକ୍ରି ହୋଇଛି । ଯାହା ଖାଉଟୀଙ୍କ ପାଇଁ ବଡ ଚିନ୍ତାର ବିଷୟ ପାଲଟିଛି । ତେବେ ଏହି ସମୟରେ ବ୍ୟବସାୟୀଙ୍କ ଆକଳନ ଅନୁଯାଇ ଡିସେମ୍ବର ୧୫ ପରେ ଦର ହ୍ରାସ ହେବାର ସମ୍ଭାବନା ଥିବା କହିଛନ୍ତି ।

ବର୍ତ୍ତମାନ ପରିସ୍ଥିତିରେ ନିୟନ୍ତ୍ରଣ ବାହାରେ ପିଆଜ ଦର । ପରିବା ବ୍ୟାଗରେ ପର ହୋଇଯାଇଛି ପିଆଜ । କାରଣ କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ରେକର୍ଡ ସଂଖ୍ୟକ ଦର ବୃଦ୍ଧି ହୋଇ ଏବେ ଖାଇବା ତ ଦୂର କଥା କିଣିବା ପୂର୍ବରୁ ଆଖିରୁ ଲୁହ ବାହାରୁଛି । ଶତକ ଟପି ଆଜି ପିଆଜ ଦର କେଜି ପ୍ରତି ୧୩୦ ଛୁଇଁଛି । ଦିନ ଥିଲେ ଖଟିଖିଆ ଶ୍ରମିକ ଶ୍ରେଣୀର ଲୋକ ମୋଟ ଯେତିକି ଟଙ୍କାରେ ସମସ୍ତ ପନିପରିବା କିଣୁଥିଲା ଆଜି କେବଳ ପିଆଜି ଦର ତା ଠାରୁ ବଳି । ତେବେ କେବଳ ଶ୍ରମିକ ଗରିବ ନୁହେଁ ମଧ୍ୟବିତ୍ତ ଓ ଧନୀ ବର୍ଗର ଲୋକ ମାନେ ପିଆଜ କିଣିବା ବେଳକୁ ଭାବିଚିନ୍ତି କିଣୁଛନ୍ତି । ଯାହା ରାଜ୍ୟରେ ଏକ ବିରାଟ ପିଆଜ ସଂକଟର ପରିସ୍ଥିତି ଭାବେ ଉଭା ହୋଇଛି ।

 ସେପଟେ ଓଡ଼ିଶା ବ୍ୟବସାୟୀ ମହାସଂଘର ମହାସଚିବ ସୁଧାକର ପଣ୍ଡା ଆକଳନ କରିଛନ୍ତି ଆସନ୍ତା ୧୫ ତାରିଖ ପରେ ଦରରେ ସୁଧାର ଆସିବାର ସମ୍ଭାବନା ରହିଛି । ଓଡିଶା ପିଆଜ ଆମଦାନୀରେ ୬୦ ପ୍ରତିଶତ ରସୁଲପୁର ଉପରେ ନିର୍ଭର କରୁଥିବା ବେଳେ ଯଦି ସେଠାରେ ସଠିକ ଭାବେ ଅମଳ ହୁଏ ତେବେ ସମ୍ଭବତଃ ଆସନ୍ତା ୧୫ ସୁଦ୍ଧା ଏହି ସ୍ଥିତିରେ ଫରକ ଆସିବ । ତେବେ ପୂର୍ବାପେକ୍ଷା ବର୍ତ୍ତମାନ ଆମଦାନୀ ମଧ୍ୟ କମିଛି, ଏହାସହ ସରକାର ଗଚ୍ଛିତ ପିଆଜକୁ ବଣ୍ଟନ ଓ ପରିଚାଳନାରେ ବିଫଳ ହେତୁ ଏପରି ସମସ୍ୟା ଉପୁଜିଥିବା ସେ କହିଛନ୍ତି । ସେପଟେ ରାତାରାତି ପିଆଜ ଦର କୁଇଣ୍ଟାଲ ପିଛା ୧ହଜାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇବାର ଭୟରେ ବ୍ୟବସାୟୀ ମାନେ ଆମଦାନୀ କରିବାକୁ ମନବଳାଉନାହାନ୍ତି । ତେବେ ଏସବୁ ଭିତରେ ବର୍ତ୍ତମାର ସ୍ଥିତିକୁ ଦେଖି ଖାଉଟି ମାନେ ବ୍ୟବହାର କମାଇବା ସହ ସତର୍କତା ଭାବେ ପିଆଜ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ।

ଏବେ ଅପେକ୍ଷା ସତରେ କେବେ ପିଆଜ ଦର ନିୟନ୍ତ୍ରଣାଧୀନ ହେଉଛି ଆଉ ଖାଉଟି ଉପକୃତ ହେଉଛନ୍ତି ।