ରାଜ୍ୟସଭା ରେସ୍: ଶାସକ ଦଳରେ ମାଳ ମାଳ ଆଶାୟୀ
Advertisement

ରାଜ୍ୟସଭା ରେସ୍: ଶାସକ ଦଳରେ ମାଳ ମାଳ ଆଶାୟୀ

ଏଥର ବି 'ଅଶ୍ୱିନୀ ବୈଷ୍ଣବ' ଫର୍ମୁଲା !

ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଚଳଚଞ୍ଚଳ ହୋଇଛି ରାଜ୍ୟ ରାଜନୀତି । ସଂଖ୍ୟା ଦୃଷ୍ଟିରୁ ବିଜେଡ଼ିର ପଲାଭାରି ଥିବାରୁ ବିଜେଡ଼ି କାହାକୁ ପ୍ରାର୍ଥୀ କରିବ, ତା ଉପରେ ସମସ୍ତଙ୍କ ନଜର ରହିଛି ? ଦଳ ଭିତରେ ନେତାଙ୍କ ଲବି ଜୋରଦାର ହୋଇଛି । ହାରିଥିବା ନେତାଙ୍କୁ ଥଇଥାନ କରିବେ ନା କଥା ଦେଇଥିବା କଥା ରଖିବେ, କେଉଁ ଭିତ୍ତିରେ କେଉଁ କ୍ଷେତ୍ରରୁ କାହାକୁ ବାଛିବେ ନବୀନ, ତାକୁ ନେଇ ଚାଲିଛି ଅଙ୍କକଷା । ବିଜେଡ଼ିରେ ଆଶାୟୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ କେହି କିନ୍ତୁ ମୁହଁ ଖୋଲୁନାହାନ୍ତି । ସମସ୍ତଙ୍କ ଭରସା ନବୀନଙ୍କ ଉପରେ । ଏପଟେ ବିଜେପି ମଧ୍ୟ ଗୋଟିଏ ଆସନ ଉପରେ ନଜର ପକାଇଛି । ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ଜିତିବାର ସକ୍ଷମ ନଥିଲେ ବି ରାଜନୀତି ଗଣିତରେ ଦଳୀୟ ବିଧାୟକଙ୍କ ଉପରେ ବି ନଜର ରହିଛି ।

ଭୁବନେଶ୍ୱରର ପୂର୍ବତନ ସାଂସଦ ପ୍ରସନ୍ନ ପାଟଶାଣୀ ଗତ ନିର୍ବାଚନ ସମୟରେ ଟିକେଟରୁ ବଞ୍ଚିତ ହେବା ପରେ ରାଜ୍ୟସଭା ଉପରେ ତାଙ୍କର ନଜର ରହିଛି । ସେତେବେଳେ ବିଜେଡ଼ି ସୁପ୍ରିମୋ ତାଙ୍କୁ ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ପ୍ରତିଶ୍ରୁତି ପାଳନର ସମୟ ବୋଲି ପାଟଶାଣୀ ଆଶା କରିଛନ୍ତି । ନବୀନ ବାବୁ କଥା ଦେଇ କଥା ରଖନ୍ତି, ତେଣୁ ମୋର ଆଶା ଅଛି ବୋଲି ପ୍ରସନ୍ନ କହିଛନ୍ତି । ବ୍ରହ୍ମଗିରିରୁ ହାରିବା ପରେ ଯୁବ ନେତା ସଂଜୟ ଦାସବର୍ମାଙ୍କୁ ଯଦିଓ ମୁଖ୍ୟାଳୟ ସମ୍ପାଦକର ଦାୟିତ୍ୱ ମିଳିଛି, ହେଲେ ତାଙ୍କ ନଜର ବି ରାଜ୍ୟସଭା ଆସନ ଉପରେ । ଏଥିପାଇଁ ଜୋରଦାର ଲବି ଆରମ୍ଭ କରିଦେଇଛନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ସୁପ୍ରିମୋଙ୍କ ଉପରେ ନଜର ବୋଲି ସେ କହିଛନ୍ତି । 

ସେହିପରି ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଅନଙ୍ଗ ଉଦୟ ସିଂହଦେଓଙ୍କ ଦୁଇ ପୁଅ ଗତ ନିର୍ବାଚନରେ ହାରିବା ପରେ ରାଜ୍ୟସଭା ଉପରେ ବି ପରିବାରର ନଜର ରହିଛି । ଜିଲ୍ଲା ସଭାପତି ବି ହାତରୁ ଯାଇଛି, ରାଜ୍ୟ ପରିଷଦରେ ବି ସ୍ଥାନ ମିଳିଲାନି, ଏବେ ରାଜ୍ୟସଭା ପାଇଁ ତାଙ୍କ ବାଲ୍ୟବନ୍ଧୁଙ୍କ ଉପରେ ବି ସେ ଭରସା କରିଛନ୍ତି । ବିଜେଡ଼ିର ୩ ଆସନ ନିଶ୍ଚିତ ଥିବାରୁ ଆଶାୟୀଙ୍କ ସଂଖ୍ୟା ଧିରେ ଧିରେ ବଢିଚାଲିଛି ।

ରମେଶ ଚ୍ୟାଉ ପଟ୍ଟନାୟକଙ୍କୁ ଗତ ନିର୍ବାଚନରେ ଟିକେଟ ମିଳିନଥିଲା । ସେହିପରି ସାଂସଦ ଭାବେ ଲଢ଼ି ହାରିଯାଇଥିବା ନେତା ନଳିନୀ ପ୍ରଧାନ, ରବୀନ୍ଦ୍ର ଜେନା ଓ ପୁଷ୍ପନ୍ଦ୍ର ସିଂହଦେଓ ବି ଅଶ।।ୟୀ ତାଲିକାରେ ଅଛନ୍ତି । ଦଳୀୟ ନେତାଙ୍କ ଉପରେ ନବୀନ ଭରସା କରିବେ କି ଦଳ ବାହାରୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଗୁରୁତ୍ୱ ଦେବେ, ତାହା ବି ଗୁରତ୍ୱପୂର୍ଣ୍ଣ । ଏପଟେ ବିଜେପି ମଧ୍ୟ ଗୋଟିଏ ଆସନ ଆଶାରେ ରହିଛି । ଦଳର ରାଷ୍ଟ୍ରୀୟ ନେତା ବିଜେଡ଼ି ସହ କିପରି ବୁଝାମଣା କରି ଆସନ ହାତେଇବେ, ତା ଉପରେ ବି ନଜର ରହିଛି । ଏପଟେ କଂଗ୍ରେସ ଲଢ଼ିବା ପାଇଁ ସକ୍ଷମ ନଥିଲେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରେ । ବିଜେଡ଼ି-ବିଜେପି ବୁଝାମଣା ଯୋଗୁଁ ୨-୨ ଆସନ ନେବେ ବୋଲି କଂଗ୍ରେସ ନେତା କହିଛନ୍ତି ।

ନାମାଙ୍କନ ଦାଖଲର ଦିନ ଯେତିକି ପାଖେଇ ଆସୁଛି, ରାଜ୍ୟ ରାଜନୀତି ସେତିକି ଉଷ୍ମ ହେଉଛି । ମିଡ଼ିଆରେ ଚର୍ଚ୍ଚା ହେଉଥିବା ନେତାଙ୍କ ମଧ୍ୟରୁ କାହାକୁ ନବୀନ ବାଛିବେ ନା ଆଉ ଏକ ମାଷ୍ଟର ଷ୍ଟ୍ରୋକ୍ ଖେଳିବେ ? କଂଗ୍ରେସ ଭୋଟଦାନରୁ ବିରତ ରହିବ ନା କାହାକୁ ସମର୍ଥନ କରିବ ? ବିଜେପି ପ୍ରାର୍ଥୀ ଦେବ ନା ବିଜେଡ଼ି ଡ଼ଙ୍ଗାରେ ପାର ହେବ, ଏସବୁ ଉପରେ ସମସ୍ତଙ୍କ ନଜର ରହିଛି ।

ଆହୁରି ପଢ଼ନ୍ତୁ; ଦିଲ୍ଲୀ ହିଂସା: ୨୪ ଘଣ୍ଟା ମଧ୍ୟରେ ୩ଥର ବୈଠକ ଡାକିଲେ ଶାହ