ଗଞ୍ଜେଇକୁ 'ଡିକ୍ରିମିନାଲାଇଜ୍' କରିବା ଜରୁରୀ ?

ଯିଏ ନ ଖାଏ ଗଞ୍ଜେଇ ଧୂଆଁ...

ଗଞ୍ଜେଇକୁ 'ଡିକ୍ରିମିନାଲାଇଜ୍' କରିବା ଜରୁରୀ ?

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର:

 ''ପଞ୍ଚ ରାଜ୍ୟାନୀ ବିରୁଦ୍ଧାଂ ସୋମଶ୍ରେଷ୍ଠାନୀ ବ୍ରୁମଃ

 ଦର୍ଭେ ଭଙ୍ଗୋ ୟବଃ ସହସ୍ତେ ନୋ ମୁଞ୍ଚନ୍ତ୍ୱ ଅଂହସଃ''

ଅଥର୍ବ ବେଦରେ ଏହି ଶ୍ଲୋକ ଅଛି ।  ପତ୍ର, କାଣ୍ଡ, ଫୁଲ-ଫଳ ଏବଂ ମୂଳାତ୍ମକ ପାଞ୍ଚଟି ରାଜ୍ୟଯୁକ୍ତ ଔଷଧୀୟ ମଧ୍ୟରୁ ସୋମଲତା ସର୍ବଶ୍ରେଷ୍ଠ । ତନ୍ମଧ୍ୟରୁ ଭାଙ୍ଗ, ଧାନ, ଯଅ ଆଦି ଆମ କୁକର୍ମକୁ କାଟିବାରେ ସମର୍ଥ । ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ଦେବା ପାଇଁ ଏକ ପ୍ରସ୍ତାବ ଆସିଥିଲା । ଏହାକୁ ନେଇ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ବୈଠକ ମଧ୍ୟ ଡାକିଥିଲେ । ଏଥିରେ ଗଞ୍ଜେଇ ଚାଷକୁ ଅନୁମତି ଦେବାକୁ ରାଜ୍ୟ ସରକାର ମନା କରି ଦେଇଛନ୍ତି । ଗଞ୍ଜେଇରେ ଭରପୂର ଔଷଧୀୟ ଗୁଣ ଥିବା ହେତୁ ଏହାକୁ ଅନୁମତି ଦେବାକୁ ଅନେକ ଶିଳ୍ପ ସଂସ୍ଥା ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ । ତେବେ ରାଜ୍ୟ ସରକାର ଏହି ପ୍ରସ୍ତାବକୁ ଖାରଜ କରି ଦେଇଛନ୍ତି । ଏହି ପ୍ରସ୍ତାବକୁ ରାଜ୍ୟ ସରକାର ମନା କରି ଦେବା ପରେ ଏହା ସପକ୍ଷରେ ବାହାରିଛନ୍ତି ପୂର୍ବତନ ସାଂସଦ ତଥାଗତ ସତପଥୀ । ଏହା ରାଜ୍ୟ ସରକାରଙ୍କ ଦୂରଦୃଷ୍ଟିହୀନତା ବୋଲି ସେ କହିବା ସହ ଏହାର ଔଷଧୀୟ ଗୁଣ ବିଷୟରେ କହିଛନ୍ତି । ଉତ୍ତରାଖଣ୍ଡ ସରକାର ଗଞ୍ଜେଇ ଚାଷକୁ ଅନୁମତି ଦେଇଛନ୍ତି । ଉତ୍ତର ପ୍ରଦେଶ, ଗୁଜରାଟ ସରକାର ମଧ୍ୟ ଆଂଶିକ ଭାବେ ଏହି ଚାଷକୁ ଅନୁମତି ଦେଇଛନ୍ତି । ସେହିପରି ତେଲଙ୍ଗାନା ସରକାର ମଧ୍ୟ ଏହାକୁ ଅନୁମତି ଦେବାକୁ ଚିନ୍ତା କରୁଛନ୍ତି । ତେବେ ଓଡ଼ିଶା ସରକାର ଏହାକୁ ଅନୁମତି ଦେବାରେ ଅସୁବିଧା କେଉଁଠି ?

ଗଞ୍ଜେଇର ଅନେକ ଔଷଧୀୟ ଗୁଣ ଅଛି । ଆୟୁର୍ବେଦ ଶାସ୍ତ୍ରରେ ଏ ବିଷୟରେ ଲେଖାଯିବା ସହ ଶୁଶ୍ରୁତ ସଂହିତାରେ ବି ଏ ବିଷୟରେ ଲେଖା ହୋଇଛି । ଡାଇରିଆ, କଫ, ଶ୍ଲେଷ୍ମା ଆଦି ରୋଗରୁ ଗଞ୍ଜେଇ ବା ଭାଙ୍ଗ ମୁକ୍ତି ଦେଇଥାଏ ବୋଲି ଶୁଶ୍ରୁତ ସଂହିତାରେ ଉଲ୍ଲେଖ ଅଛି । ସେହିପରି କର୍କଟ, କୁଷ୍ଠ ଆଦି ରୋଗ ମଧ୍ୟ ଗଞ୍ଜେଇ ଦ୍ୱାରା ଭଲ ହୋଇଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି । ସେହିପରି ଦୁନିଆର ପ୍ରଥମ କପଡ଼ା ଓ ପ୍ରଥମ କାଗଜ ଗଞ୍ଜେଇ ଗଛରୁ ହିଁ ପ୍ରସ୍ତୁତ ହୋଇଥିଲା ବୋଲି କେତେକ ବିଶେଷଜ୍ଞ କୁହନ୍ତି ।  ଜାନୁଆରୀ ୨୦୧୯ରେ ପୋର୍ସ କମ୍ପାନୀ ନିଜର ଏକ ମଡେଲକୁ ଗଞ୍ଜେଇ (ହେମ୍ପ୍)ରେ ପ୍ରସ୍ତୁତ କରି ବଜାରକୁ ଛାଡ଼ିଥିଲା । ସେହିପରି ୧୯୪୧ ମସିହାରେ ଫୋର୍ଡ କମ୍ପାନୀ ମଧ୍ୟ ଗଞ୍ଜେଇ ଗଛରୁ ଏକ ଗାଡ଼ି ନିର୍ମାଣ କରିଥିଲା ।

ସେହିପରି ଗଞ୍ଜେଇରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ । ଘରକରଣା ଜିନିଷଠୁ ଆରମ୍ଭ କରି ପୋଷାକ, ବାୟୋ ଫୁଏଲ୍, ବାୟୋ ଡିଗ୍ରେଡେବୁଲ୍ ପ୍ଲାଷ୍ଟିକ୍ ଆଦି ପ୍ରସ୍ତୁତ ହୋଇଥାଏ । ଜର୍ମାନୀ,ରୁଷିଆ, କାନାଡ଼ା, ଇସ୍ରାଏଲ, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଇଣ୍ଡୋନେସିଆ ଆଦି ରାଷ୍ଟ୍ର ଗଞ୍ଜେଇକୁ ଅନୁମତି ପ୍ରଦାନ କରିଛନ୍ତି । ଭାରତରେ ୧୯୬୫ ମସିହା ପର୍ଯ୍ୟନ୍ତ ଏହାକୁ ନେଇ ନାନା ମତ ପ୍ରକାଶ ପାଉଥିଲା । ଗରିବ ଲୋକମାନେ ଏହି ଚାଷ କରି ଧନୀ ହୋଇଯିବେ ବୋଲି ଦେଶରେ ତର୍କ ବିତର୍କ ହେଉଥିଲା । ସେହି ସମୟରେ ଗଞ୍ଜେଇକୁ ନେଇ ଆମେରିକା ଏବଂ ଜର୍ମାନୀ ଭଳି ରାଷ୍ଟ୍ର ଗୁଡ଼ିକରେ ବିପ୍ଳବ ଆରମ୍ଭ ହୋଇଯାଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଲୋକମାନଙ୍କୁ ଗଞ୍ଜେଇ ଚାଷ କରିବାକୁ ବାଧ୍ୟ କରୁଥିଲା । ଏଥିରୁ କପଡ଼ା, ଔଷଧ ଆଦି ପ୍ରସ୍ତୁତ ହେଉଥିବା ହେତୁ ଏହାକୁ ଚାଷ କରିବାକୁ ଆମେରିକା ଲୋକମାନଙ୍କୁ ଅନୁମତି ପ୍ରଦାନ କରିଥିଲା । 

ସେହିପରି ଏହାକୁ ଅନୁମତି ମିଳିଲେ ରାଜ୍ୟର ତଥା ଦେଶର ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟ ହେବ । ସମ୍ପୂର୍ଣ୍ଣ ଭାବେ ଏହାକୁ ଅନୁମତି ପ୍ରଦାନ ନ କଲେ ମଧ୍ୟ ଔଷଧୀୟ ଗୁଣ ଦୃଷ୍ଟିରୁ ଏହାକୁ ଅନୁମତି ପ୍ରଦାନ କରାଯିବା ନିହାତି ଜରୁରୀ । ଆବ୍ରାହମ୍ ଲିଙ୍କନ, ଟେରେନ୍ସ ମେକିନା, ଆଇନଷ୍ଟାଇନ, କାଲ୍ ସାଗିନ୍ ଆଷ୍ଟ୍ରୋ ଫିଜିସିଷ୍ଟ୍ ପ୍ରମୁଖ ଗଞ୍ଜେଇକୁ ଅନୁମତି ଦେବା ସପକ୍ଷରେ ଥିଲେ । ଏହାକୁ ଇଣ୍ଡଷ୍ଟ୍ରିଆଲ୍ ଟେକ୍ସଟାଇଲ୍ସ, ପେପର ଶିଳ୍ପ, ବିଲ୍ଡିଂ ମ୍ୟାଟେରିଆଲ୍, ଶିଳ୍ପ ଉତ୍ପାଦ, କଞ୍ଜୁମର୍ ଟେକ୍ସଟାଇଲ୍ସ, ଏଗ୍ରିକଲଚରାଲ୍ ବେନିଫିଟ୍ ଆଦିରେ ବ୍ୟବହାର କରାଯାଇଥାଏ ।  ଥାଇଲାଣ୍ଡ, ଇଣ୍ଡୋନେସିଆ ଭଳି ଦେଶ ଏହାକୁ ଅନୁମତି ପ୍ରଦାନ କରିଛନ୍ତି ।  ନେପାଳ ମଧ୍ୟ ଏହା ସପକ୍ଷରେ ଅଛି ।  ସେଠାରେ ତ ଗଞ୍ଜେଇକୁ ନେଇ ମନ୍ତ୍ରାଳୟ ମଧ୍ୟ ଅଛି । 

ଖ୍ରୀଷ୍ଟପୂର୍ବ ୬୦୦୦ରୁ ଖ୍ରୀଷ୍ଟପୂର୍ବ୧୦୦ ମଧ୍ୟରେ ଚାଇନାରେ ଗଞ୍ଜେଇକୁ ବିଭିନ୍ନ ସାମଗ୍ରୀର ମୂଳ ଉତ୍ପାଦ ଭାବେ ବ୍ୟବହାର କରାଯାଉଥିଲା । ଏଥିରୁ ବସ୍ତ୍ର, ଖାଦ୍ୟ, ଔଷଧ, ଫାଇବର ଆଦି ପ୍ରସ୍ତୁତ ହେଉଥିଲା ।  ଖ୍ରୀଷ୍ଟପୂର୍ବ ୨୭୨୭ରେ ଚୀନ ଶାସକ ସେନ୍ ନୁଙ୍ଗ୍ ପ୍ରଥମେ ଏହାକୁ ଚାଇନାରେ ବ୍ୟବହାର କରିଥିବା ଇତିହାସ କୁହେ ।  ସେହିପରି ଗ୍ରୀକ୍ ଓ ରୋମରେ ମଧ୍ୟ ଗଞ୍ଜେଇକୁ ବ୍ୟବହାର କରାଯାଉଥିଲା ।  ୟୁନାନ, ଚୀନ, ମିଶର ଆଦି ପ୍ରାଚୀନ ସଭ୍ୟତା ଏବଂ ଇହୁଦୀ, ତାଓ, ବୌଦ୍ଧ, ଶିଖ ଓ ଇସଲାମ ଭଳି ଧର୍ମରେ ମଧ୍ୟ ଗଞ୍ଜେଇର ବିଶେଷ ମହତ୍ୱ ରହିଛି । ଏହି ସବୁ ଧର୍ମରେ ଗଞ୍ଜେଇକୁ ଔଷଧୀୟ ଗୁଣବତ୍ତା ବିଶିଷ୍ଟ ପଦାର୍ଥ ଭାବେ ବ୍ୟବହାର କରାଯାଇଥାଏ । ଏସବୁ ପରେ ବି ଗଞ୍ଜେଇ ବା ଭାଙ୍ଗକୁ ନେଇ ସର୍ବପୁରାତନ ଆଲେଖ୍ୟ ଭାରତରେ ହିଁ ମିଳିଥାଏ ।  ସନାତନ ଧର୍ମରେ ଗଞ୍ଜେଇକୁ ବିଶେଷ ଧ୍ୟାନ ଦିଆଯାଉଥିଲା । 

ବହୁ ପୂର୍ବରୁ ଏହି ପ୍ରସଙ୍ଗକୁ ନେଇ ସଂସଦରେ ଆଲୋଚନା ମଧ୍ୟ ହୋଇଥିଲା ।  ମାନେକା ଗାନ୍ଧି ଏହାକୁ ଔଷଧୀୟ ଗୁଣ ଭାବେ ବ୍ୟବହାର କରିବାକୁ ଅନୁମତି ଦେବାକୁ ଏକ ପ୍ରସ୍ତାବ ଦେଇଥିଲେ ।  ସେହିପରି ପୂର୍ବତନ ସାଂସଦ ତଥାଗତ ସତପଥୀ ମଧ୍ୟ ଏହି ପ୍ରସଙ୍ଗରେ ସଂସଦରେ ପ୍ରସ୍ତାବ ଦେଇଥିଲେ ।  ତେବେ ଏହାକୁ ଔଷଧୀୟ ଗୁଣ ଭାବେ ବ୍ୟବହାର ନ କରି ପ୍ରତିଦିନ ଗ୍ରହଣ କଲେ ସ୍ୱାସ୍ଥ୍ୟ ଖରାପ ହେବା ସ୍ୱାଭାବିକ ।  କାରଣ ପ୍ରତିବର୍ଷ ଗଞ୍ଜେଇ ସେବନଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ କେତେକାଂଶରେ ଘଟିଥାଏ ।  ଅତ୍ୟଧିକ ଗଞ୍ଜେଇ ସେବନ ଯୋଗୁ ଉଚ୍ଚ ରକ୍ତଚାପର ଆଶଙ୍କା ରହିଥାଏ।  ୨୦୧୧ ମସିହାରେ ନ୍ୟାସନାଲ ସେଣ୍ଟର ଫର୍ ହେଲଥ ଷ୍ଟାଟିସଟିକ୍ସ ତରଫରୁ ୧,୨୧୩ ଜଣଙ୍କୁ ନେଇ ଏକ ସର୍ଭେ କାରଯାଇଥିଲା ।  ସେମାନଙ୍କ ଭିତରୁ ୩୪ ପ୍ରତିଶତ ଗଞ୍ଜେଇ କିମ୍ବା ସିଗାରେଟ ସେବନ କରୁ ନ ଥିଲେ ।  ୨୧ ପ୍ରତିଶତ କେବଳ କେବଳ ଗଞ୍ଜେଇ ସେବନ କରୁଥିଲେ ।  ୨୦ ପ୍ରତିଶତ ଉଭୟ ଗଞ୍ଜେଇ ଓ ସିଗାରେଟ ସେବନ କରୁଥିଲେ । ୧୬ ପ୍ରତିଶତ ପୂର୍ବରୁ ଗଞ୍ଜେଇ ସେବନ କରୁଥିଲେ ।  ୫ପ୍ରତିଶତ ପୂର୍ବରୁ ଧୂମପାନ କରୁଥିଲେ ।  ଆଉ ୪ ପ୍ରତିଶତ କେବଳ ସିଗାରେଟ୍ ସେବନ କରୁଥିଲେ ।  ତନ୍ମଧ୍ୟରୁ ଗଞ୍ଜେଇ ସେବନର ହାରାହାରି ଅବଧି ଥିଲା ସାଢ଼େ ୧୧ବର୍ଷ । 
ତେବେ ମଦ ଭଳି ଗଞ୍ଜେଇରୁ ମଧ୍ୟ ସରକାର ବହୁ ପରିମାଣରେ ରାଜସ୍ୱ ଆଦାୟ କରି ପାରିବେ ।  ଏହାକୁ ଚାଷ କରିବାକୁ ଅନୁମତି ପ୍ରଦାନ କଲେ ରାଜ୍ୟ ସରକାର ଏହାକୁ ବ୍ୟବହାର କରି ଏଥିରୁ ଔଷଧ ସମେତ ବାୟୋ ଫୁଏଲ, ବସ୍ତ୍ର ଆଦି ପ୍ରସ୍ତୁତ କରିପାରିବେ ।  ତେଣୁ ତଥାଗତ ସତପଥୀଙ୍କ ଅନୁସାରେ ଏହାକୁ ବୈଧ ନ କଲେ ବି ଅନ୍ତତଃପକ୍ଷରେ ଡିକ୍ରିମିନାଲାଇଜ୍ ବା 'ଅପରାଧ ନୁହେଁ' ଶ୍ରେଣୀଭୁକ୍ତ କରିବା ଜରୁରୀ ।