କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
Trending Photos
)
ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ଆଳୁ, ପିଆଜ ଓ ଡ଼ାଲି ଭଳି ଦ୍ରବ୍ୟ ବାଦ୍ ପଡ଼ିବା ପ୍ରସଙ୍ଗରେ ରାଜ୍ୟର ଖାଦ୍ୟ ମନ୍ତ୍ରୀ ନିଜର ପ୍ରତିକ୍ରିୟା ରଖି ଅସନ୍ତୋଷ ଜାହିର କରିଛନ୍ତି । ଏଭଳି କିଛି ଯୋଜନା କେନ୍ଦ୍ର ସରକାର କରୁଛନ୍ତି ବୋଲି ଆମେ ଆଗୁଆ ଜାଣିଥିଲୁ । ମୁଖ୍ୟମନ୍ତ୍ରୀଙ୍କ ଏ ବାବଦରେ ଅବଗତ କରାଇଛୁ । ଦରଦାମ ନିୟନ୍ତ୍ରଣ ସରକାରଙ୍କ ହାତରୁ ଚାଲିଗଲେ ଉଭୟ ଚାଷୀ ଓ ଖାଉଟି ହଇରାଣ ହେବେ । ଏହାଦ୍ୱାରା ବଡ଼ ବଡ଼ ବ୍ୟବସାୟୀ ଲାଭରେ ରହିବେ ବୋଲି ଖାଦ୍ୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କ ଏପରି ନିଷ୍ପତିକୁ ସମାଲୋଚନା କରିଛି । ସେପଟେ ବ୍ୟବସାୟୀ ମହାସଂଘ କହିଛି, ଖାଉଟିଙ୍କ ବିଶ୍ୱାସ ଉପରେ ଆମର ବେପାର ନିର୍ଭର କରେ । ନୂଆ ଆଇନକୁ ରାଜ୍ୟ ସରକାର ଗୁଡ଼ିକ ଠିକ୍ ପରିଚାଳନା କଲେ ସମସ୍ତେ ଲାଭରେ ରହିବେ ।
୬୫ ବର୍ଷ ପରେ ଆଇନରେ ହେଲା ସଂଶୋଧନ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଡ଼ାଲି, ଚାଉଳ, ତେଲ, ଆଳୁ ଭଳି ଦୈନନ୍ଦିନ ବ୍ୟବହାର ହେଉଥିବା ଖାଦ୍ୟ ସାମଗ୍ରୀର ବଜାର ଦର ନିୟନ୍ତ୍ରଣ ସରକାର ନିଜ ପାଖରେ ରଖିଥିଲେ । ଏହା ଏବେ ସରକାରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଗଲା । ଯୁଦ୍ଧକାଳୀନ ସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ ଓ ଜରୁରୀ କାଳୀନ ସ୍ଥିତିରେ ସରକାର ଏହାର ଦର ନିୟନ୍ତ୍ରଣ କରିବେ । ଆବଶ୍ୟକ ସାମଗ୍ରୀ ଆଇନ ୧୯୫୫ର ପରିବର୍ତ୍ତନ କରି କେନ୍ଦ୍ର ସରକାର ଏହି ନିଷ୍ପତି ନେଇଛନ୍ତି । ସରକାରଙ୍କ ଉଦ୍ଦେଶ୍ୟ, ଏହାଦ୍ୱାରା ଚାଷୀଟିଏ ଉପକୃତ ହେବ । ଖୋଲା ବଜାରରେ ନିଜ ଉତ୍ପାଦିତ ଦ୍ରବ୍ୟ ଦି’ ପଇସା ଅଧିକ ପାଇବ । ଚାଷୀ ପାଇଁ ଚାଷର ଭିତ୍ତିଭୂମି ବଢିବ । ବଜାରେ ଆଉ ସାମଗ୍ରୀର ଅଭାବ ରହିବ ନାହିଁ । ହେଲେ ଏଥିରେ ସହମତ ହୋଇ ପାରିନାହାନ୍ତି ରାଜ୍ୟ ସରକାର । ଖାଦ୍ୟମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ଚାଷୀ ଓ ଚାଷ ହେଉଛି ରାଜ୍ୟର ପ୍ରସଙ୍ଗ । ଚାଷୀଙ୍କ ଆୟ ବୃଦ୍ଧି ଓ ଖାଉଟିଙ୍କ ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏ ବାବଦରେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛୁ । ହେଲେ ନୂଆ ଆଇନ ଅନୁସାରେ ଦରଦାମ ନିୟନ୍ତ୍ରଣ ମୁନାଫାଖୋର ବ୍ୟବସାୟୀଙ୍କ ହାତକୁ ଚାଲିଯିବ ବୋଲି ମନ୍ତ୍ରୀ କହିଛନ୍ତି ।
କଂଗ୍ରେସ ମଧ୍ୟ କେନ୍ଦ୍ର ସରକାରଙ୍କ ଏହି ପରିବର୍ତିତ ଆଇନକୁ ସମାଲୋଚନା କରିଛି । ଏହାଦ୍ୱାରା ଚାଷୀଙ୍କ ଆୟ ବଢିବ ନାହିଁ । ବେପାରୀମାନେ ଏହାର ଫାଇଦା ନେବେ । ଖାଉଟି ସୁବଠାରୁ ଅଧିକ ହଇରାଣ ହେବେ । ବଜାରରେ ମନଇଚ୍ଛା କାରବାର ବଢିବ ବୋଲି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍ଗୋ କହିଛନ୍ତି । ସେପଟେ ରାଜ୍ୟ ବ୍ୟବସାୟୀ ସଂଘ ଏହାକୁ ନେଇ ଭିନ୍ନ ମତ ରଖିଛି । ଖାଉଟିଙ୍କ ସୁରକ୍ଷା ଓ ବିଶ୍ୱାସ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ସଂଘ କହିଛି । କିନ୍ତୁ ନୂଆ ଆଇନ କିପରି ପରିଚାଳନା ହେଉଛି ତାହା ଉପରେ ସବୁ କିଛି ନିର୍ଭର କରେ । ରାଜ୍ୟ ଗୁଡ଼ିକ ଚାହିଁଲେ ଏହାର ସଠିକ୍ ପରିଚାଳନା କରିପାରିବେ । ବଜାର ଦର ସବୁବେଳେ ସପ୍ଳାଇ ଆଉ ଡ଼ିମାଣ୍ଡ ଉପରେ ନିର୍ଭର କରେ । ହେଲେ ଖାଉଟିଙ୍କ ସ୍ୱାର୍ଥ ଉପରେ ଆମେ ନଜର ଦେବୁ ବୋଲି ବ୍ୟବସାୟୀ ସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି ।
ଡ଼ାଲି, ତେଲ, ଆଳୁ ଭଳି ଦ୍ରବ୍ୟ ଉପରେ ସରକାର ଦରଦାନ ନିୟନ୍ତ୍ରଣ ହଟିଲେ ଖାଉଟି ହଇରାଣ ହେବ । ଦରଦାମକ ବୃଦ୍ଧି ହେଲେ ଖାଉଟି କାହା ପାଖରେ ଅଭିଯୋଗ କରିପାରିବ ନାହିଁ । ନିମ୍ନ ମଧ୍ୟବିତ ଓ ମଧ୍ୟବିତ ଲୋକମାନେ ବେଶୀ ହଇରାଣ ହେବେ । ତେବେ ଏହାଦ୍ୱାରା ଚାଷୀଙ୍କ ଆୟ ବଢିବ, ଭିତିଭୂମି ସୁଧୁରିବ ବୋଲି କେନ୍ଦ୍ର ସରକାରଙ୍କ ଯୁକ୍ତି କେତେଦୂର କାର୍ଯ୍ୟକାରୀ ହେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିବ ।