ଗୁରୁବାର ଦିନ ଟୁକୁନାକୁ ପୁଲିସ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହୋଇଯିବାରୁ ତାକୁ ଝାରପଡା ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
Trending Photos
ସରୋଜ ବେହେରା, ଭୁବନେଶ୍ୱର: ଲକଡାଉନ୍ ମଧ୍ୟରେ ରାଜଧାନୀରେ ଅପରାଧ । ନିଶାସକ୍ତ ଅବସ୍ଥାରେ ଜଣେ ବ୍ୟକ୍ତି ତା’ର ସାଙ୍ଗକୁ ପଥରରେ ଛେଚି ଛେଚି ହତ୍ୟା କରିଛି । ଏଭଳି ଘଟଣା ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ଦେଖିବାକୁ ମିଳିଛି । ମୃତକ ଜଣଙ୍କ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ଧାନମଣ୍ଡଳ ଗାଁର ବନୁ ଶବର(୩୦) । ପୋଲିସ ଶବକୁ ଜବତ କରି କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରିବା କରିଛି । ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହା ସହ ବନୁକୁ ହତ୍ୟା କରିଥିବା ତା’ର ସାଙ୍ଗକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଗ୍ରାମର ଟୁକୁନା ବେହେରା(୩୦) । ଗୁରୁବାର ଦିନ ଟୁକୁନାକୁ ପୁଲିସ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହୋଇଯିବାରୁ ତାକୁ ଝାରପଡା ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।
ସୂଚନା ଅନୁଯାୟୀ, ମୃତକ ବନୁ ଶବର ନୟାପଲ୍ଲୀ ଥାନା ଅନ୍ତର୍ଗତ ଦୁର୍ଗାମଣ୍ଡପରେ ନିକଟରେ ରହୁଥିଲା । ସେହିପରି ଅଭିଯୁକ୍ତ ଟୁକୁନା ବେହେରା ସାଲିଆସାହି ଶକ୍ତି ବିହାରରେ ରହୁଛି । ଦୁଇ ସାଙ୍ଗ ଦିନ ମଜୁରିଆ ଶ୍ରମିକ ଭାବେ କାମ କରି ଚଳୁଥିଲେ । ବନୁ ବିବାହର କରିବାର କିଛି ବର୍ଷ ପରେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ପଳାଇଥିଲ । ଦୁଇ ସାଙ୍ଗ ପ୍ରତ୍ୟେକ ଦିନ କାମରୁ ଫେରିବା ପରେ ଦୁର୍ଗା ମଣ୍ଡପ ନିକଟରେ ବୁଲାବୁଲି କରନ୍ତି । ଏହାସହ ଦୁହେଁ ପ୍ରତ୍ୟେକ ଦିନ ନିଶା ଦ୍ରବ୍ୟ ସେବନ କରି ବିଳମ୍ବିତ ରାତିରେ ଘରକୁ ଯାଆନ୍ତି ।
ମଙ୍ଗଳବାର ବିଳମ୍ବିତ ରାତିରେ ଦୁହେଁ ଦୁର୍ଗା ପଣ୍ଡପରେ ବସିଥିଲେ । ଏହାପରେ ସେଠାରୁ ଉଠି ସାଲିଆସାହି ନିକଟସ୍ଥ ରାସ୍ତା ପାଶ୍ୱର୍କୁ କଥାବାର୍ତ୍ତା ହେବା ସହ ଚାଲି ଚାଲି ଯାଉଥିଲେ । ସେହି ସମୟରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଏହାପରେ ଟୁକୁନା ଉତ୍ତେଜିତ ହୋଇ ତଳେ ପଡିଥିବା ଏକ ପଥରକୁ ଆଣି ବନୁ ମୁଣ୍ଡ ଓ କାନକୁ ଛେଚି ଦେଇଥିଲା । ବନୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେଠାରେ ଛଟପଟ ହେଉଥିବା ବେଳେ ଟୁକୁନା ସେଠାରୁ ଦୌଡ଼ି ପଳାଇଯାଇଥିଲା ।
ଏହାପରେ ସ୍ଥାନୀୟ ଲୋକେ ବନୁକୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସକୁ ଫୋନ୍ କରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମେ ବନୁକୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ନେଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାର ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ପରେ କଟକ ବଡ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ବନୁର ମୃତ୍ୟୁ ହୋଇଥିଲା । ଏହି ଖବର ସାଲିଆ ସାହିରେ ପ୍ରଚାରିତ ହେବା ପରେ ସେହି ଅଞ୍ଚଳରେ ଲୋକଙ୍କ ଉତ୍ତେଜନା ଦେଖିବାକୁ ମିଳିଥିଲା । ନୟାପଲ୍ଲୀ ଥାନା ପୁଲିସ ସେଠାକୁ ଯାଇ ଲୋକମାନଙ୍କୁ ବୁଝାସୁଝା କରିବା ପରେ ଲୋକେ ଶାନ୍ତ ପଡିଥିଲେ । ଏହାପରେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇ ଦେଇଥିଲା । ଶବ ବ୍ୟବଚ୍ଛେଦ ହେବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହାପରେ ବନୁର ଖୁଡ଼ି ବର୍ଷା ଶବର ପୁଲିସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଟୁକୁନାକୁ ବୁଧବାର ବିଳମ୍ବିତ ରାତିରେ ଗିରଫ କରିଥିଲା ।