Advertisement
Article Detail0/zeeodisha/odisha680972

ଆସିବ ୩ ଅଧ୍ୟାଦେଶ, ରାଜ୍ୟ ଚାଷୀଙ୍କ ପାଇଁ ପାଲଟିବ ସଞ୍ଜିବନୀ

ଆସିବ ୩ଟି ଅଧ୍ୟାଦେଶ। ଚାଷୀଙ୍କୁ ମିଳିବ ସହାୟତା ।

ଆସିବ ୩ ଅଧ୍ୟାଦେଶ, ରାଜ୍ୟ ଚାଷୀଙ୍କ ପାଇଁ ପାଲଟିବ ସଞ୍ଜିବନୀ

ଯଯାତି ମହାନ୍ତି, ଭୁବନେଶ୍ୱର: କୋରୋନା ପାଇଁ ଲକ୍ ଡ଼ାଉନ୍ ସମୟରେ ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ରାଜ୍ୟ ସରକାର ୩ଟି ଅଧ୍ୟାଦେଶ ଆଣିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକରେ କୋରୋନା ସ୍ଥିତିର ସମୀକ୍ଷା ପରେ ଏହି ଘୋଷଣା କରିଛନ୍ତି । ଚାଷୀ ଓ ଚାଷର ଉନ୍ନତି ସାଙ୍ଗକୁ କୃଷିଭିତ୍ତିକ ଶିଳ୍ପର ଅଗ୍ରଗତି ପାଇଁ ଏହି ଅଧ୍ୟାଦେଶ ଖୁବ୍ ଶୀଘ୍ର ଆସିବ । ସମବାୟ ବିଭାଗର ଦୁଇଟି ଏବଂ କୃଷି ବିଭାଗର ଗୋଟିଏ ଅଧ୍ୟାଦେଶ ଫଳରେ ଚାଷୀଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି । କୋରୋନା କଟକଣା ସମୟରେ ଅର୍ଥନୀତି ଦୁର୍ବଳ ହୋଇପଡ଼ିଥିବା ବେଳେ କୃଷି ଶିଳ୍ପ ଜରିଆରେ ଏହାକୁ ଟ୍ରାକ୍‌କୁ ଆଣିବାକୁ ଯୋଜନା ହେଉଛି । ତେବେ କ’ଣ ଏହି ୩ ଅଧ୍ୟାଦେଶ? କାହା ପାଇଁ ଏହା ଉଦ୍ଦିଷ୍ଟ? ଚାଷ କାମରେ ନିୟୋଜିତ ଥିବା ଅସଲ ଚାଷୀ ଏଥିରୁ କେତେ ଉପକୃତ ହେବ? 

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ କୋରୋନା ମୁକାବିଲା ସ୍ଥିତି ପରଖିବା ପରେ ଅର୍ଥନୈତିକ ଦିଗକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । କୃଷି ଶିଳ୍ପର ଅଗ୍ରଗତି ପାଇଁ ସରକାର ୩ଟି ଅଧ୍ୟାଦେଶ ଆଣିବାକୁ ଯାଉଛନ୍ତି । ଦୁଇଟି ସମବାୟ ବିଭାଗର ଥିବା ବେଳେ ଗୋଟିଏ କୃଷି ବିଭାଗର ରହିଛି । 

ଓଡ଼ିଶା ଏଗ୍ରିକଲଚ୍‌ରାଲ୍ ପ୍ରଡ଼୍ୟୁସ ଏଣ୍ଡ ଲାଇଭଷ୍ଟକ ମାର୍କେଟିଂ (ପ୍ରମୋସନ ଏଣ୍ଡ ଫାସିଲିଟେସନ) ଅଧ୍ୟାଦେଶ ୨୦୨୦ : 

Add Zee News as a Preferred Source

ଚାଷୀଟିଏ ତା’ର ନିଜ ଉତ୍ପାଦିତ ଦ୍ରବ୍ୟ ଉଚିତ ମୂଲ୍ୟରେ ବଜାରରେ ବିକ୍ରି କରିବା ପାଇଁ ଏହି ଅଧ୍ୟାଦେଶ ମୁଖ୍ୟତଃ ଉଦ୍ଦିଷ୍ଟ । ପୂର୍ବରୁ ମଣ୍ଡି ଜରିଆରେ ଚାଷୀ ସର୍ବନିମ୍ନ ସରକାରୀ ମୂଲ୍ୟରେ ଦେଉଥିଲା । ହେଲେ କୋରୋନା ଲକ୍ ଡ଼ାଉନ୍ ସମୟରେ ଚାଷୀ କିପରି ବଜାରକୁ ଆସିପାରିବ, ଧାନକୁ ଛାଡ଼ି ମୁଗ, ବିରି, କୋଳଥ, ମାଣ୍ଡିଆ, ଗହମ ଭଳି ସମସ୍ତ ଡ଼ାଲି ଜାତୀୟ ଦ୍ରବ୍ୟ ସିଧାସଳଖ ଓପନ୍ ମାର୍କେଟରେ କିପରି ଗ୍ରାହକଙ୍କୁ ବିକ୍ରିକରି ଦୁଇ ପଇସା ଅଧିକ ପାଇପାରିବ, ସେଥିପାଇଁ ସରକାରଙ୍କ ଏହି ନୂଆ ଅଧ୍ୟାଦେଶ । କେନ୍ଦ୍ର ସରକାରଙ୍କ ଏପିଏମ୍‌ସି ଆକ୍ଟ ୨୦୧୭ ଢାଞ୍ଚାରେ ରାଜ୍ୟ ସରକାର ଏଥିରେ କିଛି ପରିବର୍ତ୍ତନ ଆଣିଛନ୍ତି ।

ଓଡ଼ିଶା ଏଗ୍ରିକଲଚ୍‌ରାଲ୍ ପ୍ରଡ଼୍ୟୁସ ଏଣ୍ଡ ଲାଇଭଷ୍ଟକ କଣ୍ଟ୍ରାକ୍ଟ ଫାର୍ମି ସର୍ଭିସେସ୍ (ପ୍ରମୋସନ ଏଣ୍ଡ ଫାସିଲିଟେସନ) ଅଧ୍ୟାଦେଶ ୨୦୨୦ : 

ନିର୍ଦ୍ଧିଷ୍ଟ ଏକ ଚାଷ ପୂର୍ବରୁ କ୍ରେତା ଓ ଉତ୍ପାଦକ ବା ଚାଷୀଙ୍କ ମଧ୍ୟରେ ଚୁକ୍ତିନାମା ହେବ । ଏଥିରେ ଉତ୍ପାଦନ ପରେ କ୍ରେତା ବା ପ୍ରୋସେସିଂ ଶିଳ୍ପ କେଉଁ ଦରରେ କେତେ ପରିମାଣର ଦ୍ରବ୍ୟ କିଣିବ, ତାହା ସ୍ପଷ୍ଟ ହେବ । ଚାଷ ପୂର୍ବରୁ ଚୁକ୍ତିନାମା ହେଲେ ଉଭୟଙ୍କ ରିସ୍କ ବି କମିବ । ଉତ୍ପାଦନ ପରେ ଡିମାଣ୍ଡ ଓ ସପ୍ଲାଏ ଖେଳ ଯୋଗୁଁ ଚାଷୀଙ୍କୁ କମ୍ ଦାମରେ ଉତ୍ପାଦିତ ଦ୍ରବ୍ୟ ବିକିବାକୁ ପଡ଼ୁଥିଲା । ଏହା ସହିତ ଉନ୍ନତ ମାନର ଦ୍ରବ୍ୟ ପାଇବାରେ କ୍ରେତା ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଥିଲା । ଏହି ଅଧ୍ୟାଦେଶ ବଳରେ ଉଭୟ କ୍ରେତା ଓ ଚାଷୀଙ୍କ ଚିନ୍ତା କମିବ । ଚୁକ୍ତିନାମା ଫଳରେ ଚାଷୀଟିଏ କ୍ରେତାଙ୍କ ଠାରୁ ବୈଷୟିକ ଜ୍ଞାନ କୌଶଳ(ଟେକ୍ନାଲୋଜି) ସାଙ୍ଗକୁ ଭିତ୍ତିଭୂମି, ସରଞ୍ଜାମର ସାହାଯ୍ୟ ବି ପାଇପାରିବ, ଯାହାଫଳରେ ଉନ୍ନତ ମାନର ଉତ୍ପାଦନ ଆସିବ । ଜମିର ଅଧିକାର ସମ୍ପୂର୍ଣ୍ଣ ଚାଷୀ ପାଖରେ ରହିବ ।

ଲ୍ୟାଣ୍ଡ ଲିଜିଂ ଅଧ୍ୟାଦେଶ ୨୦୨୦: 
ଓଡ଼ିଶା ଏଗ୍ରିକଲ୍‌ଚରାଲ ଲ୍ୟାଣ୍ଡ ଲିଜିଂ ଆକ୍ଟ ୨୦୨୦ ପାଇଁ ସରକାର ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି । ଏଥିରେ ଭାଗଚାଷୀଙ୍କ ଭୂମିକା ଓ ସେମାନଙ୍କ ଅଧିକାର ବାବଦରେ ଗୁରୁତ୍ୱ ଦିଆଯାଇଛି । ହେଲେ ଲକ୍‌ଡ଼ାଉନ୍ ଯୋଗୁଁ ଏହା ଆଇନରେ ପରିଣତ ହୋଇନଥିବାରୁ ସରକାର ଅଧ୍ୟାଦେଶ ଜରିଆରେ ଏହାକୁ ଲାଗୁ କରିବାକୁ ଚାହୁଁଛନ୍ତି । ଚାଷ ଜମିର ଅସଲି ମାଲିକ ଏବଂ ବିଲରେ ଅସଲ ଚାଷ କରୁଥିବା ଚାଷୀ ମଧ୍ୟରେ ଲିଜ୍ ଚୁକ୍ତିନାମା ଦଲିଲ୍ ଜରିଆରେ କରାଯିବ । ସ୍ଥାନୀୟ ସରପଞ୍ଚ, ବିଡ଼ିଓ କିମ୍ବା ରାଜସ୍ୱ ନୀରିକ୍ଷକ କିମ୍ବା ସ୍ଥାନୀୟ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ସ୍ୱାକ୍ଷରିତ ହେବ । ଏଥିରେ ଭାଗଚାଷୀ ଜମିର କୌଣସି ଅଧିକାର ସାବ୍ୟସ୍ତ କରିପାରିବ ନାହିଁ ଏବଂ ଏହି ଜମିକୁ କେବଳ ଚାଷ ପାଇଁ ବ୍ୟବହାର କରିପାରିବେ । ହେଲେ ଚାଷ ପାଇଁ ମିଳୁଥିବା ସରକାରୀ ଇନ୍‌ପୁଟ୍ ସହାୟତା ଯଥା ସାର, ବିହନ, ଫସଲ ବୀମା ଭାଗ ଚାଷୀଙ୍କ ପାଖକୁ ଯିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଫସଲ ନଷ୍ଟ ହେଲେ ସରକାରୀ ଫାଇଦା ଭାଗଚାଷୀ ପାଖକୁ ଯାଇପାରିବ ।

କୋରୋନା ଲକ୍ ଡାଉନ୍ ସମୟରେ ରାଜ୍ୟ ସରକାର ଏହି ତିନୋଟି ଅଧ୍ୟାଦେଶ ଫଳରେ କୃଷି ଏବଂ ଏହାର ଆନୁଷଙ୍ଗିକ ଶିଳ୍ପକୁ ସୁଦୃଢ କରିବା ସହ ଚାଷୀଙ୍କ ହାତକୁ କାମ ଦେବାକୁ ଯୋଜନା କରିଛନ୍ତି । ସମୀକ୍ଷକମାନେ ଏହାର ଭିନ୍ନଦିଗ ଆଡ଼କୁ ଅଙ୍ଗୁଳି ଦେଖାଇଥିବା ବେଳେ ସରକାରୀ ଦଳ ବିଜେଡ଼ି କହିଛି, ଏହାଦ୍ୱାରା ଚାଷୀମାନେ ଉପକୃତ ହେବା ସହ କୃଷି ଶିଳ୍ପ ମଧ୍ୟ ଆଗକୁ ବଢିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାଦେଶ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । କୋରୋନା ଲକ୍‌ଡ଼ାଉନ୍ ସମୟରେ ଏହା ଚାଷୀକୂଳକୁ ଖୁବ୍ ସହାୟକ ହେବ ବୋଲି ଆଶା କରାଯାଉଥିବା ବେଳେ ଦିନେ ଦୁଇଦିନ ଭିତରେ ଏହାର ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି ।

About the Author