ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବାକୁ ପ୍ରସ୍ତାବ

କୋଭିଡ଼ ହସ୍ପିଟାଲ ସ୍ଥାପନ ପାଇଁ ଭୁବନେଶ୍ୱର ଜୟଦେବ ବିହାରରେ ଅଚଳ ହୋଇପଡ଼ିଥିବା ଡାକ୍ତରଖାନାକୁ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । 

ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବାକୁ ପ୍ରସ୍ତାବ
ଫାଇଲ ଫଟୋ

ଭୁବନେଶ୍ୱର: ରାଜ୍ୟରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ ପାଇଁ ପ୍ରସ୍ତାବ । ଏହି ପ୍ରସ୍ତାବ ଦେଇଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଏପରି ପ୍ରସ୍ତାବ ଦେଇଛନ୍ତି । ଓଡ଼ିଶାରେ କୋଭିଡ୍ ହସ୍ପିଟାଲ ସ୍ଥାପନ ହେଲେ ସଂକ୍ରମଣକୁ ସହଜରେ ରୋକାଯାଇପାରିବ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ । 

ତେବେ କୋଭିଡ଼ ହସ୍ପିଟାଲ ସ୍ଥାପନ ପାଇଁ ଭୁବନେଶ୍ୱର ଜୟଦେବ ବିହାରରେ ଅଚଳ ହୋଇପଡ଼ିଥିବା ଡାକ୍ତରଖାନାକୁ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏହି ହସ୍ପିଟାଲରେ ସମସ୍ତ ସୁବିଧା ଥାଇ ମଧ୍ୟ ବନ୍ଦ ହୋଇ ପଡ଼ିଛି । ତେଣୁ ଏହି ବହୁତଳ ବିଶିଷ୍ଟ କୋଠାକୁ ଖୁବଶୀଘ୍ର ପୂର୍ଣ୍ଣାଙ୍ଗ କୋଭିଡ୍ ହସ୍ପିଟାଲରେ ପରିଣତ କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । 

ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ଯଦିଓ କୋରୋନା ନିୟନ୍ତ୍ରଣରେ ଅଛି, ତେବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗୁଆ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ । କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଚିକିତ୍ସାଳୟ ହୋଇପାରିଲେ ରୋଗୀଙ୍କ ଚିକିତ୍ସାକୁ ଆହୁରି ତ୍ୱରାନ୍ୱିତ କରାଯାଇପାରିବ ବୋଲି ମନ୍ତ୍ରୀ କହିଛନ୍ତି ।