)
ଭୁବନେଶ୍ୱର: ଆଉ ନାହାଁନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବସ ଚୌହାନ । ୫୪ ବର୍ଷ ବୟସରେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଇହଧାମ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ହେଲା ସେ ଲିଭର କ୍ୟାନସର୍ ରୋଗରେ ପୀଡ଼ିତ ଥିଲେ । ଆଜି ରାତି ୩ଟା ୫ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ଛାଡ଼ି ବିଜେଡ଼ିରେ ସାମିଲ ହୋଇଥିଲେ ସୁବାସ । ପରବର୍ତ୍ତୀ ସମୟରେ ସେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ହୋଇଥିଲେ । ସୁବାସ ଦୀର୍ଘ ୩୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ କାମ କରିଥିଲେ । କେବଳ ଏତିକି ନୁହେଁ, ବଜରଙ୍ଗ ଦଳ ଏବଂ ହିନ୍ଦୁ ଜାଗରଣ ସାମ୍ମୁଖ୍ୟରେ ମଧ୍ୟ କାମ କରିଥିଲେ ।
ବରିଷ୍ଠ ରାଜନେତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ସୁବାସ ଚୌହାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଶାବାସୀଙ୍କ ପାଇଁ ତାଙ୍କ ଜନକଲ୍ୟାଣକାରୀ କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) May 10, 2020
୨୦୧୪ ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା । ତେବେ ବିଜେଡ଼ି ପ୍ରାର୍ଥୀ ଡଃ ପ୍ରଭାସ କୁମାର ସିଂହଙ୍କ ଠାରୁ ସେ ଅତି କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ । ଉକ୍ତ ନିର୍ବାଚନରେ ୩,୭୨,୦୫୨ ଖଣ୍ଡ ଭୋଟ ପାଇଥିଲେ ସୁବାସ ଚୌହାନ । ତେବେ ୨୦୧୯ ନିର୍ବାଚନରେ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହେବାକୁ ଚାହୁଁଥିବା ସୁବାସଙ୍କୁ ଦଳ ଟିକେଟ ଦେଇନଥିଲା । ବରଗଡ଼ ଲୋକସଭା ଆସନ ପାଇଁ ବରିଷ୍ଠ ବିଜେପି ନେତା ସୁରେଶ ପୂଜାରୀ ପ୍ରାର୍ଥୀ ହୋଇଥିଲେ । ସୁବାସଙ୍କୁ ବିଜେପୁର ବିଧାନସଭା ଆସନରୁ ପ୍ରାର୍ଥୀ ହେବାକୁ ଦଳ ପକ୍ଷରୁ କୁହାଯାଇଥିଲା( ଯାହା ବିଭିନ୍ନ ଗଣମାଧ୍ୟମରେ ସୁବାସ କହିଥିଲେ) । ଉକ୍ତ ଆସନରୁ ବିଜେଡ଼ି ପକ୍ଷରୁ ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରାର୍ଥୀ ହୋଇଥିଲେ । ତେବେ ଏହି ସମୟରେ ବିଜେପିର ଏପରି ନିଷ୍ପତ୍ତି ଉପରେ ଅସନ୍ତୋଷ ପ୍ରକାଶ କରି ବିଜେଡ଼ିରେ ସାମିଲ ହୋଇଥିଲେ ସୁବାସ ଚୌହାନ ।