)
ଭୁବନେଶ୍ବର: କମୁଛି କାଳବୈଶାଖି ଆଉ ବଢୁଛି ତାତି। ରାଜ୍ୟରେ ଏକ ଟ୍ରଫ୍ ଲାଇନ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ କାଳବୈଶାଖି ପ୍ରକୋପ ରହିବ।
ଆସନ୍ତାକାଲି ସକାଳ ସାଢେ ୮ଟା ସୁଦ୍ଧା ମୟୂରଭଞ୍ଜ, ବାଲେଶ୍ବର ଜିଲ୍ଲାରେ ଘଡଘଡି (Thunder), ବଜ୍ରପାତ (Lightning) ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ୩୦-୪୦ କିମି ବେଗରେ ପବନ ବହିବା ହେତୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହା ପରେ ଆସନ୍ତାକାଲି ଠାରୁ ଖରାର ପ୍ରକୋପ ବଢିବା ସହ ୨ ଜିଲ୍ଲା ବଲାଙ୍ଗିର ଏବଂ ସୋନପୁରରେ ଗ୍ରୀଷ୍ମ ଲହରୀ (Heatwave) ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ବିଶେଷ କରି ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମାତ୍ରାଧିକ ଖରା ହେତୁ ଏହି ସମୟରେ ଘରୁ ବାହାରିବାକୁ ବାରଣ କରାଯାଇଛି। ଏହାପରେ ଆସନ୍ତା ୧ ତାରିଖ ଯାଏଁ ଏପରି ଗ୍ରୀଷ୍ମ ଲହରୀ ଜାରି ରହିବ ବୋଲି କେନ୍ଦ୍ର ଆକଳନ କରିଛି। ଆସନ୍ତା ୨ ଦିନ ମଧ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ୨-୩ ଡିଗ୍ରୀ ବୃଦ୍ଧି ପାଇବା ସହ ୨୪ଘଣ୍ଟା ମଧ୍ୟରେ ସ୍ବାଭାବିକ ଠାରୁ ୨-୪ ଡିଗ୍ରୀ ଉଚ୍ଚା ରହିବ। ଏହାପରେ ପୁଣି ବୃଦ୍ଧି ହୋଇ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ ୩-୫ ଡିଗ୍ରୀ ଅଧିକ ରହିବା ନେଇ ଆକଳନ କରାଯାଇଛି।