ସ୍ମିତାରାଣୀ ମୃତ୍ୟୁ ଘଟଣାରେ ଏସପି ଏବଂ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରାଯାଉ- ପ୍ରଦୀପ୍ତ
Advertisement

ସ୍ମିତାରାଣୀ ମୃତ୍ୟୁ ଘଟଣାରେ ଏସପି ଏବଂ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର କରାଯାଉ- ପ୍ରଦୀପ୍ତ

ବହିଷ୍କାର ନ କଲେ ବିଧାନସଭା ଚଳାଇବାକୁ ଦେବୁନି- ପ୍ରଦୀପ୍ତ

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମଳୟ ମହାନ୍ତି, ଭୁବନେଶ୍ୱର: ପିଇଓ ସ୍ମିତାରାଣୀ ବିଶ୍ୱାଳ ମୃତ୍ୟୁ ଘଟଣାରେ ଏସପି ଏବଂ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ତୁରନ୍ତ ବହିଷ୍କାର କରିବାକୁ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ଏହି ଦାବି କରିଛନ୍ତି । ବିଧାନସଭା ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏ ସବୁ ନ କଲେ ବିଧାନସଭା ଅଚଳ କରିଦିଆଯିବ ବୋଲି ପ୍ରଦୀପ୍ତ ନାୟକ ଚେତାବନୀ ଦେଇଛନ୍ତି । ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ତଦନ୍ତରେ ଅବହେଳା ଏବଂ ଶାସକ ଦଳ ନେତାଙ୍କ ସଂପୃକ୍ତି ଅଭିଯୋଗ କରିବା ସହ ବିଜେପି ଏଭଳି ଚେତାବନୀ ଦେଇଛି । 

ଗତକାଲି ବିରୋଧୀ ଦଳ ନେତାଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳ ହରିଦାସପୁର ଗସ୍ତ କରି ପରିବାରଙ୍କୁ ଭେଟିଥିବାବେଳେ ଏସପି ଏବଂ ମହିଳା କମିଶନ ଅଧ୍ୟକ୍ଷାଙ୍କ ଉପରେ ବର୍ଷିଛନ୍ତି । ଏପରିକି ଏସପି ସ୍ମିତାରାଣୀଙ୍କ ଆତ୍ମାକୁ କଳୁଷିତ କରିଥିବାବେଳେ ମହିଳା କମିଶନ ଅଧ୍ୟକ୍ଷା ଶାସକ ଦଳ ନେତାଙ୍କୁ ରକ୍ଷା କରିବାକୁ ତଦନ୍ତ ଭୁଲ ବାଟରେ କରିଛନ୍ତି । ଏପରିକି ତଦନ୍ତ ସମୟରେ ପରିବାର ଲୋକ ଏବଂ ସର୍ମ୍ପକୀୟ ତଦନ୍ତରେ ସାମିଲ ନ କରି ଅଭିଯୁକ୍ତଙ୍କୁ ପଚାରି ତଦନ୍ତ କରାଯାଇଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି । ଏପରିକି ମୃତ୍ୟୁ ଘଟିଥିବା ବେଆଇନ ଘର ବହୁ ପୂର୍ବରୁ ଭଙ୍ଗାଯାଇଥିବା ଆରଆଇ ତହସିଲଦାରଙ୍କୁ ରିପୋର୍ଟ ଦେଇଥିବାବେଳେ ଆଜି କେମିତି ସେ ଘର ଛିଡା ହୋଇଛି ବୋଲି ପ୍ରଶ୍ନ କରାଯାଇଛି । 

ଏପରିକି ଏ ପ୍ରସଙ୍ଗରେ ବିଧାନସଭା ଅଚଳ କରି ଦିଆଯିବା ସହ ଏ ସଂପର୍କରେ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କୁ ବିଜେପି ପ୍ରତିନିଧି ଦଳ ଭେଟି ଅବଗତ କରାଇବ ବୋଲି ବିରୋଧୀ ଦଳ ନେତା କହିଛନ୍ତି । ବିଜେପି ସହ କଂଗ୍ରେସ ବିଧାୟକ ମଧ୍ୟ ସ୍ୱର ମିଳାଇଛନ୍ତି । ଏ ପ୍ରସଙ୍ଗରେ ବିଧାନସଭାକୁ ଅଚଳ କରି ଦିଆଯିବ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି । ଘଟଣାର ତଦନ୍ତ ସମ୍ପୂର୍ଣ୍ଣ ଭୁଲ ଭାବେ କରାଯାଉଥିବାବେଳେ ଶାସକ ଦଳ ନେତାଙ୍କୁ ସୁରକ୍ଷା ଦେବା ପାଇଁ ଯୋଜନା କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ଏପରିକି ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦିଆ ନ ଗଲେ ବିଧାନସଭା ଚଳାଇବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ସୁର । ଅନ୍ୟପକ୍ଷରେ ମହିଳା କମିଶନ ଅଧ୍ୟକ୍ଷା କିନ୍ତୁ ଏ ପ୍ରସଙ୍ଗରେ ବିରୋଧୀଙ୍କୁ କଡା ଜବାବ ଦେଇଛନ୍ତି । କମିଶନଙ୍କ କ୍ଷମତାର ପରିଧି ଭିତରେ ତଦନ୍ତ କରାଯାଇଥିବାବେଳେ ଏ ପ୍ରସଙ୍ଗରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ଡିଜିପିଙ୍କୁ ସୁପାରିଶ କରାଯାଇଛି । ତେଣୁ କିଏ କଣ କହିଲା ତାର କିଛି ମାନେ ନାହିଁ ବୋଲି କହିଛନ୍ତି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ।