)
ଯଯାତି ମହାନ୍ତି, ଭୁବନେଶ୍ୱର: ନିଜ ନିଜ ଗାଁକୁ ଫେରିବେ ବାହାର ରାଜ୍ୟରେ ଥିବା ଲକ୍ଷାଧିକ ଓଡ଼ିଆ । ରାଜ୍ୟରେ କୋରୋନା ନିୟନ୍ତ୍ରଣ ପାଇଁ କେତେବେଳେ କେଉଁଠି ଲକଡାଉନ୍ ହେଉଛି ତ କେଉଁଠି ସଟ୍ ଡ଼ାଉନ୍ । ପୁଣି କେଉଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ରେ ରଖାଯାଉଛି ତ କେଉଁଠି ହେଉଛି ସୀମା ସିଲ୍ । ଏଭଳି କଟକଣା ଭିତରେ ରାଜ୍ୟ ସରକାର ବାହାର ରାଜ୍ୟରେ ଥିବା ଲକ୍ଷାଧିକ ଶ୍ରମିକଙ୍କୁ ନିଜ ଗାଁକୁ ଫେରାଇ ଆଣିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ସଂକ୍ରମିତ ରାଜ୍ୟ ହେଉ କି ଅଣ ସଂକ୍ରମିତ ଅଞ୍ଚଳ, ନିଜ ଘରକୁ ଫେରିବା ପୂର୍ବରୁ ୧୪ ଦିନ ସଙ୍ଗରୋଧ ରହିବାକୁ ପଡ଼ିବ । ସଙ୍ଗରୋଧ ସମୟରେ ରହିବା, ଖାଇବା, ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ । ଏତେ ବଡ଼ କସରତକୁ ସଫଳତାର ସହ କାର୍ଯ୍ୟକାରୀ କରିବାକୁ ୩୨ ସ୍ୱତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ସରପଞ୍ଚଙ୍କ ଠାରୁ ବିଧାୟକ, ସମସ୍ତେ ଏଦିଗରେ କାମ କରୁଛନ୍ତି ।
କୋରୋନା ପାଇଁ କ୍ୱାରେଣ୍ଟାଇନ୍ । ଅନ୍ୟମାନଙ୍କୁ ୧୪ ଦିନ ଅଲଗା ରହିବା ପ୍ରକ୍ରିୟାକୁ କ୍ୟାରେଣ୍ଟାଇନ୍ ବୋଲି କୁହାଯାଉଛି । ରାଜ୍ୟରେ ଦିନକୁ ଦିନ କୋରୋନା ପଜିଟିଭ୍ଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ରାଜ୍ୟ ବାହାରୁ ନିଜ ଗାଁକୁ ଆସିବାକୁ ଚାହୁଁଥିବା ଲକ୍ଷ ଲକ୍ଷ ଓଡ଼ିଆଙ୍କ ପାଇଁ ସରକାରଙ୍କ ଚିନ୍ତା ବଢିଛି । ବାହାରୁ ଫେରିବାକୁ ଚାହୁଁଥିବା ସମସ୍ତଙ୍କ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ଏହା ଭିତରେ କୋଭିଡ ୱେବସାଇଟ୍ରେ ପଞ୍ଜିକରଣ ପ୍ରକ୍ରିୟାକୁ ବି ସରଳୀକରଣ କରାଯାଇଛି । ରାଜ୍ୟର ୬୭୯୮ ପଞ୍ଚାୟତ ଓ ୧୧୪ଟି ସହରାଞ୍ଚଳରେ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ସରପଞ୍ଚଙ୍କ ନେତୃତ୍ୱରେ ୫ ଜଣିଆ କମିଟି ଗଠନ ସହ ପଞ୍ଜିକରଣ ବାବଦରେ ଉପଯୁକ୍ତ ପ୍ରଶିକ୍ଷଣ ବି ଦିଆଯାଇଛି । ବ୍ଲକ ପ୍ରଶାସନ, ପୌର ପ୍ରଶାସନ ସାଙ୍ଗକୁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ଏହି କାମରେ ଲଗାଯାଇଛି । ବିଧାୟକମାନେ ଏହାର ତଦାରଖ ଦାୟିତ୍ୱରେ ଅଛନ୍ତି ।
ଗୁଜୁରାଟ, ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ପ୍ରାୟ ୫ଲକ୍ଷ ଓଡ଼ିଆ ଅଛନ୍ତି, ଯେଉଁମାନେ ନିଜ ନିଜ ଗାଁକୁ ଫେରିବାକୁ ବ୍ୟାକୁଳ । ଏମାନଙ୍କୁ ଆଣିବା, ସଙ୍ଗରୋଧ କେନ୍ଦ୍ରରେ ରଖିବା, ସେମାନଙ୍କ ଉପଯୁକ୍ତ ଚିକିତ୍ସା କରିବା ସହଜ ବ୍ୟାପାର ନୁହେଁ । ଏଭଳି ଏକ ମେଗା କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲାଇବା ପାଇଁ ସଚିବସ୍ତରୀୟ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଯଦି କିଏ କେଉଁପଟେ ବିନା ପଞ୍ଜିକରଣରେ ଆସି ବି ଯାଏ, ସେମାନଙ୍କୁ ଜଗିବାକୁ ସରପଞ୍ଚମାନଙ୍କୁ ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି । ସରକାର ବାହାର ରାଜ୍ୟରେ ଥିବା ଲୋକଙ୍କ ସଂଖ୍ୟା ୫ଲକ୍ଷ କହୁଥିଲେ ମଧ୍ୟ ବାସ୍ତବରେ ଏହା ୧୦ଲକ୍ଷ ଟପିବାର ସମ୍ଭାବନା ରହିଛି । ଗଞ୍ଜାମ, ନୟାଗଡ଼, ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ ଭଳି ଉପକୂଳ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ଅଧିକ । ପଶ୍ଚିମ ଓଡ଼ିଶାରୁ ମଧ୍ୟ ଅନେକ ଲୋକ ପେଟପାଟଣା ପାଇଁ ବାହାର ରାଜ୍ୟର କାମ କରୁଛନ୍ତି । ଭୁବନେଶ୍ୱର ଓ ଅନ୍ୟ ସହରରେ ନିର୍ବାଚିତ ପ୍ରତିନିଧି ନ ଥିବାରୁ ୱାର୍ଡ଼ ଅଫିସରମାନଙ୍କ ହାତରେ ପଞ୍ଜିକରଣ ଦାୟିତ୍ୱ ଦିଆଯାଇଥିବା ବେଳେ ବିଧାୟକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବେ ।
୨୦୧୧ ଜନଗଣନା ଅନୁସାରେ ବାହାର ରାଜ୍ୟରେ ପ୍ରାୟ ୧୨ ଲକ୍ଷ ଓଡ଼ିଆ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ଶ୍ରମିକ, ଛାତ୍ରଛାତ୍ରୀ, ପ୍ରଫେସନାଲ ଓ ତୀର୍ଥଯାତ୍ରୀ ମଧ୍ୟ ଅଛନ୍ତି । ସେମାନଙ୍କୁ ସୁରକ୍ଷିତ ଭାବେ ନିଜ ଗାଁକୁ ଆଣି ସଙ୍ଗରୋଧ କରି ରଖିବା, ସମସ୍ତଙ୍କ କଥା ବୁଝିବା ସରକାରଙ୍କ ପାଇଁ ଏକ କାଠିକର ପାଠ । ହେଲେ ଏହାକୁ ସଫଳତାର ସହ ସମ୍ପନ୍ନ କରିବାକୁ ସରକାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।