)
ଭୁବନେଶ୍ୱର: ରାଜ୍ୟରେ ପୁଣି ୪ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ଏମାନଙ୍କ ମଧ୍ୟରୁ ବଲାଙ୍ଗୀରର ୨ ଜଣ ରହିଥିବା ବେଳେ ଅନ୍ୟ ଦୁଇ ଜଣ ଯାଜପୁରର ବୋଲି ଜଣାପଡ଼ିଛି । ବଲାଙ୍ଗୀରର ଦୁଇ ଆକ୍ରାନ୍ତଙ୍କ ଘର ଲେଖାରିଆ ଗାଁରେ । ଜଣଙ୍କୁ ୧୮ ବର୍ଷ ବୟସ ହୋଇଥିବା ବେଳେ ଅନ୍ୟ ଜଣେ ୨୧ ବର୍ଷୀୟ । କିଛି ଦିନ ପୂର୍ବରୁ ଉଭୟ ତାମିଲନାଡ଼ୁରୁ ଫେରିଥିଲେ । ତେବେ ଏମାନେ ଏହା ଭିତରେ କେଉଁମାନଙ୍କ ସଂସ୍ପର୍ଶରେ ଆସିଥିଲେ, ସେନେଇ ଟ୍ରେସିଂ କାରାଯାଉଛି । ସେହିପରି ଯାଜପୁରର ଦୁଇ ଆକ୍ରାନ୍ତ କଲିକତା ଫେରନ୍ତା । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ପୁରୁଷ(୫୫) ଓ ଜଣେ ମହିଳା(୭୫) ଅଛନ୍ତି । ଅନ୍ୟପଟେ ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଞ୍ଚିଛି ।
କେବଳ ପଶ୍ଚିମବଙ୍ଗ ନୁହେଁ, ଏବେ ଚିନ୍ତା ବଢ଼ାଇଲେ ତାମିଲନାଡୁ ଫେରନ୍ତା । ପଶ୍ଚିମ ଓଡ଼ିଶାରେ ପୂର୍ବରୁ ୪ ଜିଲ୍ଲାକୁ ମାଡ଼ିଥିଲା କୋରୋନା । ଏହି ଜିଲ୍ଲା ଗୁଡ଼ିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ଼, କଳାହାଣ୍ଡି ଓ ଦେବଗଡ଼ । ହେଲେ ଏବେ ଦୁଇ ତାମିଲ୍ ଫେରନ୍ତା କୋରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହୋଇଛନ୍ତି । ଉଭୟଙ୍କ ଘର ବଲାଙ୍ଗୀର ହୋଇଥିବାରୁ ପଶ୍ଚିମ ଓଡ଼ିଶାର ସମୁଦାୟ ୫ ଜିଲ୍ଲାକୁ କୋରୋନା ମାଡ଼ିଥିବା ସ୍ପଷ୍ଟ ହୋଇଛି ।
ଆଜି ସକାଳୁ ବାଲେଶ୍ୱରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଉ ଏବେ ଯାଜପୁରରୁ ଦୁଇ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ମଧ୍ୟ ଗୋଟିଏ ଦିନରେ ଯାଜପୁରରୁ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି । ସେହିପରି ବାଲେଶ୍ୱରର ସମସ୍ତ ୨୦ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । କେହିମଧ୍ୟ ସୁସ୍ଥ ହୋଇନାହାଁନ୍ତି । ଭଦ୍ରକରେ ସମୁଦାୟ ୧୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭ ଜଣ ରୋଗୀ ସକ୍ରିୟ ଅଛନ୍ତି । ତେବେ ଅନ୍ୟ ୨ ଜଣ ସୁସ୍ଥ ହୋଇସାରିଲେଣି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ(ଭୁବନେଶ୍ୱର) ଏପର୍ଯ୍ୟନ୍ତ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ସୁସ୍ଥ ହୋଇସାରିଲେଣି । ପୂର୍ବରୁ ଜଣଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ୧୯ ଜଣଙ୍କ ଚିକିତ୍ସା ଚାଲିଛି । ଯଦି ସୁନ୍ଦରଗଡ଼ କଥା ଦେଖିବା, ତେବେ ଜିଲ୍ଲାରେ ସମୁଦାୟ ୧୦ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଅନ୍ୟ ୫ ଜଣଙ୍କ ଚିକିତ୍ସା ଜାରି ରହିଛି ।