)
ପୁରୀ: ଶେଷରେ ପିପିଲି ଉପନିର୍ବାଚନ ପାଇଁ ଆଜି ବିଜେଡି ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ସ୍ୱର୍ଗତଃ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ଦଳ ପ୍ରାର୍ଥୀ କରିଥିବା ନେଇ ବିଜେଡି ଘୋଷଣା କରିଛି । ଯାହାଫଳରେ ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ତେବେ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିବା ପରେ ରୁଦ୍ରଙ୍କ ପ୍ରତିକ୍ରିୟା କଣ ଥିଲା ତାହା ଜାଣିବାକୁ ରୁଦ୍ରଙ୍କ ପାଖରେ ପହଞ୍ଚିଯାଇଥିଲେ ଗଣମାଧ୍ୟମ । ପ୍ରତିକ୍ରିୟା ଦେବା ବେଳେ ବାପାଙ୍କ କଥା କହି କାନ୍ଦି ପକାଇଥିଲେ ରୁଦ୍ର ।
ଜନତାଙ୍କ ଆଶୀର୍ବାଦ ଓ ଭଲପାଇବା, ମୁଖ୍ୟମନ୍ତ୍ରୀ (Chief Minister Naveen Patnaik) ଙ୍କ ବିଶ୍ୱାସ ଯୋଗୁଁ ତାଙ୍କୁ ଏହି ଟିକେଟ ମିଳିଛି । ଏହି ଭରସା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିବା ସହ ଡେଲାଙ୍ଗ ଓ ପିପିଲି ମାଟିର ଉନ୍ନତି ସହ ପ୍ରଗତି ପାଇଁ ନିଜର ଜୀ ଜାନ ଲଗାଇଦେବାକୁ କହିଛନ୍ତି ରୁଦ୍ର । ଏହି ସମୟରେ ବାପାଙ୍କ କଥା ମନେ ପକାଇ କାନ୍ଦି ପକାଇଥିଲେ ରୁଦ୍ର (Rudra Maharathy) । ପୁରୀ, ଡେଲାଙ୍ଗର ଅଧୁରା କାମ ସହ ବାପାଙ୍କ ଅଧୁରା ସ୍ୱପ୍ନକୁ ପୁରା କରିବା ପାଇଁ ସେ କହିଛନ୍ତି।
ଗତବର୍ଷ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରଠାରୁ ପିପିଲି (Pipili Assembly Seat) ବିଧାନସଭା ଆସନ ଖାଲିପଡ଼ିଛି। କିଛିଦିନ ତଳେ ଗଣମାଧ୍ୟମରେ ସ୍ୱର୍ଗତଃ ମହାରଥୀଙ୍କ ପତ୍ନୀ ଓ ପୁତ୍ର ଉଭୟ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ବୋଲି କହିଥିଲେ ।ଆଉ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ରୁଦ୍ର ମହାରଥୀ (Rudra Maharathy) ଙ୍କୁ ଭରସିଛନ୍ତି ନବୀନ ।
ପିପିଲି ଉପନିର୍ବାଚନ (Pipili By poll)ପାଇଁ ତାରିଖ ଘୋଷଣା ପରେ ଆଚରଣ ବିଧି ଲାଗୁ ହୋଇଛି ।
ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଥିବା ବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖକୁ ଧାର୍ଯ୍ୟ କରାଯାଇଛି । ମେ ୨ ତାରିଖରେ ଭୋଟ ଗଣତି ସହ ରେଜଲ୍ଟ (By poll Election Result) ପ୍ରକାଶ କରାଯିବ ।