ମନେପଡ଼େ କଳା-ଧଳା ଟିଭି

ଭାରତରେ ​ଟେଲିଭିଜନ ବିପ୍ଳବ

 ମନେପଡ଼େ କଳା-ଧଳା ଟିଭି

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ଟିଭି କଥା ପଡ଼ିଲେ ପିଲାଦିନ କଥା ମନେପଡ଼େ । ଘରେ ଆମର ଛୋଟିଆ ଓନିଡା କଳା, ଧଳା ଟିଭି ଥିଲା । ସେଥିରେ ଦେଖିବାକୁ ତିନି ଭାଇ, ଭଉଣୀ ଆମେ ଧୂ୍ମ୍ ଝଗଡ଼ା କରୁଥିଲୁ ।ସେତେବେଳେ ଚ୍ୟାନେଲ୍ କହିଲେ କେବଳ ଦୂରଦର୍ଶନ ହିଁ ଥିଲା । ରଙ୍ଗୋଲି, ଚିତ୍ରହାର, ଶକ୍ତିମାନ ଆଦି ଦେଖି ପିଲାଦିନ କଟିଛି । ବହଳିଆ ସନ୍ଧ୍ୟା ହେଇ ଆସୁଥିବ । ଟ୍ୱିସନରୁ ଫେରି ଘରେ ଟିଭି ଦେଖା ହେଉଥିଲା । ଶୁକ୍ରବାର ଓ ଶନିବାର ଦିନ ତ ଘରେ ଗାଳି ଶୁଣି ଶୁଣି ସିନେମା ଦେଖା ହେଉଥିବ । ଆଉ ରବିବାର ଆସିଗଲେ ବାହାର ଯିବା ବନ୍ଦ ହୋଇ ଯାଉଥିଲା । କାରଣ ସେଦିନ ନାନା ରକମର କାର୍ଯ୍ୟକ୍ରମ ଟିଭିରେ ଦେଉଥିଲା । ରଙ୍ଗୋଲିରୁ ସକାଳ ଆରମ୍ଭ ହେଉଥିଲା । ସେହିପରି କ୍ରିକେଟ୍ ମ୍ୟାଚ୍ ଦେଖିବାକୁ ବି ପ୍ରାୟ ସମସ୍ତେ ପାଗଳ ଥିଲେ । ଆଜି ବି ଅନେକ ଲୋକ କ୍ରିକେଟ୍ ପାଇଁ ପାଗଳ ଅଛନ୍ତି । ଖେଳ ଚାଲିଥିବ, ଆଉ ବେଳେବେଳେ ଟିଭିର ପରଦା ଝିଲମିଲ୍ ହୋଇଯିବ । ସଙ୍ଗେସଙ୍ଗେ ମୁଁ କିମ୍ୱା ଭାଇ ଛାତ ଉପରକୁ ଯାଇ ଆଣ୍ଟିନା ବୁଲାଇ ଦେଉଥିଲୁ । ଅନେକ ଦିନ ରହିବା ପରେ ଧୀରେ ଧୀରେ ଘରେ ଥିବା ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଟିଭି ଖରାପ ହେବାରେ ଲାଗିଲା । ସେତେବେଳେ ମୋ ମନ ଭାରି ଦୁଃଖ ଥିଲା । ୨୦୦୫/୦୬ ମସିହା ବେଳକୁ ଘରକୁ ଆସିଲା ରଙ୍ଗିନ ଟିଭି । ପିଲାଦିନ ଯାକ କଳା, ଧଳା ଟିଭି ଦେଖି ଦେଖି, ହଠାତ୍ ରଙ୍ଗିନ ଟିଭି ଦେଖିବା ପରେ ଛାତି କୁଣ୍ଢେମୋଟ ହୋଇ ଯାଇଥିଲା । ଦୁଃଖ ବି ଲାଗିଥିଲା, କାରଣ ଯେଉଁ କଳା, ଧଳା ଟିଭି ସହ ଏତେ ସାରା ସ୍ମୃତି ଜଡ଼ିତ  ଥିଲା, ସେହି ଟିଭି ଆମ ଠାରୁ ଦୂରେଇ ଯାଇଥିଲା । ଏମିତି ଥିଲା ଟିଭି ସହ ସମ୍ପର୍କ ।

୧୯୯୬ ମସିହାରେ ପ୍ରଥମ କରି ବିଶ୍ୱ ଟେଲିଭିଜନ ଫୋରମ୍ ଗଠନ କରାଯାଇଥିଲା । ସାଧାରଣ ପରିବାରର ଦୈନନ୍ଦିନ ଜୀବନରେ ଟେଲିଭିଜନର ଭୂମିକା କିପରି ରହିଛି, ତାକୁ ନେଇ ଏହି ଫୋରମରେ ଆଲୋଚନା କରାଯାଉଥିଲା । ଏହାପରେ ନଭେମ୍ୱର ୨୧ ତାରିଖକୁ ବିଶ୍ୱ ଟେଲିଭିଜନ ଦିବସ ରୂପେ ପାଳନ କରିବାକୁ ଜାତିସଂଘ ଘୋଷଣା କରିଥିଲା । ଏହା ପୂର୍ବରୁ ୧୯୩୬ ମସିହାରେ ବ୍ରିଟିଶ୍ ବ୍ରୋଡକାଷ୍ଟିଂ କର୍ପୋରେସନ (ବିବିସି) ପ୍ରଥମ କରି ବିଶ୍ୱରେ ଟେଲିଭିଜନ ପ୍ରସାରଣ କରିଥିଲା । ଟେଲିଭିଜନ ବିଷୟରେ ଅନେକ ତଥ୍ୟ ଥିଲେ ବି ଭାରତରେ ପ୍ରଥମେ ୧୯୫୦ ମସିହାରେ ଟିଭି ଦେଖିବାକୁ ମିଳିଥିଲା ବୋଲି 'ଇଣ୍ଡିଆନ ଏକ୍ସପ୍ରେସ' ଏକ ରିପୋର୍ଟ ପ୍ରକାଶ କରିଥିଲା ।  ତତ୍କାଳୀନ ମଦ୍ରାସ ପ୍ରଦେଶର ତିନାମ୍ପେଟ୍ ଅଞ୍ଚଳରେ ବି.ଶିବକୁମାର ନାମକ ଜଣେ ଇଞ୍ଜିନୟରିଂ ଛାତ୍ର ଏକ ପ୍ରଦର୍ଶନୀରେ ପ୍ରଦର୍ଶିତ କରିଥିଲେ । ତେବେ ଏହା ସମ୍ପୂର୍ଣ୍ଣ ଟେଲିଭିଜନ ହୋଇ ନଥିଲେ ବି ଏହାର ଏକ ରୂପରେଖ ଥିଲା । ଏହାପରେ ୧୯୫୯ ମସିହା ସେପ୍ଟେମ୍ୱର ୧୫ ତାରିଖରେ ଦିଲ୍ଲୀର ଏକ ଛୋଟିଆ ଟ୍ରାନ୍ସମିଟର ଓ ଗୋଟେ ଉଠା ଷ୍ଟୁଡିଓରୁ ଟେଲିଭିଜନ ପ୍ରସାରଣ ଆରମ୍ଭ କରିଥିଲା । ୟୁନେସ୍କୋ ସହାୟତାରେ ଏହା ପ୍ରଥମେ ପ୍ରସାରଣ ଆରମ୍ଭ କରିଥିଲା । ସେହି ସମୟରେ ଟିଭି ସାଙ୍ଗେ ସେଠାରୁ ହିଁ ଜନ୍ମ ନେଇଥିଲା ଦୂରଦର୍ଶନ । ସେତେବେଳେ ସପ୍ତାହରେ ଦୁଇ ଦିନ ଘଣ୍ଟାଏ ପାଇଁ ଟେଲିଭିଜନ ପ୍ରସାରଣ କରାଯାଉଥିଲା । ଗୋଷ୍ଠୀ ସ୍ୱାସ୍ଥ୍ୟ, ଟ୍ରାଫିକ୍, ରାସ୍ତା ଆଦି ସଚେତନ ଏହାରି ମାଧ୍ୟମରେ କରାଯାଉଥିଲା । ଏହାପରେ ୧୯୬୧ ମସିହାରେ ଏହି ପ୍ରସାରଣ ଏକ ସ୍କୁଲ୍ ଏଜୁକେସନାଲ ଟେଲିଭିଜନ (ଏସଟିଭି) ପ୍ରକଳ୍ପ ରୂପେ କାର୍ଯ୍ୟକାରୀ ହୋଇଥିଲା ।୧୯୬୫ ମସିହା ପରେ ଦୂରଦର୍ଶନ ରେଗୁଲାର ଚାଲିବା ଆରମ୍ଭ କରିଥିଲା । ଏହି ସମୟରେ ଦୂରଦର୍ଶନରେ ମାତ୍ର ୫ ମିନିଟର ବୁଲେଟିନ୍ ଆରମ୍ଭ ହୋଇଥିଲା ।  ପ୍ରତିମା ପୁରୀ ଥିଲେ ଦୂରଦର୍ଶନର ପ୍ରଥମ ନ୍ୟୁଜ୍ ରିଡର୍ ବା ଖବର ଉପସ୍ଥାପିକା । ଏହାପରେ ୧୯୬୭ ମସିହା ଜାନୁୟାରୀ ୨୬ ତାରିଖରେ ଦୂରଦର୍ଶନରେ ପ୍ରଥମେ କୃଷି ଦର୍ଶନ ନାମକ ଏକ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । 
ପ୍ରଥମ ୧୭ ବର୍ଷ ଭାରତରେ ଟେଲିଭିଜନକୁ କଳା-ଧଳା ରୂପେ ପ୍ରସାରଣ କରାଯାଇଥିଲା । ୧୯୭୨ ମସିହା ବେଳକୁ ଦୂରଦର୍ଶନ ତତ୍କାଳୀନ ବମ୍ବେ ପ୍ରଦେଶ(ବର୍ତ୍ତମାନର ମୁମ୍ୱାଇ) ଏବଂ ଅମୃତସରକୁ ପ୍ରସାରଣ ଲମ୍ୱାଇ ଦେଇଥିଲା । ୧୯୭୫ ମସିହା ପର୍ଯ୍ୟନ୍ତ ଦେଶର ମାତ୍ର ସାତଟି ସହରର ଲୋକମାନେ ଏହାକୁ ଦେଖୁଥିଲେ । ଏହାପରେ ୧୯୭୬ ମସିହା ଏପ୍ରିଲ ୧ ତାରିଖରେ ଅଲ୍ ଇଣ୍ଡିଆ ରେଡିଓରୁ ଅଲଗା ହୋଇଥିଲା । ତେବେ ୧୯୭୦ ମସିହା ମଧ୍ୟ ବେଳକୁ ଭାରତରେ ଟେଲିଭିଜନ ମୁଖ୍ୟତଃ ତିନିଟି କାରଣରୁ ଆଦୃତ ହେବାରେ ଲାଗିଲା । ପ୍ରଥମଟି ହେଉଛି ସାଟେଲାଇଟ୍ ଇନଷ୍ଟ୍ରକ୍ସନାଲ ଟେଲିଭିଜନ ଏକ୍ସପେରିମେଣ୍ଟ (ଏସଆଇଟିଇ) । ୧୯୭୫ ଅଗଷ୍ଟ ମାସରୁ ୧୯୭୬ ଜୁଲାଇ ମଧ୍ୟରେ ଏହା କାର୍ଯ୍ୟକାରୀ ହୋଇଥିଲା ।  ତେବେ ଏହାଦ୍ୱାରା ଭାରତର ୬ଟି ରାଜ୍ୟରେ ଶିକ୍ଷା ଭିତ୍ତିକ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା ।  ସେହିପରି ଟେଲିଭିଜନର ବିକାଶ ପାଇଁ ଏଥିରେ ମନୋରଞ୍ଜନକୁ ସାମିଲ କରାଯାଇଥିଲା । ୧୯୮୦ ବେଳକୁ ଭାରତରେ ଟିଭି ସଂଖ୍ୟା ଧୀରେ ଧୀରେ ବଢ଼ିବାରେ ଲାଗିଲା । ଏହାପରେ ୧୯୮୨ ମସିହାରେ ଭାରତର ଘରୋଇ ଯୋଗାଯୋଗ ସାଟେଲାଇଟ୍ INSAT-1Aକୁ ଆରମ୍ଭ କରାଗଲା ।  ସେହିବର୍ଷ ଦୂରଦର୍ଶନ ନ୍ୟାସନାଲ ବ୍ରୋଡକାଷ୍ଟର୍ ଭାବେ ନାମିତ ହୋଇଥିଲା । ଏହାସହ ନୂଆ କରି ଆସିଲା କଲର୍ ବା ରଙ୍ଗୀନ ଟିଭି । ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ସ୍ୱାଧୀନତା ଦିବସର ଅଭିଭାଷଣ ଏଥିରେ ଲାଇଭ୍ ହୋଇଥିଲା । ଏକାବର୍ଷ ନୂଆଦିଲ୍ଲୀ ଆୟୋଜନ କରିଥିଲା ଏସିଆନ୍ ଗେମ୍ସ । ତେବେ ୧୯୮୦ ବେଳକୁ ଦୂରଦର୍ଶନ ହମ୍ ଲୋଗ୍, ବୁନିୟାଦ୍, ରାମାୟଣ, ମହାଭାରତ ଆଦି ସିରିୟଲ ପ୍ରସାରଣ କରିବାରେ ଲାଗିଲା । ଏହା ଲୋକଙ୍କ ମନକୁ ବେଶ୍ ଛୁଇଁଥିଲା । ଏବେ ୩୪ଟି ଚ୍ୟାନେଲକୁ ବଢି ସାରିଛି ଦୂରଦର୍ଶନର ପରିସୀମା । ପାଖାପାଖି ୪୬ଟି ନିୟମିତ ଷ୍ଟୁଡ଼ିଓରୁ କାର୍ଯ୍ୟକ୍ରମ ସୁଟିଂ ହେଉଛି ଓ ପ୍ରସାରିତ ହେଉଛି । ୩୪ଟି ଚ୍ୟାନେଲ୍ ମଧ୍ୟରୁ ଦୁଇଟି ହେଉଛି ଜାତୀୟ  ଦୂରଦର୍ଶନ (ନ୍ୟାସନାଲ) ଏବଂ ଦୂରଦର୍ଶନ (ଗ୍ରାମାଞ୍ଚଳ) ଭାବେ ଏହା ପ୍ରସାରିତ ହେଉଛି । ସେହିପରି ଖେଳ ପାଇଁ ଦୂରଦର୍ଶନ (ସ୍ପୋର୍ଟସ୍) ଅଛି ।
୧୯୮୨ ମସିହା ଜୁନ ୨୬ ତାରିଖରେ ଓଡ଼ିଶା ସରକାରଙ୍କ ଦ୍ୱାରା କୋଣାର୍କ ଟେଲିଭିଜନ ଉଦ୍ୟୋଗ ପ୍ରତିଷ୍ଠା କରାଯାଇଥିଲା । ଭୁବନେଶ୍ୱରର ମଞ୍ଚେଶ୍ୱର ଓ ରସୁଲଗଡ଼ରେ ଥିବା କାରଖାନାରେ ଏହା ନିର୍ମାଣ କରାଯାଉଥିଲା । ୧୯୮୬-୮୭ ମସିହା ବେଳକୁ ଏହି ସଂସ୍ଥା ଉନ୍ନତମାନର ଟେଲିଭିଜନ ଉତ୍ପାଦନ କରି ଜାତୀୟ ସ୍ତରରେ ଖୁବ୍ ଖ୍ୟାତି ଅର୍ଜନ କରିଥିଲା ।  ୧୯୮୯-୯୦ ବେଳକୁ ଭାରତରେ ପ୍ରବେଶ କରି ସାରିଥିବା ବିଦେଶୀ ଟେଲିଭିଜନ ଗୁଡ଼ିକ ସହ ମୁକାବଲା କରି ନ ପାରି କୋଣାର୍କ ଟେଲିଭିଜନର ଅଧୋପତନ ଆରମ୍ଭ ହୋଇଥିଲା । ଏହାପରେ ୧୯୮୮-୮୯ ବିତ୍ତିୟ ବର୍ଷରେ ଏହି ସଂସ୍ଥା ସର୍ବାଧିକ ୪୧.୨୩ କୋଟି ଟଙ୍କାର କାରବାର କରିଥିଲା । ସେତେବେଳକୁ ଏହି କମ୍ପାନି ୧ ଲକ୍ଷ ୨୩ ହଜାର ୪୨୨ଟି ଟେଲିଭିଜନ ବିକ୍ରି କରିଥିଲା । ମାତ୍ର, ୧୯୮୯-୯୦ରେ ଏହାର କାରବାର ୨୫.୧୬କୋଟିକୁ ଖସି ଆସିଥିଲା । ଋଣବୃଦ୍ଧି ଓ ଅଧିକ ଖର୍ଚ୍ଚ ଯୋଗୁଁ କ୍ରମେ ଏହି ସଂସ୍ଥା ରୁଗଣ ହେବାରେ ଲାଗିଲା । ଏବଂ ଧୀରେ ଧୀରେ ଟେଲିଭିଜନ ନିର୍ମାଣ କରିବା ହ୍ରାସ କରିଥିଲା । କିଛିଦିନ ପରେ ସଂସ୍ଥା ଟେଲିଭିଜନ ନିର୍ମାଣ ସମ୍ପୂର୍ଣ୍ଣ ବନ୍ଦ କରିଦେଇଥିଲା ।
ସେହିପରି ୨୦୦୦ ମସିହା ଯାଏ ଓଡ଼ିଶାର ଗଣମାଧ୍ୟମ କେବଳ ମୁଦ୍ରିତ ଗଣମାଧ୍ୟମ ବା ପ୍ରିଣ୍ଟ ମିଡିଆରେ ସୀମିତ ଥିଲା ।  କିନ୍ତୁ ଏହାପରେ ଓଡ଼ିଶାରେ ଦୂରଦର୍ଶନ ଡିଡି-୧ ରୂପରେ ପ୍ରସାରଣ କରିବା ଆରମ୍ଭ କରିଥିଲା । ଏହା ପୂର୍ବରୁ ଟିଭି ସାମ୍ୱାଦିକତା ବିଷୟରେ ଓଡ଼ିଶାରେ ବି ପଢ଼ା ଯାଉଥିଲା । କିନ୍ତୁ ଦୂରଦର୍ଶନ ଆସିବା ପରେ ଟିଭି ସାମ୍ୱାଦିକତାର କ୍ରେଜ୍ ବଢ଼ିବାରେ ଲାଗିଲା ।  ଆଜି ତ ଓଡ଼ିଶାରେ ସବୁ ରକମର ଗଦାଏ ଚ୍ୟାନେଲ ଅଛି ।
ଟିଭି କହିଲେ ଏବେ ବି ଦୂରଦର୍ଶନ କଥା ମନେପଡ଼େ । ସାମ୍ୱାଦିକତା କଲାବେଳେ ସାର୍ ଅନେକ ସମୟରେ ଟିଭି ସାମ୍ୱାଦିକତା ବିଷୟରେ ଆମକୁ କହୁଥିଲେ । ଜ୍ୟୋତି ସାର୍ ଟିଭି ସାମ୍ୱାଦିକତା ବିଷୟରେ ଆମକୁ ଅନେକ ଉଦାହରଣ ମଧ୍ୟ ଦେଉଥିଲେ ।  ଆଜିକାଲି ତ ଅନେକ ପ୍ରକାରର ଟିଭି ବାହାରିଲାଣି । ଏହାର ଅନେକ ରୂପ ଅଛି ଆଉ ଅନେକ ଢଙ୍ଗ ବି । ଦିନ ଥିଲା ରେଡିଓ ଥିଲା ଯୋଗାଯୋଗର ମାଧ୍ୟମ । କିନ୍ତୁ ଆଜି ଅତ୍ୟାଧୁନିକ ଟେକ୍ନୋଲୋଜି ଭିତରେ ବିଶ୍ୱର ଯେକୌଣସି କୋଣରୁ ସିଧାପ୍ରସାରଣ କରାଯାଇ ପାରୁଛି । ଦିନ ଥିଲା କଳା-ଧଳା ଟିଭିରେ ଆଣ୍ଟିନା ଲଗା ଯାଉଥିଲା ।  କିନ୍ତୁ ଆଜି ଆଣ୍ଟିନା ପରିବର୍ତ୍ତେ ଡିସ୍ ଟିଭି, ଟାଟାସ୍କାଏ ଭଳି ଆଧୁନିକ ଆଣ୍ଟିନା ଲାଗୁଛି । ଏହାସହ ସିଧାସଳଖ ଟିଭି ଗୁଡ଼ିକ ଇଣ୍ଟରନେଟ୍ ମାଧ୍ୟମରେ ବି ଚାଲୁଛି, ଯେଉଁଠି ଆଣ୍ଟିନାର ଆବଶ୍ୟକ ନାହିଁ । ତଥାପି ବି ଆଧୁନିକତା ଛାପରେ ଆଜି ବି ପିଲା ଦିନର ସେଇ କଳା-ଧଳା ଟିଭି ମନେ ପଡ଼ିଯାଏ । ଆଜି ବି ତା' ସହ ଜଡ଼ିତ ଥିବା ପ୍ରତିଟି ସ୍ମୃତି ବେଳେବେଳେ ସତେଜ ହୋଇଯାଏ ।