ଦର ସୁହାଉଛି ହେଲେ ପାଟିକୁ ରୁଚୁନି ଇଜିପ୍ଟ ପିଆଜ
ଓଡିଶାକୁ ଆସିଲା ଇଜିପ୍ଟ ପିଆଜ
Trending Photos
)
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର : ଆଖି ଝଲସିଲା ଭଳି ପିଆଜ । କିଣିବା କି ଖାଇବା ପାଇଁ ନୁହେଁ ବରଂ ଦେଖିବା ପାଇଁ । ତଥାପି ଖାଉଟିଙ୍କ ପାଇଁ ଗ୍ରହଣୀ ହେଉନି ପିଆଜ । ଆମେ କହୁଛୁ ବିଦେଶୀ ଇଜିପ୍ଟ ପିଆଜ ବିଷୟରେ । ରାଜ୍ୟ ସମେତ ସାରା ଦେଶରେ ପିଆଜ ସଙ୍କଟ ଦେଖା ଦେବା ପରେ ବିଦେଶରୁ ଆମଦାନୀ ହୋଇଥିବା ବିଭିନ୍ନ ବର୍ଗର ପିଆଜ ମଧ୍ୟରେ ଏହା ଅନ୍ୟତମ । ତେବେ ଚଳିତ ସପ୍ତାହରେ ଏହା ଓଡିଶା ପ୍ରବେଶ କରିଥିବା ବେଳେ ଦିନ କେଇଟା ମଧ୍ୟରେ ଅଲୋଡା ହୋଇଯାଇଛି ।
ଦର କମ୍ ହୋଇବି ପିଆଜ କିଣିବାକୁ ଆଗ୍ରହ ପ୍ରକାଶ କରୁନାହାଁନ୍ତି ଖାଉଟି । ତେବେ ଏହାର କାରଣ ଭିନ୍ନ । ଗତ କିଛି ମାସ ଧରି ଅଦର ଦରରେ ପିଆଜ ବିକ୍ରି ହେଉଥିବା ବେଳେ ଗ୍ରାହକ ମାନେ ଅଳ୍ପ ବହୁତେ କିଣୁଥିଲେ ହେଲେ ଏବେ ବାହାର ଦେଶରୁ ଆସିଥିବା ପିଆଜିକୁ ଥରେ କିଣିଲେ ପରେ ଆଉ ହାତ ମାରୁନାହାନ୍ତି । ଅନ୍ୟ ପିଆଜ ଅପେକ୍ଷା ଏହାର ଦାମ କମ୍ ତଥାପି ଗ୍ରହଣୀୟ ହୋଇପାରୁନି । ଫଳରେ ଭୁବନେଶ୍ୱରର ବିଭିନ୍ନ ଗୋଦାମରେ ସୋ କେସ୍ ରେ ସଜାହେଲା ପରି ରହିଛି ଏହି ଇଜିପ୍ଟ ପିଆଜ । ଖାଉଟିଙ୍କ ମତରେ ଏହାର ଆକାର ବଡ ଓଜନରେ ଅଧିକା ଉଠୁଛି ଏହା ସହ ସ୍ୱାଦହୀନ ଯୋଗୁଁ ଦରକାର ଆସୁନାହିଁ । କାରଣ ଗୋଟିଏ ପଟେ ଅମୂଲ ମୂଲ ପିଆଜ ଦର ଥିବା ବେଳେ ଗୋଟିଏ ଇଜିପ୍ଟ ପିଆଜର ଓଜନ ୨୦୦ ଗ୍ରାମରୁ ଅଧିକା ରହୁଛି । ସାଧାରଣ ବର୍ଗର ଖାଉଟି ତ ଦୂରର କଥା ହୋଟେଲ କିମ୍ବା ବିବାହ ବ୍ରତଘର ସମୟରେ ମଧ୍ୟ ବ୍ୟବହାର କରିବାକୁ ନାପସନ୍ଦ କରୁଛନ୍ତି ।
ତେବେ ବର୍ତ୍ତମାନ ଇଜିପ୍ଟ ପିଆଜର ମୂଲ୍ୟ ରାଜଧାନୀରେ କିଲୋ ପିଛା ୭୦ରୁ ୮୦ ଟଙ୍କା ମଧ୍ୟରେ ଥିବା ବେଳେ ଅନ୍ୟ ପିଆଜ କେଜି ପ୍ରତି ୮୦ରୁ ୯୦ ଟଙ୍କା ରହିଛି । ଦର କମ୍ ସତ୍ୱେ ତଥାପି ଇଜିପ୍ଟ ପିଆଜ ଖାଉଟିଙ୍କ ଦ୍ବାରା ଗ୍ରହଣୀୟ ହେଉନଥିବାରୁ ଏଯାବତ ଭୁବନେଶ୍ୱର ଆଇଗିଣିଆ ଗୋଦାମକୁ ଆସିଥିବା ୬୦ କୁଇଣ୍ଟାଲ ପିଆଜ ବସ୍ତାରୁ ଅଧା ବି ବିକ୍ରି ହୋଇନାହିଁ । ୟୁନିଟ 1 ଦୈନିକ ହାଟରେ ମଧ୍ୟ ସମାନ ଅବସ୍ଥା । ସେପଟେ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଜାରି ହୋଇଥିବା ଆଡଭାଇଜାରୀ ଅନୁଯାଇ ରାଜଧାନୀରେ ହୋଲସେଲର ବ୍ୟବସାୟୀ ମାନେ ସର୍ବାଧିକ ୨୫୦ କୁଇଣ୍ଟାଲ ପିଆଜ ଏକକାଳୀନ ମହଜୁଦ ରଖିପାରିବେ । ଯାହାକୁ ଏବେ ପାଳନ କରିବା ଅସମ୍ଭ ବୋଲି ବ୍ୟବସାୟୀ ମାନେ ଯୁକ୍ତି ବାଢିଛନ୍ତି । ପିଆଜ ସଙ୍କଟ ହେତୁ ବିଭିନ୍ନ ସ୍ଥାନରୁ ଅଚାନକ ପିଆଜ ଟ୍ରକ୍ ଆମଦାନୀ ହେଉଥିବା ବେଳେ ଟ୍ରକ ପିଛା ପାଖାପାଖି ୩୦୦ କୁଇଣ୍ଟାଲ ପିଆଜ ରହୁଛି । ଏହାସହ ପୂର୍ବରୁ ମଧ୍ୟ କିଛି ମହଜୁଦ ରହୁଛି, ଏସବରୁ କ୍ଷେତ୍ରରେ ସରକାରଙ୍କ ଆଡଭାଇରି ପାଳନ କରିବାରେ ଅବହେଳା ହେବ ବୋଲି ଓଡିଶା ବ୍ୟବସାୟୀ ମହାସଂଘ ସଂପାଦକ ସୁଧାକର ପଣ୍ଡା କହିଛନ୍ତି ।
ସେପଟେ ସରକାରଙ୍କ ପକ୍ଷରୁ ବେଆଇ ମହଜୁଦକୁ ରୋକିବା ଲାଗି ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଚଢାଉ ହେଉଛି । ତେବେ ଆମଦାନୀ ଉପଯୁକ୍ତ ହେଲେ ଆସନ୍ତା ସପ୍ତାହ ମଧ୍ୟରେ ପିଆଜ ଦର ଆହୁରି ଖସିବ ବୋଲି ଜଣାପଡିଛି ।
More Stories