କେବେ ଅଭିଜ୍ଞତାରୁ ଶିକ୍ଷାଲାଭ କରିବ ଓଡ଼ିଶା କଂଗ୍ରେସ ?
Advertisement

କେବେ ଅଭିଜ୍ଞତାରୁ ଶିକ୍ଷାଲାଭ କରିବ ଓଡ଼ିଶା କଂଗ୍ରେସ ?

ବୁଡ଼ିଗଲା ଗୋଡ଼ ତଳକୁ ତଳକୁ...

ବୁଡ଼ିଗଲା ଗୋଡ଼ ତଳକୁ ତଳକୁ...

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ଉଧେଇବାକୁ ସବୁ ପ୍ରକାର ଉଦ୍ୟମ କରିଥିଲା କଂଗ୍ରେସ । ସେଥିପାଇଁ ନିର୍ବାଚନର ଠିକ୍ ବର୍ଷେ ପୂର୍ବରୁ ସଭାପତି ପରିବର୍ତ୍ତନ କରାଗଲା । ପ୍ରସାଦ ଗଲେ ଆଉ ନିରଞ୍ଜନ ଆସିଲେ । ସମସ୍ତେ ଭାବୁଥିଲେ ଯେ, ନିରଞ୍ଜନ ବାବୁ ଆସିବା ପରେ କଂଗ୍ରେସ ମୁଣ୍ଡ ଟେକିବ । ଉଭୟ ବିଜେଡି ଓ ବିଜେପିକୁ ମଇଦାନରେ ଟକ୍କର ଦେବ । କିନ୍ତୁ ତାହା ନୋହିଲା । ବାବୁ ସିନା ଆସିଲେ, କିନ୍ତୁ ଫଳ ଜିରୋ ମିଳିଲା । ମାତ୍ର ୯ଟି ବିଧାନସଭା ଆସନରେ ଦଳକୁ ସନ୍ତୁଷ୍ଟ ହେବାକୁ ପଡ଼ିଲା । ସେହିପରି ଏକୋଇର ବଳା ବିଶିକେଶନ ଭଳି କୋରାପୁଟ ଲୋକସଭା ଆସନ କଂଗ୍ରେସ ଖାତାକୁ ଗଲା । ଯୁବ ନେତା ସପ୍ତଗିରି ଉଲ୍ଲାକା ସେଠାରେ ସାଂସଦ ଭାବେ ବିଜୟୀ ହେଲେ । କିନ୍ତୁ ଓଡ଼ିଶାର ବାକି ସବୁ ଆସନରେ ଦଳ ମାଟି କାମୁଡ଼ି ପଡ଼ିଥିଲା । ତେବେ ରାଜନୀତି ସମୀକ୍ଷକ ଓ ବିଶାରଦମାନେ ଏଥିପାଇଁ କଂଗ୍ରେସର ଗୋଷ୍ଠୀ କନ୍ଦଳକୁ ଦାୟୀ କରିଥିଲେ । ଏହା ନିହାତି ସତ୍ୟ । ଦଳୀୟ କନ୍ଦଳ ହିଁ ଦେଶର ସର୍ବ ପୂରାତନ ଦଳକୁ ମାଟି କାମୁଡ଼ିବା ପାଇଁ ବାଧ୍ୟ କରିଥିଲା । ଏହାପରେ ନିରଞ୍ଜନ ବିରୋଧୀ ଗୋଷ୍ଠୀମାନେ ସଭାପତି ପରିବର୍ତ୍ତନ କରିବା ପାଇଁ ସ୍ଥିର କରିଥିଲେ । ସେଥିପାଇଁ ଦିଲ୍ଲୀ ଦରବାରରେ ରାତିରାତି ରହି ହାଇକମାଣ୍ଡଙ୍କୁ ଅନୁରୋଧ କରିବାରେ ଲାଗି ପଡ଼ିଥିଲେ । କିନ୍ତୁ ଏଯାଏ ତାହା ସଫଳ ହୋଇ ନାହିଁ ।
 
ଏବେ ଅଖିଳ ଭାରତୀୟ ଯୁବ କଂଗ୍ରେସ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ମୁହାଁମୁହିଁ ହୋଇଛନ୍ତି । ଯୁବ କଂଗ୍ରେସର ନୂଆ ସଭାପତି ଚୟନ ନେଇ ସୃଷ୍ଟି ହୋଇଛି ବିବାଦ । ପିସିସି ପକ୍ଷରୁ ଏକ କମିଟି କରାଯାଇ କିଭଳି ନୂଆ ଯୁବ କଂଗ୍ରେସ ନିଯୁକ୍ତି ହେବ, ସେନେଇ ମାନସମନ୍ଥନ ଚାଲିଛି । ସେହିପରି ଯୁବ କଂଗ୍ରେସର ବର୍ତ୍ତମାନ କାର୍ଯ୍ୟକାରୀ ସଭାପତି ଲୋକନାଥ ମହାରଥୀ ଯୁବ କଂଗ୍ରେସ ଓଡ଼ିଶା ଇନଚାର୍ଜକୁ ନେଇ ଏହାର ଜବାବ ଦେଇଛନ୍ତି । ଯୁବ କଂଗ୍ରେସ ସଭାପତିଙ୍କ ଶତାଧିକ ସମର୍ଥକ ବାଇକ ଶୋଭାଯାତ୍ରା କରି ଅଖିଳ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରତିଭା ରଘୁବଂଶୀଙ୍କୁ ସାକ୍ଷାତ କରିଛନ୍ତି । ଆଉ ସେ ଅସନ୍ତୋଷ ହେବା ପରେ ନରମି ଯାଇ ନିଜର ସ୍ୱର ବଦଳାଇଛନ୍ତି ପିସିସି ମୁଖିଆ । ତେବେ ଏସବୁ ଅସନ୍ତୋଷ କ'ଣ ବୟାନ କରୁଛି ? ଏହା ଏକ ସୁସ୍ଥ ରାଜନୈତିକ ବାତାବରଣକୁ କେତେ ସୁହାଉଛି ?

ଗୋଷ୍ଠୀ କନ୍ଦଳ, ଦଳ ଛାଡ଼ିବା ଆଦି ପରିସ୍ଥିତି ଯୋଗୁ କଂଗ୍ରେସକୁ ଏହାର ମୂଲ ଚୁକାଇବାକୁ ପଡ଼ିଥିଲା । ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ନେତା ତଥା ବର୍ତ୍ତମାନର ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହାତ ଛାଡ଼ି, ବିଜେଡିରେ ସାମିଲ ହୋଇଥିଲେ । ଦଳର ଜଣେ ଟାଣୁଆ ନେତା ଭାବେ ଦୀର୍ଘ ବର୍ଷ ଧରି କଂଗ୍ରେସରେ ଥିବା ଏହି ନେତା ହଠାତ୍ ଦଳ ବଦଳାଇବା ପରେ ଏହାର ମୂଲ୍ୟ ଦଳକୁ ଦେବାକୁ ପଡ଼ିଥିଲା । ସେହିପରି ସାଲେପୁର କଂଗ୍ରେସର ଅନ୍ୟତମ ଶକ୍ତିଶାଳୀ ନେତା ପ୍ରକାଶ ବେହେରା ହାତ ଛାଡ଼ି ପଦ୍ମ ଧରିଥିଲେ । ଫଳରେ ଏହା ମଧ୍ୟ ଦଳକୁ ଏକ ଶକ୍ତ ଝଟକା ଦେଇଥିଲା । ସେହିପରି ବିଜେପୁରରେ ଅମାନତ୍ ହରାଇବା, ବିରୋଧୀ ଦଳ ଆସନରୁ ମୁକ୍ତ ହେବା, କୃଷ୍ଣ ଶଗରିଆ ଓ ଶ୍ରୀକାନ୍ତ ଜେନାଙ୍କୁ ଦଳରୁ ବିଦା କରିବା, ଦୁଇଟି ଆସନରୁ ନିରଞ୍ଜନ ବାବୁ ହାରିବା ଆଦି ଅନେକ ପ୍ରସଙ୍ଗ ଦଳ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି । କିନ୍ତୁ ଏତେ ସବୁ ସତ୍ତ୍ୱେ ବି ଦଳ ଆତ୍ମସମୀକ୍ଷା କରିବାରେ ବିଫଳ ହୋଇଛି ।

ଚୀନ ଦାର୍ଶନିକ କନଫୁସିୟସ୍ କହିଛନ୍ତି, ଯଦି ପୃଥିବୀକୁ ସଂଶୋଧନ କରିବାକୁ ଚାହଁ, ତେବେ ଆଗ ନିଜ ଜାତିକୁ ସଂଶୋଧନ କର, ନିଜ ଜାତିକୁ ସଂଶୋଧନ କରିବାକୁ ଯଦି ଅଭିଳାଷ ଥାଏ, ତେବେ ଆଗେ ନିଜେ ନିଜର ପରିବାରକୁ ସଂଶୋଧନ କର । ନିଜ ପରିବାରକୁ ଯଦି ସଂଶୋଧନ କରିବାକୁ ଚାହଁ, ତେବେ ଆଗେ ନିଜକୁ ସଂଶୋଧନ କର । ତେଣୁ, କଂଗ୍ରେସକୁ ସଂଶୋଧନ କରିବାକୁ ହେଲେ ପ୍ରଥମେ ଦଳର ସବୁ ନେତାଙ୍କୁ ସୁଧୁରିବାକୁ ପଡ଼ିବ । ଆଉ ସଉତୁଣୀ ଭଳି ନ ରହି ଗୋଷ୍ଠୀ କନ୍ଦଳକୁ ଦୂରେଇବାକୁ ପଡ଼ିବ । ତା'ହେଲେ ଯାଇ ଆଗାମୀ ଦିନରେ କଂଗ୍ରେସର ଉଧେଇବା ସମ୍ଭାବନା ବଢ଼ିଯିବ । ନଚେତ୍ ଦଳ ରାଜ୍ୟରୁ କୁଆଡ଼େ ଉଭେଇ ଯିବ ।