ପାନୀୟ ଜଳରେ ସମସ୍ୟା ହେଲେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ସବୁଠି କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । ଗ୍ରାମାଞ୍ଚଳ ପାଇଁ ଟୋଲ୍ ଫ୍ରି ନମ୍ବର ହେଉଛି ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦୩୪୫୬୭୮୩ ।
Trending Photos
ଯଯାତି ମହାନ୍ତି, ଭୁବନେଶ୍ୱର: ଖରା ମାଡ଼ିଆସିଲାଣି । ଖରାର ପ୍ରକୋପରେ ଗାଁ ଠାରୁ ସହର ଲୋକେ ଅସ୍ତବ୍ୟସ୍ତ ହେବା ଆରମ୍ଭ କଲେଣି । ଗୋଟିଏ ପଟେ କୋରୋନା କଟକଣା ସାଙ୍ଗକୁ ଆଉ ଗୋଟିଏ ପଟେ ଲୋକଙ୍କୁ ପାନୀୟ ଜଳ ଚିନ୍ତା । ଖରାଦିନେ ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ପାଇଁ ସରକାର ତତ୍ପରତା ଦେଖାଇଛନ୍ତି । ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଯେନା ଉଭୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ପାନୀୟ ଜଳ ସମସ୍ୟା ନେଇ ଆଲୋଚନା କରିବା ସହ ସ୍ଥିତିର ସମୀକ୍ଷା କରିଛନ୍ତି । ପାନୀୟ ଜଳରେ ସମସ୍ୟା ହେଲେ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ସବୁଠି କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ଟୋଲ୍ ଫ୍ରି ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । ଗ୍ରାମାଞ୍ଚଳ ପାଇଁ ଟୋଲ୍ ଫ୍ରି ନମ୍ବର ହେଉଛି ୧୯୧୬ ଏବଂ ସହରାଞ୍ଚଳ ପାଇଁ ୧୮୦୦୩୪୫୬୭୮୩ ।
ଖରାଦିନ ଆସିଲେ ସମସ୍ତଙ୍କୁ ପାନୀୟ ଜଳ ଚିନ୍ତା ଘାରିବା ସ୍ୱାଭାବିକ । ଗାଁ ମୁଣ୍ଡରେ , ଘର ଦୁଆରେ ବିଶୁଦ୍ଧ ପାନୀୟ ଜଳ ମିଳିବା ରାଜ୍ୟର କିଛି ଅଞ୍ଚଳ ପାଇଁ ଏବେ ବି ସାତ ସପନ । ଖରାର ପ୍ରକୋପ ବଢୁଥିବା ବେଳେ ରାଜ୍ୟବାସୀଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ସରକାର ତତ୍ପରତା ଦେଖାଇଛନ୍ତି । ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ କିପରି ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ଉପଲବ୍ଧ ହେବ, ସେନେଇ ବ୍ୟବସ୍ଥା କରିଛନ୍ତି ସରକାର । ପାଇପ୍ ପାଣି ପ୍ରକଳ୍ପ ହେଉ କି ଟ୍ୟୁବୱେଲ, ଜଳ ସଙ୍କଟ ସ୍ଥାନରେ ଟ୍ୟାଙ୍କର ଯୋଗେ ପାଣି ପହଞ୍ଚାଇବା ହେଉ କି ଅନ୍ୟ କୌଣସି ବିକଳ୍ପ, ଖରାଦିନେ ଲୋକଙ୍କ ପାଖରେ ବିଶୁଦ୍ଧ ପାଣି ଯୋଗାଇବା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ଲୋକସେବା ଭବନରେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ମନ୍ତ୍ରୀ ସ୍ଥିତିର ସମୀକ୍ଷା କରିବା ସହ ଦୁଇଟି ଟୋଲ୍ ଫ୍ରୀ ନମ୍ବର ଜାରି କରିଛନ୍ତି । ଗ୍ରାମାଞ୍ଚଳରେ ବ୍ଲକ ଓ ଉପଖଣ୍ଡ ସ୍ତରରେ କଣ୍ଟ୍ରୋଲ ରୁମ୍ ଖୋଲାଯିବା ସହ ଟୋଲ୍ ଫ୍ରି ନମ୍ବର ହେଉଛି ୧୯୧୬ ।
ଗ୍ରାମାଞ୍ଚଳ ସାଙ୍ଗକୁ ସହରାଞ୍ଚଳରେ ବି ଜଳ ସଙ୍କଟ କିଛି କମ୍ ନୁହେଁ । ରାଜଧାନୀ ସମେତ ରାଜ୍ୟର ଅନେକ ସହରରେ ଜଳ ସଙ୍କଟ ଉତ୍କଟ । କେଉଁଠି ଜଳର ଅଭାବ ରହିଛି ତ ଆଉ କେଉଁଠି ଜଳ ଥିଲେ ବି ଯୋଗାଣ ହୋଇପାରୁନାହିଁ । ଏସବୁ ସ୍ଥିତିକୁ ଦେଖି ତୁରନ୍ତ ଅଚଳ ନଳକୂପ ସଜାଡ଼ିବାକୁ ନିର୍ଦ୍ଦେଶ ଦେବା ସହ ଆବଶ୍ୟକ ପଡ଼ିଲେ ନୂଆ ନଳକୂପ ପ୍ରକଳ୍ପ ଆରମ୍ଭ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ଜାଗାରେ ଜଳ ଉତ୍ସ ଏବଂ ଜଳ ଯୋଗାଣ ହୋଇପାରୁନାହିଁ, ସେସବୁ ଅଞ୍ଚଳରେ ଲୋକଙ୍କ ପାଖରେ ଟ୍ୟାଙ୍କର ଯୋଗେ ପାଣି ପହଞ୍ଚାଇବାକୁ ଯୋଜନା କରିଛି ନଗର ଉନ୍ନୟନ ବିଭାଗ । ସହରାଞ୍ଚଳ ପାଇଁ ମଧ୍ୟ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ତାହା ହେଲା ୧୮୦୦୩୪୫୬୭୮୩ ।
କୋରୋନା କଟକଣା ସମୟରେ ପ୍ରତି ପଞ୍ଚାୟତରେ ଅସହାୟମାନଙ୍କୁ ଖାଦ୍ୟ ଓ ପାନୀୟ ଯୋଗାଇବାର ବ୍ୟବସ୍ଥା କରାଯାଇଛି । ଆବଶ୍ୟକ ସ୍ଥଳେ ରନ୍ଧାଖାଦ୍ୟର ବ୍ୟବସ୍ଥା ବି କରାଯାଇଛି । ହେଲେ ସରକାରଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଏକ ପ୍ରକାର ଆହ୍ୱାନ ଭାବେ ଉଭା ହୋଇଛି ।