ମହାପ୍ରସାଦ ସହ ସେଲ୍ଫି ନେଇ ଅଡୁଆ ନା ଚର୍ଚ୍ଚାରେ ଯୁବକ !
Advertisement

ମହାପ୍ରସାଦ ସହ ସେଲ୍ଫି ନେଇ ଅଡୁଆ ନା ଚର୍ଚ୍ଚାରେ ଯୁବକ !

ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଅଭ୍ୟନ୍ତରର ଫଟୋ । ଏଥର ମହାପ୍ରସାଦ ସହ ସେଲ୍ଫି ନେଇ ଚର୍ଚ୍ଚାରେ ଯୁବକ । ତେବେ ମନ୍ଦିର ମଧ୍ୟକୁ ମୋବାଇଲ କିମ୍ବା କ୍ୟାମେରା ପ୍ରବେଶ ନେଇ ଅନୁମତି ନ ଥିବା ବେଳେ ସମ୍ପୃକ୍ତ ଯୁବକ କିପରି ଭିତରେ ମୋବାଇଲ ସହ ପ୍ରବେଶ କରିଥିଲେ ତାହା ଏବେ ବଡ଼ ପ୍ରଶ୍ନ । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହିତାଂଶୁ ଶେଖର ମହାନ୍ତ, ଭୁବନେଶ୍ୱର: ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଅଭ୍ୟନ୍ତରର ଫଟୋ । ଏଥର ମହାପ୍ରସାଦ ସହ ସେଲ୍ଫି ନେଇ ଚର୍ଚ୍ଚାରେ ଯୁବକ । ତେବେ ମନ୍ଦିର ମଧ୍ୟକୁ ମୋବାଇଲ କିମ୍ବା କ୍ୟାମେରା ପ୍ରବେଶ ନେଇ ଅନୁମତି ନ ଥିବା ବେଳେ ସମ୍ପୃକ୍ତ ଯୁବକ କିପରି ଭିତରେ ମୋବାଇଲ ସହ ପ୍ରବେଶ କରିଥିଲେ ତାହା ଏବେ ବଡ଼ ପ୍ରଶ୍ନ । ଶ୍ରୀମନ୍ଦିର ଭିତରୁ ସେ ଖାଲି ଫଟୋ ଉଠାଇ ଆଣି ନ ଥିଲେ । ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ ମଧ୍ୟ କରିଥିଲେ । ଯାହା ପରବର୍ତ୍ତୀ ସମୟରେ ଭାଇରାଲ୍ ହୋଇଛି । ଆନନ୍ଦ ବଜାରରେ ମହାପ୍ରସାଦ ସହ ପିଣ୍ଟୁ ମହାପାତ୍ର ନାମକ ଏହି ଯୁବକଙ୍କ ସେଲ୍ଫି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ପିଣ୍ଟୁ ମହାପାତ୍ର ନିଜ ଫେସବୁକ୍ ଆକାଉଣ୍ଟରେ ଏହି ଫଟୋ ଗତ ଅଗଷ୍ଟ ୧୯ରେ ପୋଷ୍ଟ କରିଥିଲେ ।

fallback

ତା'ଛଡ଼ା ନିକଟରେ ଦୁଇ ଜଣ ଯୁବତୀ ଶ୍ରୀମନ୍ଦିର ଭିତରେ ଭିଡିଓ ସୁଟିଂ କରି ଏହାକୁ ନିଜ ଟିକଟକ୍ ଆକାଉଣ୍ଟରେ ଭାଇରାଲ୍ କରିଥିଲେ । ଏହି ଘଟଣାରେ ନିରାକାରପୁର ଅଞ୍ଚଳର ସମ୍ପୃକ୍ତ ଦୁଇ ଯୁବତୀଙ୍କୁ ଉଠାଇ ଆଣିଥିଲା ପୋଲିସ । ଏହାପରେ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ି ଦେଇଥିଲା । ଅତୀତରେ ବହୁ ସାଧାରଣ ଭକ୍ତ ଓ ଶ୍ରଦ୍ଧାଳୁଙ୍କଠାରୁ ଆରମ୍ଭ କରି ସେବାୟତଙ୍କ ପର୍ଯ୍ୟନ୍ତ ଅନେକ ବ୍ୟକ୍ତି ଶ୍ରୀମନ୍ଦିର ଭିତରକୁ କ୍ୟାମେରା ଓ ମୋବାଇଲ ନେଇ ଫଟୋ ଉଠାଇଛନ୍ତି । ଏହାକୁ ବିଭିନ୍ନ ମାଧ୍ୟମରେ ଭାଇରାଲ ମଧ୍ୟ କରିଛନ୍ତି । ଏପରିକି ନବକଳେବର ବର୍ଷ ଏପରି ଏକାଧିକ ଘଟଣା ସାମ୍ନାକୁ ଆସିଥିଲା, ଯାହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନକୁ ମଧ୍ୟ ସଫେଇ ଦେବାକୁ ପଡ଼ିଥିଲା । ତେବେ ଗୋଟିଏ କଥା ସ୍ପଷ୍ଟ, ଯେପର୍ଯ୍ୟନ୍ତ ନିଜ ମଧ୍ୟରେ ଏହାକୁ ନେଇ ସଚେତନତା ଜାଗ୍ରତ ନ ହୋଇଛି, ସେପର୍ଯ୍ୟନ୍ତ ପୋଲିସ କି ଆଇନକାନୁନ କିଛି ରୋକି ପାରିବ ନାହିଁ । କାରଣ ପ୍ରତିଦିନ ଲକ୍ଷାଧିକ ଭକ୍ତ ମନ୍ଦିର ଭିତରକୁ ଯାଉଥିବାରୁ, ପ୍ରତ୍ୟେକଙ୍କ ମୋବାଇଲ ଚେକିଂ କରିବା ଏତେଟା ସହଜ ନୁହେଁ ।

ଶ୍ରୀମନ୍ଦିରକୁ ମୋବାଇଲ ଫୋନ ନେବା ସମ୍ପୂର୍ଣ୍ଣ ନିଷେଧ ଥିବାବେଳେ ବାରମ୍ବାର ଶ୍ରୀମନ୍ଦିର ଭିତର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ କିପରି ଭାଇରାଲ୍ ହେଉଛି ତାହା ବର୍ତ୍ତମାନ ସମୟର ବଡ଼ ପ୍ରଶ୍ନ । ତା'ଛଡ଼ା ପିଣ୍ଟୁ ମହାପାତ୍ର ଭାଇରାଲ କରିଥିବା ଫଟୋଟି ମଧ୍ୟ ଏବେକାର ନୁହେଁ । ଏହା ଫେସବୁକରେ ଅପଲୋଡ୍ ହେବାର ୩ ମାସରୁ ମଧ୍ୟ ଅଧିକ ସମୟ ବିତିଗଲାଣି । ତେଣୁ ଏତେଦିନ ପରେ ପୋଲିସ ଏହି ଘଟଣାରେ ଯେ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିବ, ସେପରି ଆଶା କରିବା ମଧ୍ୟ ବୋକାମୀ । ପୋଲିସ ହେଉ ବା ସରକାର, ସେମାନେ ସେଇଠି କିଛି କାର୍ଯ୍ୟାନୁଷ୍ଠାନ ନେଇଥା'ନ୍ତି, ଯେଉଁଠି ଏହାକୁ ନେଇ ଚର୍ବିତ ଚର୍ବଣ ଟିକେ ଅଧିକା ହୋଇଥାଏ । ନହେଲେ ତ ଆଜି ବି ଡ୍ରୋନ୍ ସାହାଯ୍ୟରେ ଉଠାଯାଇଥିବା ଶ୍ରୀମନ୍ଦିର ଉପରର ଦୃଶ୍ୟକୁ ନେଇ ସମସ୍ତଙ୍କ ପାଟି ଚୁପ୍ । ପୁରାତନ ବିଗ୍ରହଙ୍କ ପାତାଳି ହେବା ସମୟର ଦୃଶ୍ୟ ମଧ୍ୟ ମୋବାଇଲରେ କଏଦ କରି ଭାଇରାଲ କରିଥିଲେ ଖୋଦ୍ ସେବାୟତ । ତେଣୁ ପିଣ୍ଟୁ ମହାପାତ୍ରଙ୍କ ମହାପ୍ରସାଦ ସେଲ୍ଫି ଘଟଣାରେ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ଦେଖିବାର କଥା ।