ଆଉ କୋହଳ ହେବ ନାହିଁ ଟ୍ରାଫିକ୍ ନିୟମ

ରଙ୍ଗ ରୁଟ୍  ଯିବା ହେଉ କି ହେଲମେଟ ନପିନ୍ଧି ଗାଡ଼ି ଚଳାଇବା, ମଦ୍ୟପ ଚାଳକଙ୍କୁ ସାବାଡ଼ କରିବା ହେଉ କି ଲୋକଙ୍କୁ ଟ୍ରାଫିକ୍ ନିୟମ ବିଷୟରେ ସଚେତନ କରିବା ହେଉ ଏବେ ରାଜଧାନୀ ସମେତ ବିଭିନ୍ନ ସହରରେ ଯାଞ୍ଚ ବ୍ୟବସ୍ଥା ଜାରି ରହିଛି ।

ଆଉ କୋହଳ ହେବ ନାହିଁ ଟ୍ରାଫିକ୍ ନିୟମ

 ଯଯାତି ମହାନ୍ତି, ଭୁବନେଶ୍ୱର: ମାର୍ଚ୍ଚ ମାସରୁ ଆଉ କୋହଳ ହେବ ନାହିଁ ଟ୍ରାଫିକ୍ ନିୟମ । ଆଉ କୋହଳର ପ୍ରଶ୍ନ ଉଠୁନାହିଁ ବୋଲି ବାଣିଜ୍ୟ ପରିବହନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏବେ ଧିରେ ଧିରେ ଚାଳକ ସଚେତନ ହେଲେଣି । ଆର୍ଟିଓ କାର୍ଯ୍ୟାଳୟରେ ବି ଭିଡ଼ କମିଲାଣି । ୩ ମାସର ଛାଡ଼ ଅବଧି ପରେ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି କରାଯିବ । ସେହିଭଳି ଅନଲାଇନ  ଜରିଆରେ ବିଭିନ୍ନ ଜାଗାରେ ଭୁଲ ଚାଲାଣ କଟାଯିବାକୁ ମନ୍ତ୍ରୀ ସ୍ୱୀକାର କରିଛନ୍ତି । 
ଏହାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି । ଆସନ୍ତା ୧୮ ତାରିଖରେ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ ଟ୍ରାଫିକ୍ ନିୟମ ପାଳନ ନେଇ ଚାଳକଙ୍କ ରହୁଥିବା ସମସ୍ୟା ଓ ସମାଧାନ ବାଦରେ ବିସ୍ତୃତ ଭାବେ ଆଲୋଚନା ହେବ ବୋଲି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ଟ୍ରାଫିକ୍ ନିୟମକୁ ନେଇ ଏବେ ସବୁଠି ଚାଲିଛି ଯାଞ୍ଚ । କାଗଜପତ୍ରରେ ଯଦିଓ ଆଉ ତିନି ମାସର କୋହଳ କରିଛନ୍ତି ସରକାର, ହେଲେ ଟ୍ରାଫିକ୍ ଆଇନ ଉଲ୍ଲଙ୍ଘନ କଲେ ମିଳୁଛି ଦଣ୍ଡ । ଲାଗୁଛି ଜୋରିମାନା । ସିଧାସଳଖ ନ ଦେଲେ ଘରକୁ ଯାଉଛି ଚାଲାଣ । ପୋଲିସ ସାଙ୍ଗକୁ ଆର୍ଟିଓ ଅଧିକାରୀବି ରାସ୍ତାଘାଟରେ କରୁଛନ୍ତି ଯାଞ୍ଚ । କେବଳ ଡ଼୍ରାଇଭିଙ୍ଗ ଲାଇସେନ୍ସ, ପ୍ରଦୂଷଣ ସାର୍ଟିଫିକେଟ୍, ଇନ୍ସୁରାନ୍ସ ସାଟିଫିକେଟ ଏବଂ ଫିଟ୍ନେସ୍ ସାର୍ଟିଫିକେଟ ହାସଲ କରିବାକୁ ସମୟ ଲାଗୁଥିବାରୁ ଏଥିରେ କୋହଳ କରାଯାଇଛି । ଡ଼ିସେମ୍ବର ପହିଲାରୁ ଫେବୃଆରୀ ପର୍ଯ୍ୟନ୍ତ କୋହଳ କରିଛନ୍ତି ସରକାର  ହେଲେ ମାର୍ଚ୍ଚ ପରଠାରୁ ଆଉ କୋହଳ ହେବନି ନିୟମ । ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ଏହା ସ୍ପଷ୍ଟ କରିଛନ୍ତି ।
ହେଲେ ଘରକୁ ଚାଲାଣ ଯିବା ବେଳେ ଦେଖାଦେଉଛି ସମସ୍ୟା । କେତେବେଳେ କାର ମାଲିକ ନାଁରେ ହେଲମେଟ ପିନ୍ଧିନଥିବା ଅଭିଯୋଗରେ ଘରୁ ଚାଲାଣ ଯାଉଛି ତ ପୁଣି କେତେବେଳେ ବାଇକ୍ ମାଲିକ ନାଁରେ ସିଡ଼୍ ବେଲ୍ଟ ପିନ୍ଧିନଥିବା ପାଇଁ ଘରୁ ଯାଉଛି ଜୋରିମାନାର ସ୍ଲିପ୍ । ମନ୍ତ୍ରୀ ଏଭଳି ସମସ୍ୟାକୁ ସ୍ୱୀକାର କରିଥିବା ବେଳେ ଏଥିରେ ସୁଧାର ପାଇଁ ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି । ଆସନ୍ତା ୧୮ ତାରିଖରେ ଲୋକସେବା ଭବନରେ ବସିବ ରାଜ୍ୟସ୍ତରୀୟ ସଡ଼କ ସୁରକ୍ଷା ବୈଠକ । ଏହି ଉଚ୍ଚସ୍ତରୀୟ ବୈଠକରେ ପୁଲିସ ଡ଼ିଜି, ପୂର୍ତ ବିଭାଗ, ରାସ୍ତା କୋଠା ବିଭାଗର ଅଧିକାରୀଙ୍କ ସହିତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥି ରହିବେ । ଏଥିରେ ସଡ଼କ ସୁରକ୍ଷା ପାଇଁ ସରକାରଙ୍କ ଦାୟିତ୍ୱ ଓ ଚାଳକଙ୍କ ଅଧିକାର ବିଷୟରେ ଆଲୋଚନା ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ରଙ୍ଗ ରୁଟ୍ ରେ  ଯିବା ହେଉ କି ହେଲମେଟ ନପିନ୍ଧି ଗାଡ଼ି ଚଳାଇବା, ମଦ୍ୟପ ଚାଳକଙ୍କୁ ସାବାଡ଼ କରିବା ହେଉ କି ଲୋକଙ୍କୁ ଟ୍ରାଫିକ୍ ନିୟମ ବିଷୟରେ ସଚେତନ କରିବା ହେଉ ଏବେ ରାଜଧାନୀ ସମେତ ବିଭିନ୍ନ ସହରରେ ଯାଞ୍ଚ ବ୍ୟବସ୍ଥା ଜାରି ରହିଛି ।