)
ଭୁବନେଶ୍ୱର: କୋରୋନା ଭୂତାଣୁର ପ୍ରକୋପ ଆରମ୍ଭ ହେବାପରେ ସାରା ଦେଶରେ ଏହା ବିପକ୍ଷରେ ଲଢ଼େଇ ପାଇଁ ଆମ ପାଖରେ ଥିଲେ ଅନେକ କୋରୋନା ଯୋଦ୍ଧା । ଆମ ପାଖରେ ଏଥି ନିମନ୍ତେ ଆହୁରି ଅଧିକ ଏକ ଗୋଷ୍ଠୀ ମଧ୍ୟ ଅଛନ୍ତି, ସେମାନେ ହେଉଛନ୍ତି ଆମର ମହିଳା କର୍ମଚାରୀ । ଯେଉଁମାନେ ଲୋକୋ ପାଇଲଟ, ଷ୍ଟେସନ ମାଷ୍ଟର, ଗାର୍ଡ, ଟୋକନ ପୋର୍ଟର, ଗ୍ୟାଙ୍ଗ୍ ଓମ୍ୟାନ୍, ଟେକନିସିଆନ୍, ଟିକଟ କଲେକ୍ଟର, ରେଳ ସୁରକ୍ଷା ବଳର କର୍ମଚାରୀ ରୂପେ କାର୍ଯ୍ୟରତ ଅଛନ୍ତି ।
ଦେଶ ବ୍ୟାପୀ ଲକଡାଉନ୍ ଜାରି ରହିଥିବା ସମୟରେ ରେଳବାଇକୁ ୨୨ ମାର୍ଚ୍ଚ ୨୦୨୦ରୁ ଏହାର ସମସ୍ତ ଯାତ୍ରୀସେବାକୁ ସ୍ଥଗିତ ରଖିବାକୁ ପଡିଥିଲା । କିନ୍ତୁ ଏହି ସମୟରେ ସାରା ଦେଶରେ ମାଲ୍ ବାହୀ ଟ୍ରେନ ଓ ପାର୍ସଲ୍ ଟ୍ରେନ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଚାଲୁ ରଖାଯାଇ ଥିଲା । ପରବର୍ତ୍ତୀ ସମୟରେ ଅଟକି ରହିଥିବା ପ୍ରବାସୀଙ୍କ ପାଇଁ ଓ ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରବା ପାଇଁ ଶ୍ରମିକ ସ୍ପେସିଆଲ ଟ୍ରେନ ଓ ଅନ୍ୟାନ୍ୟ ସ୍ପେସିଆଲ ଟ୍ରେନଗୁଡିକ ଚଳାଚଳ କରିଥିଲା । ସେହି ସମୟରେ ଏହି ମହିଳା ରେଳ କର୍ମଚାରୀମାନେ ଟ୍ରେନ ଚଳାଚଳ ଓ ଟ୍ରେନ ପରିଚାଳନାରେ ସାହାଯ୍ୟ କରିବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ ।
ଏହି ମହିଳା କର୍ମଚାରୀମାନେ ଗୋଟିଏ ପଟରେ ପ୍ରତ୍ୟକ୍ଷ ଟ୍ରେନ ଚଳାଚଳ କରିବା କାର୍ଯ୍ୟରେ ସଂଶ୍ଳିଷ୍ଟ ରହି ଲୋକୋ ପାଇଲଟ, ଷ୍ଟେସନ ମାଷ୍ଟର, ଗାର୍ଡ ରୂପେ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଅନ୍ୟ ପଟରେ ଗ୍ୟାଙ୍ଗ ଓମ୍ୟାନ, ସୁପରଭାଇଜର, ହେଲପର, ଟେକନିସିଆନ, ଇଲେକ୍ଟ୍ରିସିଆନ, କ୍ୟାରେଜ ଷ୍ଟାଫ୍ଫ, ଗେଟ୍ କିପର ରୂପେ କାର୍ଯ୍ୟ କରି ଟ୍ରାକ୍, ୱାଗନ, ଓଭରହେଡ଼ ଉପକରଣ, କୋଚ ରକ୍ଷଣାବେକ୍ଷଣ, ସିଗନାଲ ରକ୍ଷଣାବେକ୍ଷଣ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ବ୍ରେକ୍ ଡାଉନ ପ୍ରତି ଅହୋରାତ୍ର ଧ୍ୟାନ ଦେଇଥିଲେ । ଅନବରତ ଟ୍ରେନ ଚଳାଚଳ ଚାଲୁ ରଖିବାକୁ ସୁନିଶ୍ଚିତ କରିବା ନିମନ୍ତେ ରକ୍ଷଣାବେକ୍ଷଣରେ ନିୟୋଜିତ ଏହି ମହିଳା କର୍ମଚାରୀମାନେ ଦିନରାତି ଅକ୍ଲାନ୍ତ ଉଦ୍ୟମ କରୁଥିଲେ ।
ରେଳ ସୁରକ୍ଷା ବଳରେ ନିୟୋଜିତ ଏହି ମହିଳା କର୍ମଚାରୀମାନେ ଟିକଟ ଯାଞ୍ଚ, ସ୍ଵଛତା ଯାଞ୍ଚ ସହିତ ଷ୍ଟେସନରେ କୋଭିଡ-19 ସୁରକ୍ଷା ଆଚାର ସଂହିତାକୁ କାର୍ଯ୍ୟକାରୀ କରବା କ୍ଷେତ୍ରରେ ପ୍ରତ୍ୟକ୍ଷ ରୂପେ ଜଡିତ ଥିଲେ । ଲକଡାଉନ ସମୟରେ ଟ୍ରେନକୁ ସୁରକ୍ଷା ଦେବା, ଷ୍ଟେସନରେ ପାଟ୍ରୋଲିଙ୍ଗ କରିବା ଏବଂ ଭୋକିଲାଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟରେ ଏହି ମହିଳା କର୍ମଚାରୀମାନେ ନିୟୋଜିତ ଥିଲେ । ସେମାନେ ଅହୋରାତ୍ର ଯାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତା ପ୍ରତି ଧ୍ୟାନ ଦେଉଥିଲେ ।
ଏହି ମହିଳା ଯୋଦ୍ଧା ମାନେ ଯାତ୍ରୀମାନଂକୁ ସୁରକ୍ଷା ଦେବା ସହିତ ସେମାନଙ୍କର ଗମନାଗମନ ପାଇଁ ବିଶେଷ ଭୂମିକା ନିର୍ବାହ କରିଥିଲେ । ଏହି ବିପଦର ଘଡ଼ିସନ୍ଧି ମୁହୂର୍ତ୍ତରେ ସେମାନେ ଅସାଧାରଣ ନିଷ୍ଠାର ପରାକାଷ୍ଠା ଦେଖାଇ ସେମାନଙ୍କର ପ୍ରଦର୍ଶନକୁ ଉଲ୍ଲେଖନୀୟ କରିଛନ୍ତି ।