ସରକାର ଓ ବିଏମ୍ସି ଏମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା ବି କରିଛନ୍ତି । ହେଲେ ଅନେକ ସ୍ୱେଚ୍ଛାସେବୀ ମାନବ ସେବାର ଆଗ୍ରାହ ନେଇ ଆଗକୁ ଆସିଛନ୍ତି । ଖାଦ୍ୟ ପ୍ରସ୍ତୁତ କରି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଏମାନଙ୍କ ଭୋକ ମେଣ୍ଟାଇବାରେ ସମର୍ଥ ହୋଇଛନ୍ତି ।
Trending Photos
)
ଯଯାତି ମହାନ୍ତି, ଭୁବନେଶ୍ୱର: କୋରୋନା ପାଇଁ ଏବେ ସବୁଠି କଟକଣା ବଳବତ୍ତର ରହିଛି । ସାମାଜିକ ଦୂରତ୍ୱ ବଜାୟ ରଖିବା ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି । ସରକାରୀ ଗାଇଡ଼୍ଲାଇନ୍ ନୁହେଁ, ବରଂ ଲୋକେ ମଧ୍ୟ ଏହାର ଆବଶ୍ୟକତାକୁ ବୁଝିଲେଣି । ରାଜଧାନୀ ଭୁବନେଶ୍ୱର ସାରା ରାଜ୍ୟ ପାଇଁ ହଟସ୍ପଟ ଭାବେ ଉଭା ହୋଇଛି । ଏଭଳି ସ୍ଥିତିରେ ନିଜ ପେଟ ଖଣ୍ଡକ ପାଇଁ ରାଜଧାନୀ ଆସିଥିବା ହଜାର ହଜାର ଦିନ ମଜୁରିଆ, ଶ୍ରମିକ ଶ୍ରେଣୀର ଲୋକେ ନିଜ ପାଇଁ ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି । ସରକାର ଓ ବିଏମ୍ସି ଏମାନଙ୍କ ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା ବି କରିଛନ୍ତି । ହେଲେ ଅନେକ ସ୍ୱେଚ୍ଛାସେବୀ ମାନବ ସେବାର ଆଗ୍ରାହ ନେଇ ଆଗକୁ ଆସିଛନ୍ତି । ଖାଦ୍ୟ ପ୍ରସ୍ତୁତ କରି ରାଜଧାନୀର ବିଭିନ୍ନ ଅଞ୍ଚଳ ବୁଲି ଏମାନଙ୍କ ଭୋକ ମେଣ୍ଟାଇବାରେ ସମର୍ଥ ହୋଇଛନ୍ତି । ଆସନ୍ତୁ ନଜର ପକାଇବା ରାଜଧାନୀର କୋରୋନା କିଚେନ୍ ଉପରେ ।
ନିଉ ଫରେଷ୍ଟ ପାର୍କ ଅଞ୍ଚଳ । ସମୟ : ଦିନ ପ୍ରାୟ ୧୨ଟା । ଆମ କ୍ୟାମେରା ଟିମ୍ ପହଞ୍ଚିଥିଲା ଏଠାରେ । ୧୦ରୁ ୧୨ ଜଣ ଲୋକେ ଖାଦ୍ୟ ପୁଡ଼ିଆ ପ୍ରସ୍ତୁତ କରୁଥିଲେ । ପ୍ରାୟ ୨ ହଜାର ଲୋକଙ୍କ ପାଇଁ ଖାଦ୍ୟ ପୁଡ଼ିଆ ପ୍ୟାକିଂ କାମରେ ଲାଗିଥିଲେ ଯୁବକ । ପାକଶାଳାରେ ଚୁଲି ଉପରେ ବସିଥିଲା ବଡ଼ ବଡ଼ ଡ଼ିସ୍ । ଭାତ ଡାଲମା ତିଆରି ଚାଲିଥିଲା । ସମସ୍ତଙ୍କ ମୁହଁରେ ଥିଲା ମାସ୍କ ଆଉ କୋରୋନା କିଚେନ୍ ବି ଥିଲା ସଫା ସୁତୁରା । ରାସ୍ତା ଉପରେ ଲାଗିଥିଲା ଗାଡ଼ି । ଯେଉଁଥିଲେ ଖାଦ୍ୟ ପୁଡ଼ିଆ ଲୋଡ଼୍ ହୋଇ ବିଭିନ୍ନ ଅଞ୍ଚଳକୁ ଯାଉଥିଲା । ଭୁବନେଶ୍ୱର ମହାନଗର ନିଗମର ଅନୁମତିରେ ଏହି ଯୁବକମାନେ ଖାଦ୍ୟ ପହଞ୍ଚାଉଥିଲେ ଅସହାୟଙ୍କ ପାଖରେ । ଏହି ସ୍ୱେଚ୍ଛାସେବୀମାନଙ୍କ ନେତୃତ୍ୱ ନେଉଥିଲେ ଉମେଶ ଖଣ୍ଡେଲୱାଲ୍ । ପ୍ରଥମେ ନିଜ ପକେଟରୁ ଆରମ୍ଭ କରି ଭୋକିଲାଙ୍କୁ ଖାଦ୍ୟ ବାଣ୍ଟିବା ପ୍ରକ୍ରିୟା ଆରମ୍ଭ କରିଥିଲେ । ଧିରେ ଧିରେ ଏଥିରେ ଯୋଡ଼ି ହୋଇଥିଲେ କିଛି ବଦାନ୍ୟ ବ୍ୟକ୍ତି । କିଏ ଶ୍ରମ ଦାନ କରୁଥିଲା ତ ଆଉ କିଏ ଅର୍ଥ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଡାକରାରେ ସାମିଲ ହୋଇଥିଲେ ଏମାନେ । କାହାକୁ ଭୋକିଲା ରଖିବା ନାହିଁ । ଏହି ମନ୍ତ୍ରକୁ ଆପଣାଇଛନ୍ତି ଏମାନେ ।
କଟକ ରୋଡର ଚିନ୍ତାମଣିଶ୍ୱେର ବସ୍ତି ଅଞ୍ଚଳ ହେଉ କି ରାଜଧାନୀର ମଣିଷ ହାଟ ଭାବେ ପରିଚିତ ନୟାପଲ୍ଲୀ ପୂଜା ମଣ୍ଡପ ଅଞ୍ଚଳ ହେଉ । ଏମାନଙ୍କ ଟିମ୍ ଖାଦ୍ୟ ଗାଡ଼ି ସହ ଏଠାରେ ପହଞ୍ଚି ଭୋକିଲାଙ୍କ ହାତରେ ଧରାଉଥିଲେ ଖାଦ୍ୟ ପୁଡ଼ିଆ । ବାହାର ରାଜ୍ୟରୁ ଆସି ଏଠାରେ ଫସିଥିବା ଶ୍ରମିକମାନଙ୍କ ପାଖରେ ରୋଷେଇ ସାମଗ୍ରୀ ବି ପହଞ୍ଚାଉଥିଲେ ।
୨୨ଦିନ ଧରି ଚାଲିଛି ଏହି କାର୍ଯ୍ୟକ୍ରମ । ବିଏମ୍ସିର ସହାୟତାରେ ଏମାନେ ନିଜ ପକେଟରୁ ହେଉ କି ଅନ୍ୟମାନଙ୍କ ଦାନରେ ହେଉ ଖାଦ୍ୟ ରୋଷେଇ କରି ଅସହାୟଙ୍କ ପାଖରେ ଖାଦ୍ୟ ପହଞ୍ଚାଇବା କିଛି ସହଜ କଥା ନୁହେଁ । ଦିନକୁ ପ୍ରାୟ ୨ହଜାର ଲୋକଙ୍କୁ ରନ୍ଧାଖାଦ୍ୟ ଦେଉଥିବା ଏହି ସ୍ୱେଚ୍ଛାସେବୀମାନେ ଲକଡାଉନ୍ ଥିବା ପର୍ଯ୍ୟନ୍ତ ଏବଂ ସ୍ଥିତି ନ ସୁଧୁରିବା ପର୍ଯ୍ୟନ୍ତ ସମସ୍ତ ଭୋକିଲାଙ୍କ ପାଖରେ ଖାଦ୍ୟ ପହଞ୍ଚାଇବାକୁ ପଣ କରିଛନ୍ତି ।