Trending Photos
ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଗିନିଜ ବୁକ୍ ୱାର୍ଲ୍ଡ ରେକର୍ଡ ନିଶାରେ ଓଡିଆ ଯୁବକ । ଖବରକାଗଜ ସଂଗ୍ରାହକ ଶଶାଙ୍କ ଶେଖର ଦାଶଙ୍କ ନିଆରା ଉଦ୍ୟମ । ଦୀର୍ଘ ବର୍ଷ ହେବ ରାଜ୍ୟ ଓ ଦେଶ ବିଦେଶର ବିଭିନ୍ନ ଭାଷାଭାଷୀର ଖବର କାଗଜ ସଂଗ୍ରହ କରି ପ୍ରଦର୍ଶନ କରିଛନ୍ତି । ଆଉ ସେସବୁକୁ ଭୁବନେଶ୍ୱର ଇଡକଲ୍ ଅଡିଟୋରିୟମରେ ଆଜି ଅର୍ଥାତ ଶନିବାର ପ୍ରଦର୍ଶନ କରି ଗିନିଜ ବୁକ୍ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ।
ଶଶାଙ୍କ ମତରେ ବିଭିନ୍ନ ପୁରୁଣା ସାମଗ୍ରୀ ସାଇତି ରଖିବାକୁ ତାଙ୍କୁ ଭଲ ଲାଗେ । ଯାହା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ହେବା ସହ ସ୍ମୃତି ହୋଇ ରହିବ । ଏହି ଉଦ୍ଦେଶ୍ୟରେ ୨୦୦୧ ମସିହାରୁ ସେ ଖବରକାଗଜ ସଂଗ୍ରହ କରିବା ଆରମ୍ଭ କରିଦେଇଥିଲେ । ଆଜି ଆୟୋଜିତ ପ୍ରଦର୍ଶନୀରେ ୪ ହଜାର ୪୧୪ଟି ଖବର କାଗଜ ମଧ୍ୟରେ ୧୦୬ଟି ଦେଶର ଓ ୮୮ ଭାଷାର ଖବରକାଗଜ ସେ ପ୍ରଦର୍ଶନ କରିଛନ୍ତି । ବିଭିନ୍ନ ଖବରକାଗଜ, ପତ୍ରିକାକୁ ବର୍ଷ ପରେ ବର୍ଷ ସଂଗ୍ରହ କରି ଏହାର ଆୟୋଜନ କରିଛନ୍ତି ।
ଗିନିଜ ବୁକ୍ ୱାର୍ଲ୍ଡରେ ସ୍ଥାନ ପାଇବାକୁ ଏହାର ପ୍ରମାଣ ସ୍ୱରୂପ ଅଡିଓ ଓ ଭିଡଓ ପଠାଇବାକୁ ଶଶାଙ୍କ କହିଛନ୍ତି । ପୂର୍ବରୁ ସେ ୪ଟି ଲିମକା ବୁକ୍ ରେକର୍ଡ ମଧ୍ୟ ହାସଲ କରିଛନ୍ତି । ଆଜିର ଏହି ପ୍ରଦର୍ଶନୀରେ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ ପରିଦର୍ଶନ କରିବା ସହ ତାଙ୍କୁ ଉତ୍ସାହିତ କରିଥିଲେ । ରାଜ୍ୟ ସରକାର ଓ ସୂଚନା ଲୋକ ସଂପର୍କ ବିଭାଗ ସହ ଆଲୋଚନା କରି ଆବଶ୍ୟକ ସହାୟତା ଦେବା ସହ ଏଥିଲାଗି ସ୍ୱତନ୍ତ୍ର ଲାଇବ୍ରେରୀ ନିର୍ମାଣ କରାଇବାକୁ କହିଛନ୍ତି । ଯାହା ଦ୍ୱାରା ଭବିଷ୍ୟତ ପିଢି ଆମର ପୂର୍ବାବସ୍ଥା ଉପରେ ଅବଗତ ହୋଇପାରିବ ବୋଲି ସେ ମତ ଦେଇଛନ୍ତି ।