)
ସରୋଜ ବେହେରା, ଭୁବନେଶ୍ବର: ଶିଶୁ ହେଉଛି ଦେଶର ଭବିଷ୍ୟତ । ଶିଶୁ ସୁରକ୍ଷିତ ରହିଲେ ଦେଶ ଆଗକୁ ବଢିବ ବୋଲି ଆମେ ସବୁବେଳେ କହିଆସୁଛୁ। ହେଲେ ବେଶ କିଛି ଦିନ ତଳେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ନୟାଗଡ ପରୀ ହତ୍ୟା ମାମଲା ଭଳି ଅନେକ ମାମଲା ଶିଶୁଙ୍କ ଉପରେ ହେଉଥିବା ନିର୍ଯାତନା କଥା ପଦାରେ ପକାଇଛି। ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା । ବହୁ ବାଦବିବାଦ ପରେ ଶେଷରେ ନୟାଗଡ ପୋକ୍ସୋ କୋର୍ଟରେ ମାମଲାର ଶୁଣାଣୀ ଆରମ୍ଭ ହୋଇଥିଲା ।
ମାମଲା ଶୁଣାଣୀକୁ ବର୍ତ୍ତମାନ ୪ ମାସ ବିତିବାକୁ ବସିଲାଣି । ହେଲେ ଶୁଣାଣୀ ନାଁ କୁ ମାତ୍ର ଆଗେଇଛି । କେବଳ ଏ ଗୋଟାଏ ମାମଲା ନୁହେଁ ରାଜ୍ୟରେ ଏଭଳି ଅନେକ ମାମଲା ରହିଛି ଯେଉଁଥିରେ ଅଭିଯୁକ୍ତଙ୍କ ବିରୋଧରେ ବର୍ଷ ବର୍ଷ ଧରି ମାମଲା ଚାଲିଥିବା ବେଳେ ଦୋଷୀ ସାବ୍ୟସ୍ତ ହୋଇପାରୁନାହାଁନ୍ତି । ରାଜ୍ୟରେ ଦିନକୁ ଦିନ ଉଦ୍ବେଗ ହେବାରେ ଲାଗିଛି ଶିଶୁ ଯୌନ ନିର୍ଯାତନା ମାମଲା । ଅଭିଯୋଗ ଆସିଲେ ପୋଲିସ କେବଳ ମାମଲା ରୁଜୁ କରି ଚୁପ ବସି ଯାଉଥିବା ବେଳେ ସୁପ୍ରିମକୋର୍ଟ (Supreme Court) ଙ୍କ ନିର୍ଦ୍ଦେଶରେ ହୋଇଥିବା ସ୍ବତନ୍ତ୍ର ପୋକ୍ସୋ କୋର୍ଟରେ ନାହାନ୍ତି ସ୍ବତନ୍ତ୍ର ଅଧିକାରୀ । ଫଳରେ ଦୋଷୀଙ୍କ ବିରୋଧରେ ଉପଯୁକ୍ତ ଦଣ୍ଡବିଧାନ କରାଯାଇପାରୁନାହିଁ । ରାଜ୍ୟରେ ବର୍ତମାନ ୨୧ଟି ଜିଲ୍ଲାରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ (Pocso Court) ଥିବା ବେଳେ ସେଠାରୁ ଉପଯୁକ୍ତ ପରିମାଣର ଅଧିକାରୀ ଓ ସରକାରୀ ଓକିଲଙ୍କ ସଂଖ୍ୟା ନ ଥିବାରୁ ମାମଲା ବର୍ଷ ବର୍ଷ ଧରି ଗଡିଚାଲାଛି ବୋଲି କହିଛନ୍ତି ଚାଇଲ୍ଡ ଲାଇନ (Child Line) ସଦସ୍ୟ ବେଣୁଧର ସେନାପତି।
ଅନେକ ସମୟରେ ନାବାଳକ ନାବାଳିକା ନିର୍ଯାତନା ନେଇ ଅଭିଯୋଗ ଆସିଲେ ପୋଲିସ୍ (Police) କେବଳ ମାମଲା ରୁଜୁ କରି ଦାୟିତ୍ବ ସାରି ଦେଉଛି, ହେଲେ ଶିଶୁଙ୍କୁ ନ୍ୟାୟ ମିଳୁନାହିଁ । ଏନସିଆରବି (NCRB) ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୧୭ରୁ ୨୦୧୯ ଦୁଇ ବର୍ଷରେ ରାଜ୍ୟରେ ଶିଶୁ ଯୌନ ନିର୍ଯାତନା ସମ୍ପର୍କିତ ୪ହଜାର ୧୭୨ଟି ମାମଲା ରୁଜୁ ହୋଇଛି । ୨୦୧୭ରେ ସାରା ରାଜ୍ୟରେ ୨୪୯ଟି ଶିଶୁ ଯୌନ ନିର୍ଯାତନା ମାମଲା ରୁଜୁ ହୋଇଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ବଢି ୧୮୮୯ରେ ପହଂଚିଥିଲା । ୨୦୧୯ରେ ସବୁ ରେକର୍ଡ ଭାଙ୍ଗିଥିଲା । ରାଜ୍ୟରେ ୨୧୨୪ ଜଣ ଶିଶୁ ଯୌନ ନିର୍ଯାତନା (Child Sexual Assult)ର ଶିକାର ହୋଇଥିବା ବେଳେ ବିଭିନ୍ନ ଥାନାରେ ୨୦୩୬ଟି ମାମଲା ରୁଜୁ ହୋଇଥିଲା । ୨୦୧୭ ତୁଳନାରେ୨୦୧୯ରେ ୭୧୮% ମାମଲା ବୃଦ୍ଧି ପାଇଛି ।
ନିୟମ କହୁଛି, ମାମଲା ରୁଜୁ ହେବାର ୬୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ ହେବା ଆବଶ୍ୟକ । ହେଲେ ପୋଲିସ୍ ଅବହେଳା ପାଇଁ ଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ହୋଇପାରୁନାହିଁ । ସୁପ୍ରିମକୋର୍ଟ (Supreme Court) ଙ୍କ ନିର୍ଦ୍ଦେଶ ପରେ ରାଜ୍ୟରେ ୨୧ଟି ଜିଲ୍ଲାରେ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଗଠନ କରାଯାଇଥିଲା । ଶହେରୁ ଅଧିକ ମାମଲା ରୁଜୁ ହୋଇଥିବା ଜିଲ୍ଲାରେ ଏ ସବୁ କୋର୍ଟ ଗଠନ କରାଯାଇଥିଲା । ଫଇସଲା ହୋଇପାରୁନଥିବା ମାମଲା ଗୁଡାକୁ ଯଥାଶୀଘ୍ର ସମାଧାନ କରିବାକୁ ପୂର୍ବରୁ ଅନେକ ବାର ସରକାରଙ୍କୁ ଅବଗତ କରିଛି ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ । ଏହା ପରେ ବି ଏବେ ବି ଅନେକ ଶିଶୁ ନ୍ୟାୟ ପାଇବା ଅପେକ୍ଷାରେ ରହିଛନ୍ତି । ଏଥିପାଇଁ ଗୁରୁତର ସହ ନେଇ ପୋକ୍ସୋ କୋର୍ଟ (Pocso Court) ରେ କିଭଳି ତ୍ବରାନ୍ବିତ ଫଇସଲା କରାଯିବ ତାହା ଉପରେ ଗୁରୁତ୍ବ ଦିଆଯିବ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାରୀ କମିଶନର ସନ୍ଧ୍ୟାବତି ପ୍ରଧାନ ।
ନିର୍ଭୟା (Nirbhaya Case) ଠାରୁ ଆରମ୍ଭ କରି ହାତରସ (Hathras Case) ଭଳି ଘଟଣାରେ ତ୍ବରିତ ନ୍ୟାୟ ମିଳିପାରିନାହିଁ । ଶିଶୁ ଯୌନ ନିର୍ଯାତନା ମାମଲାରେ ଯେଉଁଭଳି ଦୃତ ପଦକ୍ଷେପ ନେବା କଥା ତାହାର ଢେର ଅଭାବ ଦେଖାଦେଇଛି । ତେଣୁ ଶିଶୁ ଯୌନ ନିର୍ଯାତନା ମାମଲା ଗୁଡିକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଶେଷ କରିବାକୁ ପଦକ୍ଷେପ ନିଆଯାଉ । ରାଜ୍ୟ ମଧ୍ୟ ଏ ବାବଦରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ । ପ୍ରତି ଶିଶୁକୁ ନ୍ୟାୟ ମିଳିବା ପାଇଁ ବ୍ୟବସ୍ଥାରେ ପରିବର୍ଭନ ଆବଶ୍ୟକ ହୋଇ ପଡିଛି । ପ୍ରତି ଶିଶୁକୁ ନ୍ୟାୟ ମିଳିବା ପାଇଁ ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ହୋଇପଡ଼ିଛି ।
Edited: Zee Odisha Desk