ଆଜି ବି ଚାଲିପାରୁନି ଗୃହ, ମିଡ଼ିଆକୁ ରୁଲିଂ ନେଇ ବିରୋଧୀଙ୍କ ପ୍ରତିବାଦ

ଗୃହ ଆରମ୍ଭରୁ ହଟ୍ଟଗୋଳ ।

ଆଜି ବି ଚାଲିପାରୁନି ଗୃହ, ମିଡ଼ିଆକୁ ରୁଲିଂ ନେଇ ବିରୋଧୀଙ୍କ ପ୍ରତିବାଦ
ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ଗୃହ ଆରମ୍ଭରୁ ହଟ୍ଟଗୋଳ । ଗୃହର ମଧ୍ୟଭାଗକୁ ଆସି କିଛି କହିଲେ ତାହା ରିପୋର୍ଟିଂ ହେବ ନାହିଁ ବୋଲି ବାଚସ୍ପତିଙ୍କ ମିଡ଼ିଆକୁ ରୁଲିଂକୁ ନେଇ ଗୃହ ଭିତରେ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରତିବାଦ କରିଛନ୍ତି । ଏଭଳି ରୁଲିଂକୁ ପ୍ରତ୍ୟାହାର କରିବା ପାଇଁ ଦାବି କରି ଗୃହର ମଧ୍ୟଭାଗକୁ ଆସି ପ୍ରତିବାଦ କରିବା ସହ ହୋ ହଲ୍ଲା କରିଛନ୍ତି । ବିରୋଧୀଙ୍କ ତୀବ୍ର ପ୍ରତିବାଦ ଯୋଗୁଁ ଗୃହ କାର୍ଯ୍ୟ ଚାଲିପାରିନାହିଁ । ପ୍ରଶ୍ନକାଳ, ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ କିଛି ବି ଆଲୋଚନା ହୋଇପାରିନାହିଁ । ପ୍ରଥମେ ଏକ ମିନିଟ୍‌ ମଧ୍ୟରେ ଏବଂ ଦ୍ୱିତୀୟରେ ୪ ମିନିଟ୍ ମଧ୍ୟରେ ଗୃହକୁ ମୁଲତବୀ କରାଯାଇଛି । ଏହାକୁ ନେଇ ବିରୋଧି ବାଚସ୍ପତିଙ୍କୁ ଟାର୍ଗେଟ କରିଥିବା ବେଳେ କେବଳ ସୋ ବାଜି ପାଇଁ ବିରୋଧୀ ଜାଣିଶୁଣି ଏପରି କରୁଛନ୍ତି ବୋଲି ସରକାରୀ ମୁଖ୍ୟ ସଚେତକ କହିଛନ୍ତି ।

ଗୃହ ଆରମ୍ଭରୁ ତାତି । ପ୍ରଶ୍ନକାଳରୁ ହଟ୍ଟଗୋଳ । ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି ବିରୋଧି କଂଗ୍ରେସ ଓ ବିଜେପି ସଭ୍ୟଙ୍କ ପ୍ରତିବାଦ । ଗୃହର ମଧ୍ୟଭାଗକୁ ଆସି ସ୍ଲୋଗାନ ଓ ହୋ ହଲ୍ଲା । ଗୋଟେ ମିନିଟ୍ ବି ଚାଲିପାରିଲାନି ଗୃହ । ବାଚସ୍ପତି ସାଢେ ୧୧ ଯାଏଁ ଗୃହକୁ ମୁଲତବୀ କଲେ । ସାଢେ ୧୧ରେ ମଧ୍ୟ ସମାନ ଅବସ୍ଥା । ଏଥର ୪ ମିନିଟ୍ ଧରି ନିଜ ଆସକୁ ଯିବାକୁ ବାଚସ୍ପତି ବିରୋଧୀଙ୍କୁ ଅନୁରୋଧ କରିଥିଲେ ବି କିଛି ସୁଫଳ ମିଳିଲାନି । ବାଚସ୍ପତିଙ୍କ ପୋଡ଼ିୟମ ଚଢ଼ିବାକୁ ଉଦ୍ୟମ କରୁଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ସମର୍ଥନ କରି ପ୍ରତିବାଦ କରିଥିଲା । 

ଗତକାଲି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ଆରମ୍ଭ ହୋଇଥିବା ବେଳେ ଅଫିସର୍ସ ଗ୍ୟାଲେରୀରେ କେହି ନଥିବା କଥା ଉଠାଇଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତି ଏହାକୁ ଗୁରୁତ୍ୱ ନଦେବାରୁ କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସିଥିଲେ । ଗୃହର ମଧ୍ୟଭାଗକୁ ଆସୁଥିବା ବିଧାୟକଙ୍କ ନାମ ଓ ସେମାନେ କ'ଣ କହୁଛନ୍ତି ତାହା ରିପୋର୍ଟିଂ ନ କରିବାକୁ ବାଚସ୍ପତି ରୁଲିଂ ଦେଇଥିଲେ ।

ବାଚସ୍ପତିଙ୍କ ରୁଲିଂ କେବଳ ଗୋଟିଏ ଦିନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଗୃହ ବାହାରେ ବାଚସ୍ପତି ଗଣମାଧ୍ୟମକୁ କହିଥିଲେ । ସରକାରୀ ମୁଖ୍ୟ ସଚେତକ ମଧ୍ୟ ଏକଥା ଆଜି ଦୋହରାଇଛନ୍ତି । ତେବେ ରୁଲିଂ ଆଉ କାର୍ଯ୍ୟକ୍ଷମ ନଥିବା ବେଳେ ବିରୋଧୀ ଗୃହ ଭିତରେ ବାଚସ୍ପତି ରୁଲିଂ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଏ ପ୍ରସଙ୍ଗରେ ଶାସକ ବିଜେଡ଼ି ବିରୋଧୀଙ୍କୁ ସମାଲୋଚନା କରିଛି । ବିନା କୌଣସି ଯଥାର୍ଥ କାରଣରେ ବିରୋଧୀ କେବଳ ବିରୋଧ କରିବା ନାଁରେ ନିଜର ପ୍ରଚାର ପ୍ରସାର ଚାହୁଁଛନ୍ତି । ରାଜ୍ୟସଭା ଓ ଲୋକସଭା ଅନୁସାରେ ବାଚସ୍ପତି ରୁଲିଂ ଦେଇଛନ୍ତି ବୋଲି ସରକାରୀ ମୁଖ୍ୟ ସଚେତକ କହିଥିବା ବେଳେ ବିଧାନସଭାକୁ ଠିକ୍ ଢଙ୍ଗରେ ଚଲାଇବା ପାଇଁ ବିଜେଡ଼ି ବିଧାୟକ ପ୍ରଦୀପ ମହାରଥି ଅନୁରୋଧ କରିଛନ୍ତି ।

ବ୍ରହ୍ମପୁର ଗୋଳନ୍ଥରା ବସ୍ ଦୁର୍ଘଟଣା ବାବଦରେ ବିଜେପି ପକ୍ଷରୁ ଅଣାଯାଇଥିବା ମୁଲତବୀ ପ୍ରସ୍ତାବକୁ ଆଲୋଚନା ପାଇଁ ବାଚସ୍ପତି ଗ୍ରହଣ କରିଥିଲେ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଥାନ୍ତେ । ହେଲେ ଗୃହ ନ ଚାଲିପାରିବାରୁ ଏହି ପ୍ରସଙ୍ଗରେ ଆଲୋଚନା ହୋଇପାରିନାହିଁ ।

ଆହୁରି ପଢ଼ନ୍ତୁ; ଅମିତ ଶାହଙ୍କୁ ଦେଖା କରିପାରନ୍ତି ଶାହୀନବାଗ ମହିଳା ଆନ୍ଦୋଳନକାରୀ