ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ ଘଟଣା, ଭିସେରା ଖୋଲିବ ରହସ୍ୟ !
Advertisement

ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ ଘଟଣା, ଭିସେରା ଖୋଲିବ ରହସ୍ୟ !

ଛାତରୁ ପଡ଼ି ଛାତ୍ରୀଙ୍କ ମୃତ୍ୟୁ ଘଟଣା ସତରେ କ'ଣ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିଲେ ? ଯଦି ଆତ୍ମହତ୍ୟା କରିଥିଲେ, କ'ଣ ଥିଲା କାରଣ ? ଆଉ ଯଦି ଏହା ଆତ୍ମହତ୍ୟା ନୁହେଁ, ତେବେ ହତ୍ୟା ପଛରେ ଦାୟୀ କିଏ ? ଏବେ ରହସ୍ୟ ଉପରୁ ପରଦା ହଟାଇବ ଭିସେରା ରିପୋର୍ଟ !

ପ୍ରତୀକାତ୍ମକ ଫଟୋ

ସରୋଜ ବେହେରା, ଭୁବନେଶ୍ୱର: ବିଜେବି ନଗର ଗୀତାଞ୍ଜଳି ଆପାର୍ଟମେଣ୍ଟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ରହସ୍ୟ ଉପରୁ ପରଦା ଉଠାଇବା ପାଇଁ କମିଶନରେଟ ପୋଲିସ ମଧ୍ୟ ଚଳାଇଛି ଉଦ୍ୟମ । ପୋଷ୍ଟମର୍ଟମ ପରେ ଏବେ ଭିସେରା ରିପୋର୍ଟ ପାଇଁ ପଠାଇଛି ପୋଲିସ । ଭିସେରା ରିପୋର୍ଟ ଆସିବା ପରେ ଛାତ୍ରୀଙ୍କ ମୃତ୍ୟୁର ଅସଲ କାରଣ ପଦାକୁ ଆସିବ ବୋଲି ଆଶା କରାଯାଉଛି । ସେପଟେ ପୋଲିସ କେବଳ ମୃତ୍ୟୁର ଅପରାଧ ଦିଗକୁ ନ ଦେଖି ଏହା ପଛରେ ଥିବା କାରଣ ଖୋଜିଲେ ଅସଲ କାରଣ ପଦାକୁ ଆସିବ ବୋଲି ମତ ପ୍ରକାଶ କରିଛନ୍ତି ମନସ୍ତାତ୍ତ୍ୱିକ ।

ଭିସେରା ରିପୋର୍ଟ ଖୋଲିବ ମୃତ୍ୟୁ ରହସ୍ୟ । ଭୁବନେଶ୍ୱର ବିଜେବି ନଗର ଗୀତାଞ୍ଜଳି ଆପାର୍ଟମେଣ୍ଟରେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ପରେ ମୃତକାଙ୍କ ଭିସେରାକୁ ଅଧିକ ତଦନ୍ତ ପାଇଁ ପଠାଇଛି ପୋଲିସ । ଘଟଣାକୁ ପ୍ରାୟ ସପ୍ତାହେ ବିତିବାକୁ ବସିଥିବା ବେଳେ ଛାତ୍ରୀଙ୍କ ମୃତ୍ୟୁ ଛାତରୁ ପଡି ହୋଇଛି ନା ବିଷ ପାନ କରି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନି । ଏଥିପାଇଁ ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ । ପୋଷ୍ଟମର୍ଟମ ରିପୋର୍ଟରେ ମୁଣ୍ଡରେ ଆଘାତ ଓ ରକ୍ତସ୍ରାବ ଯୋଗୁଁ ମୃତ୍ୟୁ ଘଟିଥିବା କଥା ପଦାକୁ ଆସିଥିଲା । ହେଲେ ଏହି ରିପୋର୍ଟକୁ ସହଜରେ ଗ୍ରହଣ କରିପାରୁନାହିଁ ପୋଲିସ । ଏଥିପାଇଁ ଅଧିକ ତଦନ୍ତ ପାଇଁ ଛାତ୍ରୀଙ୍କ ଭିସେରାକୁ ରାଜ୍ୟ ଫରେନସିକ୍ ଲାବକୁ ପଠାଯାଇଛି । ଭିସେରା ରିପୋର୍ଟ ଆସିବା ପରେ ଛାତ୍ରୀ ବିଷପାନ କରିଛନ୍ତି କି ନାହିଁ, ତାହା ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି । ଅନ୍ୟ ଆତ୍ମହତ୍ୟା କିମ୍ବା ଦୁର୍ଘଟଣା ଭଳି ପୋଲିସ ଘଟଣାକୁ ହାଲୁକା ଭାବେ ନ ନେଇ ଭିସେରା ରିପୋର୍ଟକୁ ସେଭଳି ଗୁରୁତର ସହ ନେବା ଉଚିତ ବୋଲି କହିଛନ୍ତି ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ।

ଛାତ୍ରୀ ଜଣକ ମୃତ୍ୟ ପୂର୍ବରୁ ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିଲେ । ତାଙ୍କ ଇନଷ୍ଟାଗ୍ରାମରେ ସେ ଯେଭଳି ପୋଷ୍ଟ କରିଥିଲେ ତାହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା । ଇନଷ୍ଟାଗ୍ରାମ ପୋଷ୍ଟରୁ ଛାତ୍ରୀଜଣକ ମାନସିକ ଦୁଃଚିନ୍ତାରେ ଥିବା ଜଣାପଡିଥିଲା । ମୃତ୍ୟୁ ବେଳକୁ ଛାତ୍ରୀଙ୍କ ମଥାରେ ଇଂରାଜୀରେ ଲେଖା ହୋଇଥିବା 'ପରଫେକ୍ଟ' ଶବ୍ଦକୁ ନେଇ ପୋଲିସ ମଧ୍ୟ ଦ୍ୱନ୍ଦରେ ରହିଥିଲା । ହେଲେ ସେ ସବୁ ପୋଷ୍ଟ କିମ୍ବା ଲେଖାକୁ ପୋଲିସ ସେତିକି ଗୁରୁତ୍ୱ ଦେଉ ନ ଥିବା ମନସ୍ତତ୍ତ୍ୱବିତଙ୍କୁ ଚକିତ କରିଛି । ପୋଲିସ ଅପରାଧିକ ଦିଗ ସହ ମାନସିକ ଦିଗକୁ ନେଇ ତଦନ୍ତ କଲେ ଏହା ପଛରେ ଥିବା ଅନେକ କାରଣ ପଦାକୁ ଆସିବ ବୋଲି ମନସ୍ତତ୍ତ୍ୱବିତ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ମୌସୁମୀ ସେଠୀ ଆଶା ପ୍ରକାଶ କରିଛନ୍ତି ।

ଆହୁରି ପଢ଼ନ୍ତୁ; ୪୦ ବର୍ଷ ପୂର୍ବରୁ 'କରୋନା' କୁ ନେଇ ଭବିଷ୍ୟବାଣୀ କରିଥିଲା ଏହି ବହି...