ମେ ମାସର ଆରମ୍ଭ... ଦେଶବ୍ୟାପୀ ଲାଗୁ ହୋଇଥିବା ଲକଡାଉନ୍ ସରିବାକୁ ଆଉ ୨ ଦିନ ବାକି...ଅର୍ଥାତ୍ ସମସ୍ତଙ୍କ ନଜର ମେ, ୪ ତାରିଖ ଉପରେ...ଆସନ୍ତା ଦିନରେ କେବଳ ଗ୍ରୀନ୍ ଜୋନରେ ସବୁ କିଛି ପୂର୍ବ ଭଳି ସ୍ୱାଭାବିକ ହେବ...ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଛି ରେଡ ଜୋନ୍, ଅରେଞ୍ଜ ଜୋନ ଓ ଗ୍ରୀନ ଜୋନର ତାଲିକା...ବର୍ତ୍ତମାନ ଯେଉଁ ଜିଲ୍ଲା ଗୁଡ଼ିକରେ ଗତ ୨୧ ଦିନ ମଧ୍ୟରେ କୌଣସି ନୂତନ ମାମଲା ଚିହ୍ନଟ ହୋଇ ନାହିଁ, ସେ ସବୁ ଜିଲ୍ଲା ଗ୍ରୀନ ଜୋନରେ ଅନ୍ତର୍ଭୁକ୍ତ....
Trending Photos
)
ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ଦେଶବାସୀ ଅପେକ୍ଷା କରିଛନ୍ତି ମେ ୩ ତାରିଖକୁ । କ’ଣ ହେବ, ଲକଡାଉନ୍ ଉଠିବା ପରେ ସବୁ କିଛି ସ୍ୱାଭାବିକ ହେବ କି ? ଯାନ ବାହାନ ଚଳାଚଳ କରିବ ତ ? ନା ପୁଣି ଘରେ ରହିବାକୁ ହେବ । ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କର ନିର୍ଦ୍ଦେଶରେ ଦେଶର ଗ୍ରୀନ୍ ଓ ଅରେଞ୍ଜ ଜୋନରେ ଜରୁରୀ ଦୋକାନ ସବୁ ଖୋଲିଛି । ତା’ପୁଣି ଅନକେ କଟକଣା ଓ ନିର୍ଦ୍ଦେଶାବଳୀ ଭିତରେ । କେନ୍ଦ୍ର ସରକାରଙ୍କ ଅନୁସାରେ ୪ ମଇରୁ ଗ୍ରୀନ ଜୋନ ଅଞ୍ଚଳ ଗୁଡ଼ିକରେ କଟକଣା ଆଉ ରହିବ ନାହିଁ । କିନ୍ତୁ ସାମାଜିକ ଦୂରତା ଓ Mask ପିନ୍ଧିବା ପୂର୍ବ ଭଳି ରହିବ ।
ଭାରତରେ ୪୦ ପ୍ରତିଶତ ଦୋକାନ, ବଜାର ଖୋଲିଯିବ
ଦେଶରେ ୭୩୯ ଜିଲ୍ଲା ରହିଛି । ଏହା ମଧ୍ୟରୁ ୩୦୭ଟି ଜିଲ୍ଲା କୋରୋନା ମୁକ୍ତ ରହିଛି । ଅର୍ଥାତ୍ ୪୦ ପ୍ରତିଶତରୁ ଅଧିକ ଜିଲ୍ଲାରେ କୋରୋନା ପ୍ରବେଶ କରି ପାରିନାହିଁ । ମେ, ୩ ତାରିଖ ପରେ ଏହି ସବୁ ଜିଲ୍ଲାରେ ଫ୍ୟାକ୍ଟ୍ରି,ଦୋକାନ ଓ ଛୋଟ ଛୋଟ ଦୋକାନ ସବୁ ଖୋଲିଯିବ । ଖୁବ ଶୀଘ୍ର କେନ୍ଦ୍ର ଏ ବାବଦରେ ନିଷ୍ପତ୍ତି ନେବେ । କିନ୍ତୁ ନିଜ ରାଜ୍ୟର ପରିସ୍ଥିତି ଦେଖି, ଶେଷ ନିଷ୍ପତ୍ତି ଗ୍ରହଣ ପାଇଁ ସେହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ।
ଗ୍ରୀନ ଜୋନରେ ଖୋଲିବ କେଉଁ କେଉଁ ଦୋକାନ ?
ଗ୍ରୀନ ଜୋନରେ ୪ ମେ ଠାରୁ, ମୋବାଇଲ୍ ଫୋନ, ଇଲେକ୍ଟ୍ରିକ୍, ହାର୍ଡ ଓୟାର, ରିପାରିଙ୍ଗ ଦୋକାନ, କପଡ଼ା ଦୋକାନ ଖୋଲିବ । ଏଥି ସହିତ ଗ୍ରୀନ ଜୋନରେ ସେଲୁନ, ପାର୍ଲର, ରେସ୍ତୋରାଁ ମଧ୍ୟ ଖୋଲିବାର ଅନୁମତି ରହିଛି । ଏହି ସବୁ ଦୋକାନରେ ଗହଳି କରିବାକୁ ଦିଆଯିବନାହିଁ । ପଞ୍ଜାବ ସରକାର ଲକଡାଉନକୁ ୨ ସପ୍ତାହ ଅଧିକ ବଢ଼ାଇ ଦେଇଛନ୍ତି ।
ବସ୍, ଅଟୋ ଓ ଟ୍ୟାକ୍ସି ଚାଲିବାକୁ ମିଳିବ ଅନୁମତି
ଗ୍ରୀନ ଜୋନରେ ଟ୍ରାନ୍ସପୋର୍ଟକୁ ମଧ୍ୟ ସୀମିତ ମାତ୍ରାରେ ଖୋଲି ଦିଆଯିବ । ପଶ୍ଚିମବଙ୍ଗରେ ବସ୍ ଓ ଟ୍ୟାକ୍ସିକୁ ଗ୍ରୀନ ଜୋନ ଭିତରେ ଚାଲିବାକୁ ଅନୁମତି ଦିଆଯାଇପାରେ । ଇଣ୍ଟରଷ୍ଟେଟ୍ ବସ୍ ସର୍ଭିସ ବନ୍ଦ ରହିବ । ଅନ୍ୟ ରାଜ୍ୟରେ ମଧ୍ୟ ଏହା ସମାନ ରହିବ । କିନ୍ତୁ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିବ ।
ବାହାଘର, ଧାର୍ମିକ କାର୍ଯ୍ୟକ୍ରମ ଓ ସାମାଜିକ ପର୍ବପର୍ବାଣୀକୁ ଅନୁମତି ନାହିଁ
ମେ, ୩ ପରେ ଯଦିଓ ଗ୍ରୀନ ଜୋନରେ କଟକଣା କୋହଳ କରାଯିବ । କିନ୍ତୁ କୌଣସି ପ୍ରକାରେ ଗହଳି ଓ କୋଳାହଳକୁ ଅନୁମତି ମିଳିବ ନାହିଁ । ବାହାଘର, ବ୍ରତଘର, ଧାର୍ମିକ କାର୍ଯ୍ୟକ୍ରମ ଭଳି ସାମାଜିକ ରୀତିନୀତିକୁ କରାଯାଇ ପାରିବ ନାହିଁ ।
ରେଡ୍ ଜୋନରୁ ହଟିବନି କୌଣସି କକଣା
ଦେଶରେ ୧୨୯ ଜିଲ୍ଲା ରେଡ଼୍ ଜୋନ୍ ମଧ୍ୟରେ ଅଛି । ଅନେକ ଅଞ୍ଚଳ ହଟସ୍ପଟରେ ଅଛି । ଦିଲ୍ଲୀ ରେଡ଼ ଜୋନରେ ଥିବା ବେଳେ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ, ଚେନ୍ନାଇ, ବାଙ୍ଗାଲୋର, ଅହମ୍ମଦାବାଦ ଆଦି ମେଟ୍ରୋ ସିଟି ମଧ୍ୟ ରେଡ୍ ଜୋନରେ ରହିଛି ।
ଓଡ଼ିଶାର ସ୍ଥିତି
ରାଜ୍ୟରେ ୩ ଜିଲ୍ଲାକୁ ରେଡ୍ ଜୋନରେ ରଖାଯାଇଛି । ଏଗୁଡ଼ିକ ହେଲା, ବାଲେଶ୍ୱର, ଭଦ୍ରକ ଓ ଯାଜପୁର । ସେହିପରି ୬ ଜିଲ୍ଲା ଖୋର୍ଦ୍ଧା, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କୋରାପୁଟ,କଳାହାଣ୍ଡି ଓ ଢେଙ୍କାନାଳ ଅରେଞ୍ଜ ଜୋନରେ ରହିଛନ୍ତି । ଅନ୍ୟ ୨୧ ଜିଲ୍ଲା ଗ୍ରୀନ ଜୋନ ଅନ୍ତର୍ଭୁକ୍ତ ।