)
ସରୋଜ ବେହେରା, ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ନିକଟ ରାସ୍ତାରୁ ଖଣ୍ଡଗିରି ପୋଲିସ ଜବତ କରିଛି ବନ୍ଧୁକ। କୁକୁର କାମୁଡିବା ପରେ ଲୁଟେରାମାନେ ବନ୍ଧୁକ ଛାଡି ଫେରାର ହୋଇଯାଇଥିବା ଜଣାପଡିଛି। ସିସିଟିଭି ଆଧାରରେ ଖଣ୍ଡଗିରି ପୋଲିସ ତଦନ୍ତ ଆରମ୍ଭ କରିଛି।
ମଙ୍ଗଳବାର ସକାଳୁ ବରମୁଣ୍ଡା ହାଉସିଂବୋର୍ଡ କଲୋନୀ ରାସ୍ତାରେ ରକ୍ତଛିଟା ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ । ରକ୍ତ ଛିଟା ସହ ପାଖରେ ଏକ ବନ୍ଧୁକ ପଡିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଲୋକେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଁଚି ବନ୍ଧୁକ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ କୁକୁର କାମୁଡିବାରୁ ଅପରାଧୀମାନେ ରକ୍ତାକ୍ତ ହୋଇ ଖସି ଯାଇଥିବା ପୁଲିସ ଜାଣିବାକୁ ପାଇଛି ।
![]()
ମଙ୍ଗଳବାର ଭୋର ବରମୁଣ୍ଡା ହାଉସିଂବୋର୍ଡ କଲୋନୀର ଜଣେ ବ୍ୟକ୍ତିଙ୍କ ଘର ଆଗରେ କିଛି ରକ୍ତ ଛିଟା ପଡିଥିଲା । କିଛି ଦୂରରେ ଏକ ବନ୍ଧୁକ ମଧ୍ୟ ପଡିଥିବା ନେଇ ଲୋକେ ଦେଖିଥିଲେ । ଚାହୁଁ ଚାହୁଁ ସେଠାରେ ଭିଡ ଜମିବା ସହ ବିଳମ୍ବିତ ରାତିରେ ସେଠାରେ କୌଣସି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ ସୃଷ୍ଟି ହୋଇଥିଲା ।
ଖବରପାଇ ଖଣ୍ଡଗିରି ପୁଲିସ ପହଁଚି ଛାନଭିନ୍ ଆରମ୍ଭ କରିଥିଲା । ନିକଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ଏକ ରୋଚକ ତଥ୍ୟ ମିଳିଥିଲା । ଗତକାଲି ବିଳମ୍ବିତ ରାତିରେ ଦୁଇଜଣ ଅପରାଧୀ ଏକ ସ୍କୁଟିରେ କଲୋନୀ ଭିତରେ ବୁଲୁଥିଲେ । ଶୁନଶାନ ରାତିରେ ଅପରାଧ ଘଟାଇବା ପାଇଁ ଯୋଜନାରେ ଥିଲେ । ଏହି ସମୟରେ କିଛି କୁକୁର ସେମାନଙ୍କୁ ଗୋଡାଇଥିଲେ । ସେମାନେ କୁକୁରକୁ ଘଉଡାଇବାକୁ ଯାଇଥିବା ବେଳେ ସେମାନେ କୁକୁର ପଲର ଶୀକାର ହୋଇଥିଲେ ।
କୁକୁର ସେମାନଙ୍କୁ ଗୋଡାଇ ଗୋଡାଇ କାମୁଡିଥିଲେ । ଫଳରେ ସେମାନେ ରକ୍ତାକ୍ତ ହୋଇପଡିଥିଲେ । କୁକୁର କାମୁଡାରେ ଘାଇଲା ହେବା ପରେ ସେମାନେ ସ୍କୁଟି ଛାଡି ପଳାଇଯାଇଥିଲେ । କିଛି ସମୟ ପରେ ଆସି ସ୍କୁଟିକୁ ନେଇଥିବା ବେଳେ ବନ୍ଧୁକଟି ଛାଡି ପଳାଇଥିଲେ । ସେମାନେ ଛାଡି ଯାଇଥିବା ବନ୍ଧୁକଟି ନକଲି ବୋଲି ଜଣାପଡିଛି । ତେବେ ଯାହା ହେଉ ଅପରାଧୀମାନେ ଅପରାଧ ଘଟାଇବା ପୂର୍ବରୁ କୁକୁର ସେମାନଙ୍କୁ ଘାଇଲା କରିଦେଇଛି ।