ଡିଲ୍ ବେଳେ ରାଜଧାନୀରୁ 'ସାପ ବିଷ' ରାକେଟ ଠାବ
Advertisement

ଡିଲ୍ ବେଳେ ରାଜଧାନୀରୁ 'ସାପ ବିଷ' ରାକେଟ ଠାବ

ସାପ ବିଷ ବିକ୍ରି କରୁଥିବା ରାକେଟ ପଛରେ ବଡ ବଡିଆ କିଙ୍ଗପିନ୍ ରହିଛନ୍ତି। ଏଭଳି ଏକ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଧରିବାରେ ଶନିବାର ବନ ବିଭାଗ ସଫଳ ହୋଇଛି।

ଡିଜାଇନ ଫଟୋ

ଭୁବନେଶ୍ବର: ବାଘ ଛାଲ, ହାତୀ ଦାନ୍ତ ପରେ ଓଡିଶାର ସାପ ଉପରେ ତସ୍କରଙ୍କ ନଜର। ରାଜଧାନୀ ଭୁବନେଶ୍ବରରେ ସାପ ବିଷର ଡିଲ୍ ହେଉଛି। ଟଙ୍କା ଦେଲେ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ସାପ ଧରାଯାଇ ସେମାନଙ୍କ ବିଷ ବିକ୍ରି କରାଯାଉଛି। ସାପ ବିଷ ବିକ୍ରି କରୁଥିବା ରାକେଟ ପଛରେ ବଡ ବଡିଆ କିଙ୍ଗପିନ୍ ରହିଛନ୍ତି। ଏଭଳି ଏକ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ଧରିବାରେ ଶନିବାର ବନ ବିଭାଗ ସଫଳ ହୋଇଛି।

ରାଜଧାନୀ ଭୁବନେଶ୍ବର (Bhubaneswar) ର ଫରେଷ୍ଟ ପାର୍କ ଅଂଚଳରେ ସାପ ବିଷ (Snake venom) ବିକ୍ରି ପାଇଁ ଡିଲ୍ ବେଳେ ଫରେଷ୍ଟ ଅଧିକାରୀଙ୍କ ହାବୁଡରେ ଦୁର୍ବୃତ୍ତ ପଡିଛନ୍ତି। ପଶ୍ଚିମ ଓଡିଶାରୁ ସାପ ବିଷ ବସରେ ଆସିବା ପରେ ଭୁବନେଶ୍ବରରେ ଡିଲ୍ ହେଉଥିଲା। ଗ୍ୟାଙ୍ଗର ସଦସ୍ୟଙ୍କ ମଧ୍ୟରେ ବରଗଡ, ଭୁବନେଶ୍ବର ଓ ବାଲେଶ୍ବରର କିଛି ପୁରୁଷ ଥିବା ବେଳେ ଜଣେ ମହିଳା ରହିଛନ୍ତି। ବସରେ ଆସୁଥିବା ସାପ ବିଷକୁ ବିକ୍ରି କଲେ ୧୦ ଲକ୍ଷ ଟଙ୍କା ମିଳିବ ବୋଲି ଗ୍ୟଙ୍ଗ କିଙ୍ଗପିନ୍ ଲୋଭ ଦେଖାଇଥିଲେ।। ବିଶ୍ବସ୍ତ ସୁତ୍ରରୁ ଖବର ପାଇବା ପରେ ଏଭଳି ଏକ ଗ୍ୟାଙ୍ଗର କିଛି ସଦସ୍ୟଙ୍କୁ ବନ ବିଭାଗ ଗିରଫ କରିଛି। 

Also Read: କୋରୋନାର ଛାଟ: ପର୍ବପର୍ବାଣୀ ଉପରେ କଟକଣା

ସେମାନଙ୍କ ନିକଟରୁ ପ୍ରାୟ ଏକ ଲିଟର ସାପ ବିଷ ଜବତ ହୋଇଛି। ଜବତ ସାପ ବିଷର ମୂଲ୍ୟ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ତେବେ ଅଭିଯୁକ୍ତମାନେ କେବଳ ୧୦ ଲକ୍ଷ ଟଙ୍କା ଡିଲ୍ କରିଥିବା ଜଣାପଡିଛି। ଏହା ପୂର୍ବରୁ ଅନେକବାର ସାପ ବିଷ ରାକେଟ ଧରିବାରେ ବନ ବିଭାଗ ସଫଳ ହୋଇଛି। ହେଲେ ଏତେ ମାତ୍ରାରେ ସାପ ବିଷ ଧରାପଡିବା ଓଡିଶାରେ ପ୍ରଥମ।

ସାପ ବିଷକୁ ଆଣ୍ଟି ଭେନମ୍ (Anti venom) ବା ସାପ କାମୁଡା ଇଂଜେକସନ ପ୍ରସ୍ତୁତ କରାଯାଏ। ଏଥିପାଇଁ ରାକେଟ ପଛକେ ବଡ ଫାର୍ମା କମ୍ପାନୀର ମିଡିଲ ମ୍ୟାନ ସାମିଲ ଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ବିଶେଷ କରି ସାପ ବିଷର କ୍ବାଲିଟି ଦେଖିବା ପରେ ଖୁବ କମ ସମୟ ମଧ୍ୟରେ ଏହାକୁ ସଂଗ୍ରହ କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। 

Also Read: ଶୀଥିଳ ପୋକ୍ସୋ କୋର୍ଟ, ନ୍ୟାୟ ଅପେକ୍ଷାରେ ୪ ହଜାରରୁ ଅଧିକ ନିର୍ଯାତନାର ଶୀକାର ଶିଶୁ

ଏତେ ମାତ୍ରାରେ ସାପ ବିଷ ସଂଗ୍ରହ କରିବା ପାଇଁ ଏକାଧିକ ସାପର ଆବଶ୍ୟକତା ରହିଛି। ଏହା ପଛରେ ସୁସଂଗଠିତ ଗ୍ୟାଙ୍ଗର କିଛି ଲୋକ ଥିବା କୁହାଯାଉଛି। ଏ ନେଇ ସମ୍ପୃକ୍ତ ଲୋକଙ୍କୁ ବନ ବିଭାଗ ଜେରା ଆରମ୍ଭ କରିଛି। ବିନା ଅନୁମତିରେ ସାପ ବିଷ ସଂଗ୍ରହ ଓ ବିକ୍ରି କରିବା ଦଣ୍ଡନୀୟ ଅପରାଧ। ତେଣୁ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ଅଧିକାରୀ କହିଛନ୍ତି।

ପୂର୍ବରୁ କଲରାପତରିଆ ବାଘ, ହାତୀଙ୍କୁ ହତ୍ୟା କରି ସେମାନଙ୍କ ଅଙ୍ଗକୁ ବିକ୍ରି କରୁଥିବା ଅନେକ ଗ୍ୟାଙ୍ଗକୁ ଠାବ କରାଯାଇଛି। ହେଲେ ସାପ ବିଷ ଧରିବା ସେଇଆ ପୁଣି ଏତେ ମାତ୍ରାରେ ନିଶ୍ଚିତ ଭାବେ ବନ ବିଭାଗର ବଡ ସଫଳତା। ହେଲେ ଏହା ପଛରେ ଥିବା କିଙ୍ଗପିନକୁ ଧରି ନ ପାରିଲେ ଏହି ବେଆଇନ ବ୍ୟବସାୟ ରୋକିବା କାଠିକର ପାଠ ହେବ।