ମାନବିକତା ଦେଖାଇଲେ ସବ୍ୟସାଚୀ, ୩ ଫୁଟବଲ ଖେଳାଳିଙ୍କ ସ୍ୱପ୍ନ ପୁରଣ ପାଇଁ ପ୍ରତିଶୃତି ଦେଲେ...

କୋରାପୁଟର ୩ ଖେଳାଳି ରାଜୁ ହରିଜନ, ସୁଜିତ ସେଠିଆ, ସନ୍ତୋଷ ଫିଲିପ ଲକଡାଉନ ପୂର୍ବରୁ ଭୁବନେଶ୍ୱର ଆସିଥିଲେ ତିନି ଜଣ ଫୁଟବଲ ଖେଳାଳି।

ମାନବିକତା ଦେଖାଇଲେ ସବ୍ୟସାଚୀ, ୩ ଫୁଟବଲ ଖେଳାଳିଙ୍କ ସ୍ୱପ୍ନ ପୁରଣ ପାଇଁ ପ୍ରତିଶୃତି ଦେଲେ...

ଭୁବନେଶ୍ୱର: ପୁଣି ଥରେ ସାହାଯ୍ୟର ହାତ ବଢାଇଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। କୋରାପୁଟର ତିନି ଫୁଟବଲ ଖେଳାଳିଙ୍କୁ ନିଜ ଖର୍ଚ୍ଚରେ ତାଙ୍କ ଘରକୁ ପଠାଇଛନ୍ତି। ଜଣେ ପୋଲିସ କର୍ମଚାରୀଙ୍କୁ ଠାରୁ ଏହି ତିନି ଫୁଟବଲ ଖେଳାଳିଙ୍କ ସମ୍ପର୍କରେ ଜାଣିବା ପରେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ ସେ। 

ମିଳିଥିବା ସୂଚନା ମୁତାବକ କୋରାପୁଟର ରାଜୁ ହରିଜନ, ସୁଜିତ ସେଠିଆ, ସନ୍ତୋଷ ଫିଲିପ ଲକଡାଉନ ପୂର୍ବରୁ ଭୁବନେଶ୍ୱର ଆସିଥିଲେ। କିନ୍ତୁ ଲକଡାଉନ ସମୟ ଆରମ୍ଭ ହୋଇଯିବା ପରେ ଅଭ୍ୟାସ ପାଇଁ ଆସିଥିବା ଏହି ତିନି ଖେଳାଳି ରାଜଧାନୀରେ ବେଶ ହନ୍ତସନ୍ତ ହୋଇଥିଲେ। ପୋଲତଳେ, ଗଛମୁଳେ ସେମାନଙ୍କର ଜୀବନ ବିତିବା ଆରମ୍ଭ ହୋଇଥିଲା। ମାତ୍ର ପାଖରେ ଥିବା ସଂଚିତ ଅର୍ଥ ମଧ୍ୟ ଧୀରେଧୀରେ ଶେଷ ହେବାକୁ ଲାଗିଥିଲା। ଫଳରେ ସେମାନେ ବାଧ୍ୟ ହୋଇ ସିକ୍ୟୁରିଟି ଚାକିରି ମଧ୍ୟ କରିଥିଲେ। କିନ୍ତୁ ଉକ୍ତ ସିକ୍ୟୁରିଟି ସଂସ୍ଥା ଦରମା କିମ୍ବା ଖାଇବାକୁ ମଧ୍ୟ ଦେଇନଥିଲା। ଯାହା ଫଳରେ ସେଠାରୁ ମଧ୍ୟ ୩ଜଣ ଚାକିରି ଛାଡ଼ି ଘରକୁ ଯିବା ପାଇଁ ଉଦ୍ୟମ କରିଥିଲେ। 

ଜୟଦେବ ବିହାର ଓଭର ବ୍ରିଜ ତଳେ ଏହି ୩ ଜଣ ଯୁବକ ବିଶ୍ରାମ ନେଉଥିବା ବେଳେ କମିଶନରେଟ ପୋଲିସର ଜଣେ କନଷ୍ଟେବଳ ଚିତ୍ତରଞ୍ଜନ ମିଶ୍ର ମାନବିକତା ଦେଖାଇ ସେମାନଙ୍କ ପାଇଁ ଖାଦ୍ୟର ଯୋଗାଡ଼ କରିଦେଇଥିଲେ। ଚିତ୍ତରଞ୍ଜନ ଅଧିକାଂଶ ସମୟରେ ଘରୁ ମଧ୍ୟ ସେମାନଙ୍କ ପାଇଁ ଖାଇବା ଆଣିଦେଇଥାନ୍ତି। ତେବେ ଉକ୍ତ ୩ ଯୁବକଙ୍କ ସମସ୍ୟକୁ ସମ୍ପୂର୍ଣ୍ଣ ଭାବେ ସମାଧାନ କରି ପାରିନଥିଲେ ଚିତ୍ତରଞ୍ଜନ। ଏଥିପାଇଁ ସେ ସବ୍ୟଙ୍କ ସହିତ ସୋସିଆଲ ମିଡ଼ିଆରେ ଯୋଗାଯୋଗ କରିଥିଲେ। ଆଉ ଏହି ୩ ଯୁବକଙ୍କ ସମସ୍ୟା ସମ୍ପର୍କରେ ସବ୍ୟଙ୍କୁ ଅବଗତ କରାଇଥିଲେ ଚିତ୍ତରଞ୍ଜନ। 

ଖବର ପାଇବା ପରେ ସବ୍ୟ ଉକ୍ତ ୩ ଯୁବକ ରାଜୁ, ସୁଜିତ ଓ ସନ୍ତୋଷଙ୍କ ନିକଟକୁ ଆସିଥିଲେ। ସେମାନଙ୍କ ସମସ୍ୟା ସମ୍ପର୍କରେ ମଧ୍ୟ ପଚାରି ବୁଝିଥିଲେ ସବ୍ୟ। ପରେ ତାଙ୍କୁ ଘରକୁ ପଠାଇଛନ୍ତି ସବ୍ୟ। ଏହା ସହିତ ସେମାନଙ୍କ ଥିବା ସ୍ୱପ୍ନକୁ ସାକାର କରିବାକୁ ମଧ୍ୟ ପ୍ରତିଶୃତି ଦେଇଛନ୍ତି। ଲକଡାଉନ ଉଠିବା ପରେ ଉକ୍ତ ତିନି ଜଣ ଯୁବକ ଫୁଟବଲକୁ ନେଇ ଦେଖିଥିବା ସ୍ୱପ୍ନକୁ ସବ୍ୟ ପୁରଣ କରିବେ ବୋଲି ସେମାନଙ୍କୁ ପ୍ରତିଶୃତି ଦେଇଛନ୍ତି।