ହିତାଂଶୁ ଶେଖର ମହାନ୍ତ, ଭୁବନେଶ୍ୱର: ଆଜ୍ଞା ହଁ, ଟିକେ ସତର୍କ ନ ହେଲେ ଆପଣଙ୍କୁ ପୂରା ଠକି ଦେବେ ଏହି ଠଗ୍ସ ଅଫ୍ ହିନ୍ଦୁସ୍ତାନ । ତେବେ କିଏ ଏମାନେ ? ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ । ଏବେ ସାରା ଦେଶରେ ଚାଲିଛି ପାର୍ବଣର ଋତୁ । ସାରା ଦେଶରେ ଚାଲିଛି ଖୁସିର ମାହୋଲ । ଏଭଳି ସ୍ଥିତିରେ ଆପଣଙ୍କ ଖୁସିକୁ କାହାରି ନଜର ନ ଲାଗୁ । ସେଥିପାଇଁ ଆଜି ଆପଣ ଆମର ଏହି ଆଲେଖ୍ୟକୁ ପଢ଼ିବା ଜରୁରୀ । ଗତ କିଛିଦିନ ମଧ୍ୟରେ ମରୁଧରାର ରାଜ୍ୟ ରାଜସ୍ଥାନରେ ଠକେଇର ୧୫ରୁ ଅଧିକ ମାମଲା ସାମ୍ନାକୁ ଆସିଛି । ଆଉ ଏହାର ସବୁଠୁ ଅଧିକ ଶିକାର ହୋଇଛନ୍ତି ମହିଳା । ଆଶ୍ଚର୍ଯ୍ୟର କଥା, ଠକେଇର ଏସବୁ ଘଟଣା ଭିଆଉଥିବା ଅପରାଧୀ ରହୁଛନ୍ତି ସାତ ସମୁଦ୍ର ତେରନଈ ଆରପାରେ । ଏପରି ସ୍ଥିତିରେ ଆଜି ଆମେ ଆପଣଙ୍କୁ କିଛି ଏପରି ଘଟଣା ସହ ପରିଚିତ କରାଇବୁ, ଆଉ ଆପଣଙ୍କୁ ସତର୍କ କରିବୁ, ଯେପରି କୌଣସି ଠକାମୀର ଶିକାର ହେବାରୁ ଆପଣ ବର୍ତ୍ତି ପାରିବେ । ଆପଣଙ୍କ ପରିବାରରେ ମଧ୍ୟ ସୁଖଶାନ୍ତି ବଜାୟ ରହିବ । ତେଣୁ ଆଜି ଆପଣଙ୍କ ସତର୍କତା ଓ ସୁରକ୍ଷାର କଥା ଜଣାଇବୁ, କିପରି ଆପଣ ରହିବେ ସାବଧାନ । କାରଣ ଆପଣଙ୍କ ଉପରେ ନଜର ରଖିଛନ୍ତି ଠଗ୍ସ ଅଫ୍ ହିନ୍ଦୁସ୍ତାନ । ବିଦେଶୀ ଠକ ବିଛାଇଛନ୍ତି ଜାଲ । କେବେ ଫୋନ ତ କେବେ ସୋସିଆଲ ମିଡିଆ । ଠକାମୀର ସବୁଠୁ ସହଜ ରାସ୍ତା । କେବେ ଲଟେରୀର ଲୋଭ । କେବେ କ୍ୟାସ୍ ବ୍ୟାକର ମୋହ । ଲୋଭନୀୟ ଅଫର ଦେଇ ଶିକାର । ଗତ କିଛଦିନରେ ବଢ଼ିଛି ଏପରି ଘଟଣା । ସାମ୍ନାକୁ ଆସିଛି ଚମକାଇଲା ଭଳି ସତ । ପାର୍ବଣ ଋତୁରେ ଠକିନେବେ ଠକ । ଆପଣଙ୍କ ପକେଟ ଝାଡ଼ିବାକୁ ପୂରା ପ୍ରସ୍ତୁତ । ଏହି ବଦମାସଙ୍କଠାରୁ ସଜାଗ ରୁହନ୍ତୁ । ଆପଣଙ୍କ ସତର୍କତା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ଆପଣଙ୍କ ଖୁସି ପାଲଟି ନ ଯାଉ ଦୁଃଖ । ରୁହନ୍ତୁ ସଜାଗ, ରୁହନ୍ତୁ ସାବଧାନ । କାରଣ ନୂଆ ଶିକାର ଖୋଜୁଛନ୍ତି ଠଗ୍ସ ଅଫ୍ ହିନ୍ଦୁସ୍ତାନ । ତେବେ ରାଜସ୍ଥାନରେ ଆଜିକାଲି ଠକେଇ ଘଟଣାର ବନ୍ୟା ଆସିଯାଇଛି ସତେଯେମିତି । ପ୍ରତିଦିନ ଏପରି ବହୁ ମାମଲା ସାମ୍ନାକୁ ଆସୁଛି, ଯାହା ଆପଣଙ୍କୁ ଅନେକ ଶିକ୍ଷା ଦେଇପାରିବ । ଠକେଇର ଏପରି ବଡ଼ ବଡ଼ ପ୍ରମାଣ, କ୍ୟାସ୍ ବ୍ୟାକ୍ ଡ୍ରାମା ଏବଂ ଉପହାରର ଲୋଭ ତ ମାତ୍ର ଲୋକ ଦେଖାଣିଆ । ଏହି ଲୋଭନୀୟ ପ୍ରସ୍ତାବ ଶୁଣି ଯଦି ଆପଣଙ୍କ ପାଟିରୁ ଲାଳ ବୋହୁଛି, ତେବେ ବୁଝି ନିଅନ୍ତୁ, ଆପଣଙ୍କ ଦୁର୍ଦ୍ଦିନ ଆସିଯାଇଛି ।
ଯଦି ଆପଣ ରାଜସ୍ଥାନରେ ରହୁଛନ୍ତି, ଯଦି ଆପଣ ପାର୍ବଣ ଋତୁରେ ସପିଙ୍ଗର ପ୍ରସ୍ତୁତି କରୁଛନ୍ତି, ଯଦି ଆପଣ ଚଳିତ ଦୀପାବଳିରେ ଉତ୍ସବ ମନାଇବାର ସ୍ୱପ୍ନ ଦେଖୁଛନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । କାରଣ ଆପଣଙ୍କ ଏକ ସାମାନ୍ୟ ଭୁଲ୍ ଦୀପାବଳି ପୂର୍ବରୁ ଆପଣଙ୍କ ଦିୱାଲା ବାହାର କରି ଦେଇପାରେ । ଆପଣଙ୍କ ଗୋଟିଏ ବେପରୁଆ ପଦକ୍ଷେପ, ଆପଣଙ୍କ ଖୁସିର ଆଲୋକକୁ ଛଡ଼ାଇ ନେଇପାରେ । ଆଉ ଆପଣଙ୍କ ସାରା ଜୀବନର ଜମାକୁ ଆଖି ପିଛୁଳାକେ ଛୁ ମନ୍ତର କରିପାରେ । ଆପଣଙ୍କ ହାତରେ ରହିଛି ଆପଣଙ୍କ ସୁରକ୍ଷା । ଆପଣ ସତର୍କ ରହିଲେ ହିଁ ଟଳିବ ଅଡୁଆ । ଆପଣଙ୍କୁ ଦାୟିତ୍ୱହୀନତା ପଡ଼ିବ ଭାରୀ, କାରଣ ଲୁଟ୍ ହୋଇପାରେ ସବୁ ସମ୍ପତ୍ତି । ଏକଥା ଆମେ ଆପଣଙ୍କୁ ଡରାଇବାକୁ ନୁହେଁ, ସତର୍କ କରିବାକୁ କହୁଛୁ । ବାସ୍ତବରେ ଭାରତରେ ଠକେଇର ଏପରି ଘଟଣା ଗତ କିଛିଦିନରେ ଖୁବ୍ ବଢ଼ିଯାଇଛି । ଅଧିକାଂଶ ଠକେଇ ଫୋନ କଲ୍ସ ଏବଂ ଇଣଟରନେଟ ଦ୍ୱାରା ହେଉଛି । କଥା ହେଉଛି, କେବେ କ୍ୟାସ ବ୍ୟାକ୍ ତ କେବେ ବମ୍ପର ଡିସକାଉଣ୍ଟ ତ କେବେ ଲଟେରୀର ଲୋଭ ଦେଖାଇ ଏହି ଚତୁର ଠକମାନେ ଦେଶର ଲୋକଙ୍କୁ ନିଜ ଶିକାର ବନାଉଛନ୍ତି । ଏଭଳି ସ୍ଥିତିରେ ଆମ ଉଦ୍ୟମ ହେଉଛି, ଲୋକଙ୍କୁ ସଚେତନ କରିବା । ଯେପରିକି ଏପରି ଠକଙ୍କ କବଳରେ ନ ପଡନ୍ତୁ, ମାତ୍ର ଏହାସତ୍ତ୍ୱେ ମଧ୍ୟ ଲୋକେ ସେମାନଙ୍କ ଶିକାର ହେଉଛନ୍ତି । ଆଜି ଆମେ ଆପଣଙ୍କୁ ଏପରି କିଛି ଘଟଣା ସମ୍ପର୍କରେ କହୁଛୁ, ଯାହାକୁ ଦେଖି ଆପଣଙ୍କୁ ବିଶ୍ୱାସ ହୋଇଯିବ, ଏହି ଚତୁର ଠକମାନେ ବାସ୍ତବିକ କେଡେ ଧୂର୍ତ୍ତ ଆଉ ଆପଣ ସତର୍କ ରହିବା କେତେ ଜରୁରୀ ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଠକେଇ ଘଟଣାରେ ବିଦେଶୀ ନାଗରିକଙ୍କ ସମ୍ପୃକ୍ତି ସର୍ବାଧିକ ରହିଛି । ମାନେ ବିଦେଶରୁ ଭାରତକୁ ଆସି ଏଠାକାର ଲୋକଙ୍କୁ ଠକିବାର ପ୍ରକ୍ରିୟା ଜାରି ରହିଛି । ଏକଥା ଆମେ କହୁନାହୁଁ, ଅତୀତରେ ଏପରି କିଛି ଘଟଣାର ଖୁଲାସା ହେବାପରେ ଏକଥା ସାମ୍ନାକୁ ଆସିଛି । ଏହି ଚତୁର ଠକମାନେ ନାନା ବାହାନାରେ ଆପଣଙ୍କ ଗୋପନୀୟ ତଥ୍ୟ ହାସଲ କରି ନିଅନ୍ତି । କେବେ ଲୋଭ ଦେଖାଇ ତ କେବେ କ୍ଷତିର ଭୟ ଦେଖାଇ । ଯେମିତି ଆପଣ ଏମାନଙ୍କ କଥାରେ ଭଳି ଯାଇ ନିଜର ଗୋପନୀୟ ତଥୟ ଲିକ୍ କରି ଦିଅନ୍ତି, ଆଖି ପିଛୁଳାକେ ଏହି ଚତୁର ଠକମାନେ ଆପଣଙ୍କ ଘରେ କଳାକନା ବୁଲାଇ ଦିଅନ୍ତି, ଆପଣଙ୍କ ସମସ୍ତ ଅର୍ଥ ହଡ଼ପ କରି ନିଅନ୍ତି ।
ଦେଶର ସୀମାବର୍ତ୍ତୀ ରାଜ୍ୟ ରାଜସ୍ଥାନର ଭିନ୍ନ ଭିନ୍ନ ଅଞ୍ଚଳରୁ ଏପରି ଅନେକ କଥା ସାମ୍ନାକୁ ଆସିଛି । ଏଇ ନିକଟରେ ଭିୱାଡ଼ାରେ ଏପରି ଏକ ଘଟଣା ଘଟିଛି । ଯେଉଁଠି ଶାସ୍ତ୍ରୀନଗର ଅଞ୍ଚଳରେ ଜଣେ ୬୨ ବର୍ଷ ବୟସ୍କା ବୃଦ୍ଧ ମହିଳାଙ୍କୁ ଠକମାନେ ନିଜ ଶିକାର ବନାଇଛନ୍ତି । ଦାମୀ ଗିଫ୍ଟ ଦେବା ନାମରେ ତାଙ୍କୁ ଠକିଛନ୍ତି ସେମାନେ । ଏହି ଗ୍ୟାଙ୍ଗ ବୃଦ୍ଧାଙ୍କଠାରୁ ୧ ଜୁଲାଇରୁ ୧୯ ଜୁଲାଇ ମଧ୍ୟରେ ଦାମୀ ଗିଫ୍ଟ କଥା କହି ନାନା ବାହାନାରେ ୪୩ ଲକ୍ଷ ୬୦ ହଜାର ଟଙ୍କା ନିଜ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଇ ନେଇଥିଲେ । ପୋଲିସ ବୃଦ୍ଧାଙ୍କ ଅଭିଯୋଗ ପାଇବା ପରେ ବୈଷୟିକ ସହାୟତା ଏବଂ ବ୍ୟାଙ୍କ ଆକାଉଣ୍ଟର ଡିଟେଲ୍ସ ବାହାର କରିଥିଲା ଏବଂ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଥିଲା । ବୃଦ୍ଧା ଜଣକ ଯେତେବେଳେ ନିଜେ ଠକି ଯାଇଥିବା କଥା ଜାଣିବାକୁ ପାଇଲେ, ସେତେବେଳକୁ ତାଙ୍କ ଆକାଉଣ୍ଟରୁ ୪୩ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇ ସାରିଥିଲା । ଯାହାପରେ ସେ ପୋଲିସରେ ଏ ନେଇ ଅଭିଯୋଗ କରିଥିଲେ । ପୋଲିସ ଯେତେବେଳେ ତଦନ୍ତ କଲା, ସେତେବେଳେ ଆଶ୍ଚର୍ଯୟଜନକ ତଥ୍ୟ ସାମ୍ନାକୁ ଆସିଲା । ଏହି ତମାମ ଠକେଇ ପଛରେ ଏକ ନାଇଜେରିଆନ୍ ଗ୍ୟାଙ୍ଗର ହାତ ଥିଲା । ପୋଲିସ ନାଇଜେରିଆନ ଗ୍ୟାଙ୍ଗର ଦୁଇଜଣ ସଦସ୍ୟଙ୍କୁ ଗିରଫ କଲା । ଧରାପଡ଼ିଥିବା ନାଇଜେରୀୟ ବ୍ୟକ୍ତିର ନାଁ ହେଉଛି ଭତୋଲୋମୀ ଚିନବାସା । କୋତୱାଲୀ ପୋଲିସ ଇନ୍ସପେକ୍ଟର ଯଶଦୀପ ଭଲ୍ଲା କହିଛନ୍ତି, ଏହି ଗ୍ୟାଙ୍ଗ ଫେସବୁକ ଜରିଆରେ ଖାସକରି ମହିଳାମାନଙ୍କୁ ନିଜ ଜାଲରେ ଫସାଇଥାଏ । ଏହାପରେ ଗ୍ୟାଙ୍ଗର ସଦସ୍ୟ ଜାଲରେ ଫସିଥିବା ମହିଳାଙ୍କୁ ଇମୋସନାଲ ବ୍ଲାକମେଲ୍ କରି ତାଙ୍କୁ ବିଦେଶୀ ଗିଫ୍ଟର ଲୋଭ ଦେଖାଇ ନିଜ ଶିକାର ବନାଇଥାନ୍ତି । ଏଥିସହ ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ମହିଳାଙ୍କୁ ଅର୍ଥରାଶି ଜମା କରିବାକୁ କହିଥାନ୍ତି । ଏହି ଘଟଣା ଭାତହାଣ୍ଡିରୁ ଗୋଟଏ ମାତ୍ର । ଦେଶରେ ଏପରି ଶହ ଶହ ଘଟଣା ପ୍ରତିଦିନ ଘଟୁଛି । ବହୁ ମାମଲାକୁ ଅଧ୍ୟୟନ କରି ଦେଖା ଯାଇଛି, ବିଦେଶରୁ ଖାସ୍ ଅପରାଧ ଗ୍ୟାଙ୍ଗ ଚଳାଇବା ପାଇଁ ହିଁ ବହୁ ଅପରାଧୀ ଭାରତକୁ ଆସି ଠକେଇ ରାକେଟ ଚଳାଇଛନ୍ତି ।
ଏହି ଚାଲାକ ଚତୁର ଠକମାନେ ଦେଶର ନିରୀହ ଲୋକଙ୍କୁ ନିଜ ଶିକାର ବନାଇଥାନ୍ତି ଆଉ ଖୁବ୍ ସହଜରେ ନିଜ ଦେଶକୁ ଚାଲି ଯାଇଥାନ୍ତି । ଯେତେବେଳେ ଘଟଣାର ତଦନ୍ତ ହୁଏ, ସେତେବେଳକୁ ସେମାନେ ମୋଟା ଅଙ୍କର ଅର୍ଥ ହଡ଼ପ କରି ସାରିଥାନ୍ତି । ଏହି ଠକମାନେ ଏତେ ଚାଲାକ ଯେ, ପ୍ରତିଦିନ ନୂଆ ନୂଆ ଉପାୟରେ ଲୋକଙ୍କୁ ନିଜ ଶିକାର ବନାଇଥାନ୍ତି । ସାଧାରଣତଃ ରାଜସ୍ଥାନରେ 'ପଧାରୋ ମାରୋ ଦେଶ' କଲଚର ଚାଲିଛି । ବିଦେଶରୁ ଏଠାକୁ ଆସୁଥିବା ଲୋକଙ୍କୁ ଖୁବ ମାନସମ୍ମାନ ମିଳିଥାଏ । ମାତ୍ର ଗତ କିଛିଦିନ ମଧ୍ୟରେ ଯେଉଁଭଳି ଭାବରେ ଠଗ୍ସ ଅଫ୍ ହିନ୍ଦୁସ୍ତାନଙ୍କ ବିଦେଶୀ ଲିଙ୍କ ସାମ୍ନାକୁ ଆସିବାରେ ଲାଗିଛି, ତାହା ବାସ୍ତବିକ ଚିନ୍ତାଜନକ । ପୋଲିସ ପ୍ରଶାସନ ଅବଶ୍ୟ ଏଥିପାଇଁ କିଛି ଗାଇଡ ଲାଇନ୍ ଜାରି କରିଛି, ଲଗାତାର ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି । ମାତ୍ର ଯେପର୍ଯ୍ୟନ୍ତ ଆପଣ ନିଜେ ସତର୍କ ନ ହୋଇଛନ୍ତି, ଆଉ ନିଜକୁ ଏସବୁ ଲୋଭରୁ ଦୂରେଇ ନ ରଖିଛନ୍ତି, ସେପର୍ଯ୍ୟନ୍ତ ପୋଲିସ ପ୍ରଶାସନର ସବୁ ଉଦ୍ୟମ ବେକାର । ହୋଇପାରେ, ଏକାଧିକ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେଉଛି । ମାତ୍ର ଟିକେ ଚିନ୍ତାକଲେ, ଯଦି ଅପରାଧୀ ପୋଲିସ ରାଡାରରୁ ବାହାରକୁ ଚାଲିଗଲା, ତେବେ ଆପଣଙ୍କ ସାରା ଜୀବନର ସମ୍ବଳର କ'ଣ ହେବ ।
ଖାସକରି ବର୍ତ୍ତମାନ ଯେତେବେଳେ ପାର୍ବଣ ଋତୁ ଚାଲିଛି, ଆଉ ଲୋକେ ନୂଆ ନୂଆ ଅଫର୍ସ ସର୍ଚ୍ଚ କରୁଛନ୍ତି । ସେତେବେଳେ ଆପଣଙ୍କୁ ଖୁବ୍ ସତର୍କତା ଅବଲମ୍ବନ କରିବା ଜରୁରୀ । ଏହି ଠକମାନେ ଆପଣଙ୍କଠାରୁ ଢେର୍ ଅଧିକ ଚାଲାକ୍ । ସେମାନେ ବେଶ୍ ଜାଣନ୍ତି, ପାର୍ବଣ ଋତୁରେ ଆପଣଙ୍କ ପକେଟ ଗରମ ରହେ ଆଉ ଆପଣଙ୍କୁ ଶିକାର କରିବା ଅଧିକ ସହଜ ହୋଇଥାଏ । ଏଭଳି ସମୟରେ ଆପଣଙ୍କ ଖୁସି ଆପଣଙ୍କ ହାତରେ ହିଁ ରହିଛି । କାରଣ ଆପଣଙ୍କ ବେପରବାୟ ମନୋବୃତ୍ତି ଦିୱାଲୀ ପୂର୍ବରୁ ଆପଣଙ୍କୁ ଭିକାରୀ ସଜାଇ ଦେଇପାରେ ।
ଏବେ ଜାଣିଲେ ତ କିଭଳି ଆପଣଙ୍କ ଝାଳବୁହା ଧନ ଉପରେ ରହିଛି 'ଠଗ୍ସ ଅଫ ହିନ୍ଦୁସ୍ତାନ'ଙ୍କ ନଜର । ଭିଲୱାଡ଼ା ମାମଲା ଏହାର ଏକମାତ୍ର ଉଦାହରଣ ନୁହେଁ । ଗତ ଏକ ସପ୍ତାହ ମଧ୍ୟରେ ଏଭଳି ୧୨ରୁ ଅଧିକ ମାମଲା ସାମ୍ନାକୁ ଆସିଛି, ଯେତେବେଳେ କି ଏହି 'ଠଗ୍ସ ଅଫ୍ ହିନ୍ଦୁସ୍ତାନ' ସେମାନଙ୍କୁ ନିଜ ଶିକାର ବନାଇଛି । ଦେଶରେ ଠକେଇ ଘଟଣାର ସତେଯେପରି ବନ୍ୟା ହେବାରେ ଲାଗିଛି । ମାତ୍ର ଅଧିକାଂଶ ମାମଲା ଯାାହ ସାମ୍ନାକୁ ଆସୁଛି, ସେଥିରେ ଅପରାଧୀଙ୍କର ବିଦେଶୀ ଲିଙ୍କ୍ ରହୁଛି । ସିକରରେ ଠିକ୍ ସେମିତି ଏକ ଘଟଣାସାମ୍ନାକୁ ଆସିଛି, ଯେଉଁଠି ଫେସବୁକରେ ଜଣେ ଚାଲାକ ଠକ ନିଜକୁ ବିଦେଶୀ ଆର୍ମି ଅଫିସର କହି ଜଣେ ମହିଳାଙ୍କ ସହ ବନ୍ଧୁତା କରିଥିଲା । କିଛିଦିନରେ ବନ୍ଧୁତା ଖୁବ୍ ଘନିଷ୍ଠ ହେଲା ଆଉ କଥା ଉପହାର ଦିଆନିଆରେ ଯାଇ ପହଞ୍ଚିଗଲା । ନକଲି ଆର୍ମି ଅଫିସର ମହିଳାଙ୍କୁ ହଜାରେ ପାଉଣ୍ଡ ଗିଫ୍ଟରେ ଦେବାର ପ୍ରଲୋଭନ ଦେଖାଇଲେ । ଅପରାଧୀ ସେହି ହଜାରେ ପାଉଣ୍ଡ ଗିଫ୍ଟରେ ପଠାଇବା ପାଇଁ କଷ୍ଟମ୍ସ ଡ୍ୟୁଟି ଦେବାକୁ ମହିଳାଙ୍କୁ କହିଥିଲେ । ତା'ର ମହିଳା ସାଥୀକୁ କଷ୍ଟମ୍ସ ଇନ୍ସପେକ୍ଟର ସଜାଇ ମହିଳାଙ୍କ ଆଗରେ ପେଶ୍ କଲା । ଆଉ କଷ୍ଟମ୍ସ ଡ୍ୟୁଟି ନାମରେ ଲକ୍ଷାଧିକ ଟଙ୍କା ତା ଆକାଉଣ୍ଟକୁ ଟ୍ରାନ୍ସଫର କରିନେଲା । ପରେ ମହିଳା ଜଣକ ଠକି ଯାଇଥିବା ଜାଣିପାରିଲେ । ଆଉ ସେ ପୋଲିସରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ । ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଉଦ୍ୟୋଗ ନଗରଠାରୁ ନାଇଜେରିଆନ୍ ଗ୍ୟାଙ୍ଗକୁ ଗିରଫ କରିନେଲା । ପଚରାଉଚରାରୁ ଜଣାପଡ଼ିଲା, ଏପର୍ଯ୍ୟନ୍ତ ଏହି ଗ୍ୟାଙ୍ଗ ୮ କୋଟିରୁ ଅଧିକ ଟଙ୍କା ଠକେଇ କରିଥିଲା । ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ଇଗନୁ ଫ୍ରାଙ୍କ ଏବଂ ତାର ସାଥୀ ମୋନିକା ନାୟକକୁ ପୋଲିସ ସେମାନଙ୍କ ନୋଇଡ଼ାସ୍ଥିତ ଫ୍ଲାଟରୁ ଗିରଫ କରିଥିଲା ।
ସୀମାବର୍ତ୍ତୀ ଜିଲ୍ଲା ଜୈସୈଲମେରର ମୋହନଗଡ଼ରେ ଆଜିକାଲି ଅନଲାଇନ ଠକେଇର ହାଇଟେକ ଉପାୟକୁ ନେଇ ଉଚ୍ଚସ୍ତରରେ ଚାଲିଥିବା ଅଭିଯାନର ଏପରି ଏକ ମାମଲା ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ କୋଟିପତି କରିଦେବାର ସ୍ୱପ୍ନ ଦେଖାଇ ସୋସିଆଲ ମିଡିଆ ଗ୍ରୁପରେ ଏଠାକାର ଲୋକଙ୍କ ଅଜାଣତରେ ସେମାନଙ୍କୁ ଯୋଡ଼ାଯାଉଛି । ଗ୍ରୁପରେ ଯୋଡୁଥିବା ଆଡମିନର ଯେଉଁ ନମ୍ବର ଡିସପ୍ଲେ ହେଉଛି, ତାହା ହେଉଛି ପାକିସ୍ତାନ ସିରିଜର ଏକ ନମ୍ବର । ବିଶେଷଜ୍ଞଙ୍କ କହିବା କଥା ଏଟିଏମ୍, ଆଧାର, ବୀମା ପଲିସି ଇତ୍ୟାଦି ଆଧାରରେ ଲୋକଙ୍କୁ ଠକିବା ଉପାୟ ପୁରୁଣା ହୋଇସାରିଛି । ସେଥିପାଇଁ ଏବେ ଠକେଇ ପାଇଁ ସୋସିଆଲ ମିଡିଆରେ ଗ୍ରୁପ ବନାଇ ଲଟେରୀ ନାମରେ ଠକିବାର ନୂଆ ଉପାୟ ବାହାର କରାଯାଇଛି ।