ସୁଚିତ୍ରା ସେଣ୍ଡ୍, ଭୁବନେଶ୍ୱର: ଶିଳ୍ପର ବିକାଶ ପାଇଁ ସରକାରୀ ସ୍ତରରେ ଅନେକ ନିଷ୍ପତ୍ତି ନିଆଯାଇଛି । ହେଲେ ପଥୁରିଆ ମାନଙ୍କ ପାଇଁ ଏହା ଏବେବି ଅପହଞ୍ଚ । ଧୀରେ ଧୀରେ ଲୋପପାଇବାକୁ ବସିଲାଣି ପଥର ଶିଳ୍ପ । ପୂର୍ବରୁ ଘରେ ଲୋକେ ଶିଳ ଓ ଚକି ବ୍ୟବହାର କରୁଥିଲେ । ଏବେ ଗ୍ରାଇଣ୍ଡର ମିକ୍ସଚର ଆସିବା ପରେ ପଥର ନିର୍ମିତ ଜିନିଷର ବ୍ୟବହାର କମି ଯାଇଛି । ଲୋକମାନେ ଗ୍ରାମାଞ୍ଚଳରେ କାଁ ଭାଁ ପଥରରେ ପ୍ରସ୍ତୁତ ସାମଗ୍ରୀକୁ ନିତ୍ୟବ୍ୟବହାର କରୁଛନ୍ତି । ହେଲେ ବିଭିନ୍ନ ସ୍ଥାନରେ ପଡୁଥିବା ମେଳା ମହୋତ୍ସବରେ ପଥର ଶିଳ୍ପୀ ମାନେ ସେମାନଙ୍କ ପ୍ରସ୍ତୁତ ଜିନିଷର ପସରା ମେଲାଇଥାନ୍ତି । ସେହି ସବୁ ସ୍ଥାନରୁ ଲୋକେମାନେ ପଥରର ଜିନିଷ କିଣିବାକୁ ଭୁଲନ୍ତି ନାହିଁ । ମେଳା ମହୋତ୍ସବରେ ପଡୁଥିବା ପଥର ତିଆରି ଜିନିଷର ଷ୍ଟଲରେ ଭିଡ ଦେଖିବାକୁ ମିଳୁଛି । ଏବେବି କିଛି ଲୋକ ଗ୍ରାଇଣ୍ଡର ଅପେକ୍ଷା ଶିଳପେସା ସହ ପଥରରେ ତିଆରି ସାମଗ୍ରୀକୁ ଆପଣାଉଛନ୍ତି ।
ଶିଳ, ଚକି, ପଥରରେ ନିର୍ମିତ ହେମଦସ୍ତା, ଦୀପ, ବେଲଣାକାଠି ପେଡ଼ି, ବାସନକୁସନ ଘରସଜା ସମଗ୍ରୀ, ଚନ୍ଦନ ପେଡ଼ି ଇତ୍ୟାଦି ଜିନିଷ ସୁନ୍ଦର କାରୁକାର୍ଯ୍ୟର ସହ ତିଆରି କରିଥାନ୍ତି କାରିଗର । ଶିଳରେ ମସଲା ବାଟିଲେ ଓ ବିରି ଚାଉଳ ବାଟିଲେ ତାହାର ସ୍ୱାଦ ନିଆରା ବୋଲି ପଥର ଜିନିଷ ବ୍ୟବହାର କରୁଥିବା ଲୋକମାନେ କୁହନ୍ତି । ପଥର ସାମଗ୍ରୀରେ ପ୍ରସ୍ତୁତ ଖାଦ୍ୟ ବ୍ୟବହାର କଲେ ତାହା ଶରୀର ପକ୍ଷେ ହିତକର ବୋଲି ଡାକ୍ତରମାନେ ମଧ୍ୟ ମତ ଦିଅନ୍ତି । ସେଥି ପାଇଁ ଆଧୁନିକ ଯୁଗରେ ମଧ୍ୟ ପଥର ନିର୍ମିତ ଜିନିଷର ଚାହିଦା ରହିଛି ବୋଲି ବ୍ୟବସାୟୀ ମାନେ କହିଛନ୍ତି ।
ମେଳାରେ ଅନ୍ୟ ସବୁ ସାମଗ୍ରୀର ବିକ୍ରିବଟା ଠିକ ଭାବେ ଚାଲୁଥିବା ବେଳେ ପଥର ଶିଳ୍ପୀଙ୍କ ବ୍ୟବସାୟ ସେହି ପରିମାଣରେ ଭଲ ଚାଲୁନାହିଁ । ସେମାନେ ପ୍ରସ୍ତୁତ କରୁଥିବା ଦ୍ରବ୍ୟ ଠିକ ଭାବେ ବିକ୍ରି ହେଉନଥିବାରୁ ସେମାନେ ଉଚିତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଫଳରେ ପେଟ ପୋଷିବା ପାଇଁ ସେମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ଅନ୍ୟପକ୍ଷରେ ପଥର ଜିନିଷ ତିଆରି କରୁଥିବା ଲୋକେମାନେ ସେମାନଙ୍କ କୌଳକି ବୃତ୍ତିକୁ ଛାଡି ପାରୁନାହାନ୍ତି । ଅନେକ ପ୍ରତିକୂଳ ପରିସ୍ଥିତିରେ ସଂଗ୍ରାମ ଜାରି ରଖିଛନ୍ତି ସେମାନଙ୍କ ସଂଗ୍ରାମ । ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଦୁଇ ପଇସା ରୋଜଗାର କରୁଛନ୍ତି ସରକାର ପଥୁରିଆଙ୍କୁ ପ୍ରୋତ୍ସାହନ ଦେଲେ ସେମାନଙ୍କ ଉନ୍ନତି ହେବା ସହ ବେଶ ଦୁଇ ପଇସା ରୋଜଗାର କରିପାରିବେ।