ଭଲଖବର: କୋରୋନାରୁ ମିଳିଲା ଆଶ୍ୱସ୍ତି, ଘରକୁ ଫେରିଲେ ଦ୍ୱିତୀୟ ରୋଗୀ

ଓଡ଼ିଶାରେ ଦ୍ୱିତୀୟ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଲେ।

ଭଲଖବର: କୋରୋନାରୁ ମିଳିଲା ଆଶ୍ୱସ୍ତି, ଘରକୁ ଫେରିଲେ ଦ୍ୱିତୀୟ ରୋଗୀ

ଭୁବନେଶ୍ୱର: କୋରୋନାକୁ ନେଇ ଏବେ ଚାରିଆଡ଼େ ଚିନ୍ତାଜନକ ପରିସ୍ଥିତି। ସମାନ୍ତରାଳ ଭାବରେ କୋରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି। ତେବେ ଏହାରି ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଓଡ଼ିଶାରେ ଦ୍ୱିତୀୟ ଆକ୍ରାନ୍ତ ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। 

ମିଳିଥିବା ସୂଚନା ମୁତାବକ ରାଜ୍ୟରେ ଆଜି ପର୍ଯ୍ୟନ୍ତ ମୋଟ ୪ ଜଣ ଆକ୍ରାନ୍ତ ହୋଇଥିବା ସାମ୍ନାକୁ ଆସିଛି। ଦ୍ୱିତୀୟ ଆକ୍ରାନ୍ତ ଜଣକ ଭୁବନେଶ୍ୱରର ଅଧିବାସୀ ହୋଇଥିବା ବେଳେ ସେ ଆକ୍ରାନ୍ତ ହୋଇ ଏମସରେ ଚିକିତ୍ସିତ ହେଉଥିଲେ। ତେବେ ୧୪ ଦିନରୁ ଊର୍ଦ୍ଧ୍ୱ ସମୟ ଧରି ଏମସେ ଚିକିତ୍ସିତ ହେଉଥିଲେ। ଏମସ ଡାକ୍ତରମାନେ ଲଗାତାର ଭାବେ ତାଙ୍କ ଉପରେ ନଜର ରଖିଥିଲେ। 

ତେବେ ଆଜି ତାଙ୍କର ପୁନର୍ବାର ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଯାଇଥିବା କଥା ଡାକ୍ତର କହିଛନ୍ତି। ତାଙ୍କର ରିପୋର୍ଟ ସମ୍ପୂ୍ର୍ଣ୍ଣ ନେଗେଟିଭ ଆସିଥିବା ଡାକ୍ତରମାନେ ସୂଚନା ଦେଇଛନ୍ତି। ସେ ଏମସରୁ ଡିସଚାର୍ଜ ହୋଇ ଘରକୁ ଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଚାରି ଜଣକ ରିପୋର୍ଟ ପଜିଟିଭ ଆସିଥିଲା। ସେଥିମଧ୍ୟରୁ ଦ୍ୱିତୀୟ ରୋଗୀ ସୁସ୍ଥ ହୋଇ ଆଜି ଫେରିଛନ୍ତି।