)
ଭୁବନେଶ୍ୱର: ଆଉ ରହିବନି ବର୍ଜ୍ୟ ପରିଚାଳନା ଚିନ୍ତା. ଉଦଘାଟନ ହେଲା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର । ସ୍ୱାୟତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭ ଉଦଘାଟନ କରିଛନ୍ତି । ମହାମାରୀ କୋରୋନା ହେତୁ ଚଳିତ ବର୍ଷ ରାଜ୍ୟ ସ୍ତରରେ ଭର୍ଜୁଆଲ ସ୍ୱାୟତ ଶାସନ ଦିବସ ପାଳନ ହୋଇଥିବା ବେଳେ ଭିଡିଓ କନଫରେନ୍ସିଂ ଯୋଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏହି ଅବସରରେ ରାଜ୍ୟର ବିଭିନ୍ନ ମହାନିଗର ନିଗମ, ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ଆଦି ସ୍ଥାନରେ ୧୦୦ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ବା ଏମସିସି ଏବଂ ଶୁଖିଲା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୫୦ଟି ସାମଗ୍ରୀ ପୁନରୁଦ୍ଧାର ସୁବିଧା ବା ଏମଆରଏଫର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟର ସମସ୍ତ ସହରରେ ସେପ୍ଟେଜ୍ ମ୍ୟାନେଜମେଣ୍ଟ କରିବା ପାଇଁ ୫୧ଟି ସ୍ୱତନ୍ତ୍ର ପ୍ଲାଣ୍ଟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି ।
ସେହିପରି ସହରାଞ୍ଚଳରେ ଉତ୍ତମ ସେବା ଦେବା ନିମନ୍ତେ ‘ଆମ ସହର’ ମୋବାଇଲ ଆପ୍ ଏବଂ ‘ସ୍ୱଚ୍ଛ ସହର ଓଡିଶା’ ୱେବ୍ ଆପ୍ ଲଞ୍ଚ ହୋଇଛି । ସେପଟେ ଭୁବନେଶ୍ୱରରେ ୧୧ ଟି ଏମସିସିକୁ କାର୍ଯ୍ୟକ୍ଷମ କରାଯାଇଛି । ବିଭିନ୍ନ ୱାର୍ଡସ୍ତରରୁ ବର୍ଜ୍ୟବସ୍ତୁ ସଂଗ୍ରହ କରି ପୃଥକୀକରଣ କରିବା ସହ ଏହି କେନ୍ଦ୍ରରେ ପର୍ଯ୍ୟାୟ କ୍ରମେ ସାର ପ୍ରସ୍ତୁତ କରାଯାଉଛି ।