ଓଟିିଇଟି ପରୀକ୍ଷାରେ ଗ୍ରେସ ମାର୍କ ମିଳି ନ ଥିବାରୁ ତାତିଲେ ପରୀକ୍ଷାର୍ଥୀ
Advertisement

ଓଟିିଇଟି ପରୀକ୍ଷାରେ ଗ୍ରେସ ମାର୍କ ମିଳି ନ ଥିବାରୁ ତାତିଲେ ପରୀକ୍ଷାର୍ଥୀ

ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ

ସୌଜନ୍ୟ: ସୋସିଆଲ ମିଡିଆ

ଜଗନ୍ନାଥ ପାତ୍ର, ଭୁବନେଶ୍ୱର: ପ୍ରଥମଥର ପାଇଁ ଅନଲାଇନରେ ଓଟିଇଟି ପରୀକ୍ଷା କରାଯାଇଥିବାବେଳେ ସିଲାବସ ବାହାରୁ ପ୍ରଶ୍ନ ଆସିଥିଲା ଓ କିଛି ପ୍ରଶ୍ନ ବିକୃତ ଭାଷାରେ ଆସିଥିଲା । ଏପରିକି ଉତ୍ତରପତ୍ରରେ ମଧ୍ୟ ବ୍ୟାପକ ତ୍ରୁଟି ଦେଖାଯାଇଥିଲା । ଏଣୁ ଅକ୍ଟୋବର ୨୨ ତାରିଖ ଦିନ ଏଥିପାଇଁ ଲୋକସେବା ଭବନରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ତ୍ରୁଟି ସମ୍ପର୍କରେ ଅନୁଧ୍ୟାନ କରାଯାଇଥିଲା । ଅନୁଧ୍ୟାନ ପରେ ତୁରନ୍ତ ନଭେମ୍ବର ୨୧ ତାରିଖ ମଧ୍ୟରେ ତ୍ରୁଟିଶୂନ୍ୟ ପରୀକ୍ଷାଫଳ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ଦାସ । ଏପରିକି ପରୀକ୍ଷାରେ କାହିଁକି ତ୍ରୁଟି ହେଲା ଏବଂ ତ୍ରୁଟି ଯୋଗୁଁ ଗ୍ରେସ ମାର୍କ ଦିଆଯିବ କି ନାହିଁ ଏ ସବୁ ସଂପର୍କରେ ତଦନ୍ତ କରି ସମାଧାନ କରିବାକୁ କଣ୍ଡକ୍ଟିଂ ବୋର୍ଡକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । 

ମାତ୍ର ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଆଶାନୁରୂପକ ଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ । କଟକ ବଜ୍ରକବାଟି ସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ପୁଣିଥରେ ପରୀକ୍ଷାର୍ଥୀ ବୋର୍ଡ ଓ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ନିକଟରେ ଓଟିଇଟି ପରୀକ୍ଷା ଫଳ ପ୍ରକାଶ କରିଥିଲା ବୋର୍ଡ । ମାତ୍ର ରାତି ଅଧିଆ ରିଜେଲ୍ଟ ପ୍ରକାଶ କରିବା ସହିତ ପ୍ରଶ୍ନ ପତ୍ର ଭୁଲ ଥିବା ସେଟ୍‌ ଗୁଡିକରେ ଗ୍ରେସ୍‌ ମାର୍କ କାହିଁକି ମିଳି ନାହିଁ ସେ ନେଇ ପ୍ରଶ୍ନ କରିଛନ୍ତି ପରୀକ୍ଷାର୍ଥୀ । ଏଥିସହିତ କିଛି ଛାତ୍ରୀଙ୍କୁ ଠିକ୍‌ ଉତ୍ତରରେ ସଠିକ ମାର୍କ ମିଳିଥିବା ବେଳେ ଅନ୍ୟ କେତେକ ପରୀକ୍ଷାର୍ଥୀ ସେହି ଉତ୍ତର ଠିକ୍‌ ଲେଖିଥିଲେ ମଧ୍ୟ ମାର୍କ ପ୍ରଦାନ କରାଯାଇ ନ ଥିବା ଅଭିଯୋଗ କରିଛନ୍ତି । ବୋର୍ଡ ରାତି ଅଧିଆ ରେଜେଲ୍ଟ ପ୍ରକାଶ କରିଥିଲେ ମଧ୍ୟ ଓଟିଇଟି ପରୀକ୍ଷା ପାସ ହାର କିମ୍ୱା କେତେ ଜଣ ପରୀକ୍ଷାର୍ଥୀ ପାସ ହୋଇଛନ୍ତି ତାହା କାହିଁକି ୱେବସାଇଡ୍‌ରେ ତଥ୍ୟ ରଖାଯାଇ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । 

ବୋର୍ଡ କର୍ତ୍ତୂପକ୍ଷ ଜାଣିଶୁଣି ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ସହିତ ଖେଳୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ପରୀକ୍ଷାର୍ଥୀ । ଅପରପଟେ ଓଟିଇଟି ରିଜେଲ୍ଟ ପ୍ରକାଶ ସମୟରେ ବି ବୋର୍ଡ କର୍ତ୍ତୂପକ୍ଷ ଗଣମାଧ୍ୟମ ଆଗରେ ଚୁପ ରହିଥିଲେ ଆଜି ବି ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।