)
ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ପ୍ରଥମେ ମାସ୍କ ଓ ପିପିଇ କୀଟ ଆଉ ଏବେ ଭେଣ୍ଟିଲେଟରକୁ ନେଇ ସରକାରଙ୍କୁ କାଠଗଡାରେ ଛିଡ଼ା କରାଇଛି କଂଗ୍ରେସ। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ପ୍ରାୟ ୨ ଲକ୍ଷ ହେବାକୁ ବସିଲାଣି। ଗତ ୨୦୨୦ ସେପ୍ଟେମ୍ବର ୧୫ରେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ର ମନ୍ତ୍ରୀ ତଥ୍ୟ ରଖିଲେ ପାଖାପାଖି ୩ ହଜାର ଭେଣ୍ଟିଲେଟର୍ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି ବୋଲି। ଓଡିଶାକୁ ୫୬୭ଟି ଭେଣ୍ଟିଲେଟର ମିଳିଛି ବୋଲି କେନ୍ଦ୍ରମନ୍ତ୍ରୀ ତଥ୍ୟ ରଖିଛନ୍ତି। ଏପରିକି ରାଜ୍ୟ ସରକାର ତଥ୍ୟ ରଖିଛନ୍ତି ଯେ ୨୦୨୦ ସେପ୍ଟେମ୍ବର ୧୪ ତାରିଖ ସୁଦ୍ଧା ୧୪୭ଟି ଭେଣ୍ଟିଲେଟର ବ୍ୟବହାର କରିଛନ୍ତି ବୋଲି।
କେନ୍ଦ୍ର ସରକାର ଓଡିଶାକୁ ହାଇ ଫୋକୋସ୍ଡ ଷ୍ଟେଟ ଭାବେ ବିବେଚନା କରିଛନ୍ତି। କେନ୍ଦ୍ର ଦେଇଥିବା ୫୬୭ ଭେଣ୍ଟିଲେଟର ରାଜ୍ୟ ସରକାର ଗ୍ରହଣ କରିଛନ୍ତି ବୋଲି କେନ୍ଦ୍ର ତଥ୍ୟ ରଖିଛି। ତା ହେଲେ ରାଜ୍ୟ ସରକାର କାହିଁକି ଏବେ ସୁଦ୍ଧା ୪୨୦ ଭେଣ୍ଟିଲେଟର ବ୍ୟବହାର କରିନାହାଁନ୍ତି ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଦୈନିକ ୪ ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବହୁ ସଂକ୍ରମିତ ଭେଣ୍ଟିଲେଟର ଅଭାବରୁ ଜୀବନ ହରାଉଛନ୍ତି। ତାହେଲେ ରାଜ୍ୟ ସରକାର କାହିଁକି ଭେଣ୍ଟିଲେଟର କାର୍ଯ୍ୟରେ ଲଗାଉନାହାନ୍ତି ଵୋଲି କଂଗ୍ରେସ ପ୍ରଶ୍ନ କରିଛି।
କଂଗ୍ରେସର ଦାବି ଅନୁଯାୟୀ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜ୍ୟସଭାରେ ଦେଇଥିବା ତଥ୍ୟ ଭୁଲ କି ଠିକ। ଯଦି ଠିକ ତେବେ ୪୨୦ ଭେଣ୍ଟିଲେଟର କୁଆଡେ ଗଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ୪୨୦ ଭେଣ୍ଟିଲେଟର ସମ୍ପର୍କରେ ସ୍ପଷ୍ଟ କରିବା ସହ ଯଦି ମିଳିଛି ତେବେ ରୋଗୀ ସେବାରେ ଉପଯୋଗ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ପିସିସି ମୁଖପାତ୍ର ନିଶିକାନ୍ତ ମିଶ୍ର। କଂଗ୍ରେସର ଭେଣ୍ଟିଲେଟର ଅଭିଯୋଗ ଉପରେ ଉତ୍ତର ରଖିଛି ଶାସକ ଦଳ।
ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଜ୍ୟର ସ୍ୱାସ୍ଥ୍ୟ ସେବା ଓ କୋରୋନା ମୁକାବିଲା ନେଇ ସ୍ପଷ୍ଟୀକରଣ ରଖାଯାଇଛି । ଭେଣ୍ଟିଲେଟର କେତେ ରହିଛି ଓ କେତେ ଖାଲି ରହିଛି ତାହାର ଉତ୍ତର ମଧ୍ୟ ରଖାଯାଇଛି। ପ୍ରକୃତରେ ଯେବେତବେଳେ ରୋଗୀ ସଂଖ୍ୟା ବଢୁଛି କିଛି ତ ଅସୁବିଧା ନିଶ୍ଚିନ୍ତ ଅଛି। ସେଥିପାଇଁ ଗୋଟିଏ ସଙ୍ଗୀନ ବ୍ୟାପାର ହୋଇଛି ଏହାକୁ ପରିଚାଳନା କରିବା । ତାସତ୍ତ୍ୱେ ବି ସରକାରଙ୍କ ଉଦ୍ୟମ ରହିଛି କିଭଳି କୌଣସି ଲୋକ ଚିକିତ୍ସା ଅଭାବରୁ ମୃତ୍ୟୁ ମୁଖରେ ନ ପଡୁ। ଏ ଦିଗରେ ସରକାର ସବୁବେଳେ ତତ୍ପର ଅଛନ୍ତି। ବିରୋଧୀଙ୍କୁ ଅଭିଯୋଗ କରିବାରେ ମନା ନାହିଁ କିନ୍ତୁ ତଥ୍ୟ ଭିତ୍ତିକ ହେବା ଦରକାର ବୋଲି କହିଲେ କହିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ।