)
ନୂଆଦିଲ୍ଲୀ: ଆରମ୍ଭରୁ ମୁଣ୍ଡ ବିନ୍ଧାଇଲାଣି ତାତି । କୋରୋନା ଏକ ବର୍ଷ ଧରି କଲବଲ କରୁଥିବା ବେଳେ ତାତିର ଜୁଲୁମ ଆରମ୍ଭ ହୋଇଗଲାଣି । ଫେବୃଆରୀ ମାସ ଶେଷରୁ ହିଁ ତାତି ମୁଣ୍ଡ ବିନ୍ଧାଇବା ଆରମ୍ଭ କରିଦେଲାଣି । ଭାରତୀୟ ପାଣିପାଗ ମଧ୍ୟ ସଚେତନ କରିସାରିଲାଣି । ବିଭାଗ କହିଛି ଆଗକୁ ଆହୁରି ତାପମାତ୍ରା ବଢିବ । ଆଗକୁ ପାଖାପାଖି ୫୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବା ନେଇ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।
ସମଗ୍ର ଦେଶରେ ତାପମାତ୍ରା କଲବଲ କରିବ । ମାର୍ଚ୍ଚରୁ ମେ' ଶୂନ୍ୟରୁ ପ୍ରଚଣ୍ଡ ଅଗ୍ନି ବର୍ଷା ହେବ। ପୂର୍ବ ଛତିଶଗଡ଼ ସମେତ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଭୀଷଣ ତାତି ଅନୁଭୂତ ହେବା ନେଇ ଆକଳନ କରିଛି ଜାତୀୟ ପାଣିପାଗ କେନ୍ଦ୍ର। ଏହାସହ ଦିନରେ ତାପମାତ୍ରା ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇ ତାତି ଭୀଷଣ ରୂପ ଦେଖାଇବ । ଏଭଳି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଉତ୍ତର, ଉତ୍ତର-ପଶ୍ଚିମ ଭାରତରେ ମୁଣ୍ଡଫଟା ଖରା ଅନୁଭୂତ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେଣୁ, ବାହାରକୁ ଯାଉଥିଲେ ସତର୍କ ରହିବାକୁ IMD ପକ୍ଷରୁ ପରାମର୍ଶ ଦିଆଯାଇଛି।
ଆଗାମୀ ୨୪ ଘଣ୍ଟା ମଧ୍ୟରେ ତାପମାତ୍ରା ବୃଦ୍ଧି ପାଇବ। କ୍ୟାଲେଣ୍ଡର ପୃଷ୍ଠା ଓଲଟିବା ସାଙ୍ଗକୁ ତାପମାତ୍ରା ମଧ୍ୟ ନୂଆ ରକେର୍ଡ କଲାଣି। ଆଜିକାର ତାଜା ଚିତ୍ର ଅନୁଯାୟୀ ରାଜ୍ୟରେ ଅନୁଗୋଳ ଓ ଟିଟିଲାଗଡରେ ସର୍ବାଧିକ ତାପମାତ୍ରା ରହିଛି। ଉଭୟ ସହରରେ ଦିନ ୧୨ଟା ସୁଦ୍ଧା ୩୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।
ଆଜି ଏହି ଦୁଇ ସହରରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା ଆକଳନ ହୋଇଥିବା ବେଳେ ଏହି ସପ୍ତାହ ମଧ୍ୟରେ ପାରଦ ୪୦ ଡିଗ୍ରୀ ଟପିପାରେ। ଏହି ରେକର୍ଡକୁ ଦେଖିଲେ ଜଣାପଡୁଛି ତତଲାଗଡ଼ ଭାବେ ପରଚିତ ଟିଟିଲାଗଡ଼କୁ ଟକର ଦେଉଛି ନାଲକୋ ନଗରୀ। ତେବେ ଏମାନଙ୍କ ସାଥିରେ ଶିଳ୍ପନଗରୀ ଝାରସୁଗୁଡ଼ା ଓ ସମ୍ବଲପୁରରେ ମଧ୍ୟ ସମାନ ରହିଛି ତାତି। ଫୁଲବାଣୀ ଓ କେନ୍ଦୁଝରରେ ଆଜି ୩୭ ଡିଗ୍ରୀ ତାପମାତ୍ରା ରହିବା ନେଇ ଆକଳନ କରାଯାଇଛି । ଏହି ଧାରା ବଜାୟ ରହିଲେ ଆଗକୁ ସ୍ଥିତି ଅସମ୍ଭାଳ ହୋଇପଡ଼ିବ ଆଉ ମୁଣ୍ଡ ଟେକିବ ଆଉ ଦୁଇ ନୂଆ ସମସ୍ୟା । ଅଶୁଂଘାତ ଓ ଜଳକଷ୍ଟ।
ସେହିପରି ଉତ୍ତର-ପଶ୍ଚିମାଞ୍ଚଳ, ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀର କିଛି ଅଞ୍ଚଳରେ ପାରଦ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି ବୋଲି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ରାତି ଓ ଦିନରେ ତାତି ଅସ୍ୱାଭାବିକ ଭାବେ ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି ।