close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଗଜରାଜଙ୍କ ଜୀବନ ନେଉଛି ହରପିସ୍

ରାଜ୍ୟରେ ବଢ଼ିଚାଲିଛି ହାତୀ ମୃତ୍ୟୁ । ମାସକରେ ହରପିସ୍ ସଂକ୍ରମଣରେ ଗଲାଣି ୪ ହାତୀଙ୍କ ଜୀବନ । ନନ୍ଦନକାନନରୁ କେନ୍ଦୁଝର ସବୁଠି ଆତଙ୍କ । ପ୍ରଥମେ ଆଫ୍ରିକାରେ ଚିହ୍ନଟ ହୋଇଥିଲା ଏହି ସାଙ୍ଘାତିକ ଭାଇରସ୍

ଗଜରାଜଙ୍କ ଜୀବନ ନେଉଛି ହରପିସ୍

ଭୁବନେଶ୍ୱର: ଓଡ଼ିଶାରେ ଏବେ ହାତୀ ମଡ଼କ । ପ୍ରଥମେ ନନ୍ଦନକାନନ ଆଉ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସୁଛି ଗୋଟିକ ପରେ ଗୋଟିଏ ହାତୀ ମୃତ୍ୟୁ ଖବର । ହରପିସ୍ ଭାଇରସ୍ କାରଣରୁ ରାଜ୍ୟରେ ହାତୀଙ୍କର ମୃତ୍ୟୁ ହେଉଥିବା ବିଶେଷଜ୍ଞ ଦଳ ସ୍ପଷ୍ଟ କରିବା ପରେ ଏବେ ପରିବେଷବିତ ଚିନ୍ତାରେ । ଗୋଟିଏ ଜଙ୍ଗଲକୁ ଆଉ ଏକ ଜଙ୍ଗଲକୁ ଡେଉଁଛି ଏହି ହରପିସ୍ ସଂକ୍ରମଣ ।

ହରପିସ୍ ଭାଇରସ୍ ପ୍ରଥମେ ନନ୍ଦନକାନନ ପରେ ଚନ୍ଦକା ଆଉ କିଛି ଦିନ ତଳେ କେନ୍ଦୁଝର ଜଙ୍ଗଲରେ ହାତୀଙ୍କୁ ସଂକ୍ରମିତ କରୁଥିବା ସନ୍ଦେହ କରାଯାଉଛି । ମାସକ ମଧ୍ୟରେ ନନ୍ଦନକାନନରେ ୪ଟି ହାତୀ ମୃତ୍ୟୁ ପରେ ଏବେ ହାରପିସ ଭାଇରସ କବଳରେ ଚନ୍ଦକା ଡମପଡ଼ା ଅଭୟାରଣ୍ୟର ରହୁଥିବା ହାତୀ ।

ହାର୍ପିସ ଭାଇରସ ପାଇଁ କୌଣସି ପ୍ରତିଷେଧକ ନଥିବାବେଳେ କେବଳ ସଚେତନତା ହିଁ ଗଜରାଜଙ୍କ ଜୀବନ ବଞ୍ଚାଇ ପାରିବ । ଏଥିପାଇଁ ଏବେ ବନବିଭାଗ ପକ୍ଷରୁ ସମସ୍ତ ବନ କର୍ମଚାରୀଙ୍କୁ ସଚେତନ କରିବା ସହ କିଭଳି ସଂକ୍ରମଣ ଅଂଚଳକୁ ହାତୀ ନଆସିବେ ସେ ନେଇ ପଦକ୍ଷେପ ନିଆଯାଉଛି । ଅନ୍ୟପଟେ ଚନ୍ଦକା ଡମପଡ଼ା ଅଭୟାରଣ୍ୟ ହେଉ କି ଆଠଗଡ଼ ଅବା ଢେଙ୍କାନାଳ ଅଭୟାରଣ୍ୟରେ ଏବେ ପାଟ୍ରୋଲିଂ ଟିମଙ୍କୁ ନିୟୋଜିତ କରିବା ସହ ହାତୀ ପଲ ଉପରେ କଡ଼ା ନଜର ରଖାଯାଇ ସେମାନଙ୍କ ଗତିବିଧି ଉପରେ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଯାଉଛି। ସେପଟେ କେନ୍ଦୁଝର ଜଙ୍ଗଲର ହାତୀ ହରପିସ ଭାଇରସରେ ସଂକ୍ରମିତ ହେବା ପରେ ଏବେ ଚିନ୍ତାରେ ପଡ଼ିଯାଇଛି ବନବିଭାଗ । ବେଲଗାମ୍ ସ୍ଥିତିକୁ ନିୟନ୍ତ୍ରଣକୁ ଆଣି ହାରପିସ୍ ସଂକ୍ରମଣକୁ ପ୍ରତିହତ କରିବାକୁ ଏବେ ସଭିଏଁ ଲାଗି ପଡ଼ିଛନ୍ତି ।

ଏବେ ସମୟ ଆସିଛି ଆମକୁ ଜାଣିବାକୁ ପଡ଼ିବ ଏ ହରପିସ ଭାଇରସ କ'ଣ ? ଏହା କେମିତି ବ୍ୟାବିଥାଏ ? ହର୍ପିସ୍ ଭାଇରସ ସଂକ୍ରମଣର ପ୍ରତିକାର କ'ଣ? କେବଳ ହାତୀଙ୍କଠାରେ ଏହି ଭାଇରସ୍ ଦେଖାଯାଏ ନା ଅନ୍ୟ କୌଣସି ପଶୁଙ୍କଠାରେ ଏହି ରୋଗ ଦେଖାଯାଏ ? ସାଧାରଣରେ ଏମିତି ଅନେକ ପ୍ରଶ୍ନକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ବିଶେଷଜ୍ଞଙ୍କ ମତରେ ଏହି ହର୍ପିସ୍ ଭାଇରସ୍ ଏକ ସାଙ୍ଘାତିକ ସଂକ୍ରମଣଜନିତ ରୋଗ । ସାଧାରଣତଃ ଏହା କମ୍ ବୟସର ହାତୀଙ୍କଠାରେ ଦେଖାଯାଇଥାଏ । ହାତୀଙ୍କ ଠାରେ ଦେଖାଦେଉଥିବା ଏହି ହର୍ପିସ୍ ଭାଇରସ୍ ସଂକ୍ରମଣ ପ୍ରଥମେ ଆଫ୍ରିକା ମହାଦେଶରେ ସାମ୍ନାକୁ ଆସିଥିଲା । ପରେ ୨୦୦୯ ମସିହାରେ ଏହି ଭାଇରସ୍ ଏସିଆ ମହାଦେଶର ଦେଶମାନଙ୍କରେ ଦେଖାଦେବା ସହ ଏହାର ସଂକ୍ରମଣରେ ୩୩ଟି ହାତୀଙ୍କର ମୃତ୍ୟୁ ହୋଇଥିଲା । ଯେଉଁ ଦେଶଗୁଡ଼ିକରେ ପ୍ରଥମେ ହରପିସ ସଂକ୍ରମଣ ସାମ୍ନାକୁ ଆସିଥିଲା ସେହି ଦେଶଗୁଡ଼ିକ ହେଉଛନ୍ତି ମିଆଁମାର୍, ଥାଇଲାଣ୍ଡ, ଇଣ୍ଡୋନେସିଆ, ନେପାଳ ଓ କମ୍ବୋଡ଼ିଆ । ବର୍ତ୍ତମାନ ଆମ ରାଜ୍ୟ ଓଡ଼ିଶାରେ ହାତୀମାନଙ୍କ ଠାରେ ଏହି ହରପିସ୍ ଭାଇରସର ସଂକ୍ରମଣ ଦେଖିବାକୁ ମିଳୁଛି । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି । ଏବେ ବି ବିଶେଷଜ୍ଞ ଦଳ ଏହାର ସଂକ୍ରମଣକୁ କେମିତି ପ୍ରତିହତ କରା ଯାଇପାରିବ, ସେନେଇ ଗବେଷଣା ଚଳାଇଛନ୍ତି । କିନ୍ତୁ ଏହା ମଧ୍ୟରେ ମାସକ ମଧ୍ୟରେ ୪ଟି ହାତୀଙ୍କର ଜୀବନ ଗଲାଣି ।