ଅନିଚ୍ଛାକୃତ ତ୍ରୁଟି, ମନ୍ତ୍ରୀ ରଖିଲେ ସ୍ପଷ୍ଟୀକରଣ

ମହାତ୍ମା ଗାନ୍ଧିଙ୍କ ମୃତ୍ୟୁ ସମ୍ପର୍କରେ ପୁସ୍ତକରେ ପ୍ରକାଶିତ ଭୁଲ୍ ତଥ୍ୟକୁ ନେଇ ଆଜି ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଉଦ୍ଦେଶ୍ୟମୂଳକ ଭାବେ ଭୁଲ୍ ତଥ୍ୟ ଦିଆଯାଇନି । ଏହା ଏକ ଅନିଚ୍ଛାକୃତ ତ୍ରୁଟି । ଏଥିରେ ସଂପୃକ୍ତ ଜଣେ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

ଅନିଚ୍ଛାକୃତ ତ୍ରୁଟି, ମନ୍ତ୍ରୀ ରଖିଲେ ସ୍ପଷ୍ଟୀକରଣ

ଭୁବନେଶ୍ୱର: ଶେଷରେ ସ୍ପଷ୍ଟୀକରଣ ରଖିଛନ୍ତି ମନ୍ତ୍ରୀ । ମହାତ୍ମା ଗାନ୍ଧିଙ୍କ ମୃତ୍ୟୁ ସମ୍ପର୍କରେ ପୁସ୍ତକରେ ପ୍ରକାଶିତ ଭୁଲ୍ ତଥ୍ୟକୁ ନେଇ ଆଜି ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଉଦ୍ଦେଶ୍ୟମୂଳକ ଭାବେ ଭୁଲ୍ ତଥ୍ୟ ଦିଆଯାଇନି । ଏହା ଏକ ଅନିଚ୍ଛାକୃତ ତ୍ରୁଟି । ଏଥିରେ ସଂପୃକ୍ତ ଜଣେ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଘଟଣାରେ ୨ ଜଣଙ୍କୁ କୈଫିୟତ ମଧ୍ୟ ମଗାଯାଇଛି । ଏବେ ପୁସ୍ତକ ପ୍ରତ୍ୟାହାର ହୋଇଥିବା ବେଳେ ମାସକ ମଧ୍ୟରେ ଲିଫଲେଟର ପୁନଃ ମୁଦ୍ରଣ କରାଯାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁସ୍ତକ ବଣ୍ଟାଯାଇଥିଲା । ରାଜ୍ୟର ସବୁ ସ୍କୁଲକୁ ପୁସ୍ତକ ଦିଆଯାଇଥିଲା । ଏଥିରେ କିନ୍ତୁ ଦେଖିବାକୁ ମିଳିଥିଲା ଏକ ବିରାଟ ତ୍ରୁଟି । ପୁସ୍ତିକାର ଗୋଟିଏ ପାରାଗ୍ରାଫରେ ଲେଖାଥିଲା ୩୦ ଜାନୁଆରୀ ୧୯୪୮ ମସିହାରେ ଏକ ଆକସ୍ମିକ ଘଟଣାରେ ଗାନ୍ଧିଜୀଙ୍କ ମୃତ୍ୟୁ ହୋଇଥିଲା । ଏହାକୁ ନେଇ ଆରମ୍ଭ ହୋଇଥିଲା ସମାଲୋଚନା । ଶାସକ ଦଳ, ବିଭାଗୀୟ ମନ୍ତ୍ରୀ, ସଂପୃକ୍ତ ଅଧିକାରୀ ସମସ୍ତଙ୍କୁ ପ୍ରଶ୍ନ ହୋଇଥିଲା ।

ଗାନ୍ଧିଜୀଙ୍କ ମୃତ୍ୟୁ କଣ ଆକସ୍ମିକ ଘଟଣାରେ ହୋଇଥିଲା କି ? ଗାନ୍ଧିଜୀଙ୍କୁ ନାଥୁରାମ ଗଡ଼ସେ କଣ ହତ୍ୟା କରିନଥିଲେ ? ଏଭଳି ଅନେକ ପ୍ରଶ୍ନ ଓ ସମାଲୋଚନାର ସାମ୍ନା କରିଥିଲେ ଶାସକ ଗୋଷ୍ଠୀ । ଭୁଲ୍ ତଥ୍ୟକୁ ନେଇ ବେଶ୍ ସରଗରମ ହୋଇଥିଲା ବିଧାନସଭା ଗୃହ । ଜାତିର ପିତାଙ୍କ ମୃତ୍ୟୁକୁ ନେଇ ଏଭଳି ଭୁଲ୍ ତଥ୍ୟ ଲେଖାଯାଇଥିବାରୁ ରାଜ୍ୟରେ ବିଭିନ୍ନ ମହଲରୁ ମଧ୍ୟ ନିନ୍ଦା, ସମାଲୋଚନା ବଢ଼ିବାରେ ଲାଗିଲା । 

ଖବର ପହଞ୍ଚିଲା ବିଧାନସଭା ଗୃହରେ । ଶାସକ ଗୋଷ୍ଠୀକୁ ହମଲା କଲେ ବିରୋଧୀ ଦଳ । ଶାସକ ଦଳକୁ କଡ଼ା ଭାଷାରେ କଟାକ୍ଷ କରିବାକୁ ମଧ୍ୟ ପଛଘୁଞ୍ଚା ଦେଲେନି ବିରୋଧୀ । ସରକାର ଏଭଳି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ବିବୃତି ରଖିବାକୁ ରୁଲିଂ ଦେଇଥିଲେ ବାଚସ୍ପତି । ଆଜି ଏ ସମ୍ପର୍କରେ ବିବୃତି ରଖିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପ୍ରକୃତରେ ଏଭଳି ଉଦ୍ଦେଶ୍ୟମୂଳକ ଭାବେ କରାଯାଇନି । ଏହାଏକ ଅନିଚ୍ଛାକୃତ ତ୍ରୁଟି ବୋଲି ନିଜ ସ୍ପଷ୍ଟୀକରଣରେ ମନ୍ତ୍ରୀ ଦର୍ଶାଇଛନ୍ତି ।