ଆଗକୁ ଲକ୍ଷ ଲକ୍ଷ ଓଡ଼ିଆ ନିଜ ଘରକୁ ଫେରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବି ବଢିବ, ଏଥିରେ ସନ୍ଦେହ ନାହିଁ । ହେଲେ ଏମାନେ ନିଜ ଭିଟାମାଟିରେ ପହଞ୍ଚିବା ପୂର୍ବରୁ ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା ସାଙ୍ଗକୁ କ୍ୱାରେଣ୍ଟାଇନ ନିୟମକୁ ମାନି ଥଇଥାନ କରିବା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ।
Trending Photos
ଯଯାତି ମହାନ୍ତି, ଭୁବନେଶ୍ୱର: ଏବେ ସବୁଠି ପ୍ରବାସୀ ଶ୍ରମିକଙ୍କ ଚିନ୍ତା । ଶ୍ରମିକମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଅସୁରକ୍ଷିତ ଭାବେ ଯିବା ଆସିବା କରୁଛନ୍ତି । କେତେବେଳେ ରାସ୍ତାରେ ଚାଲି ଚାଲି ଯାଉଛନ୍ତି ତ ପୁଣି କେତେବେଳେ ରେଲୱେ ଟ୍ରାକ୍ରେ ନିଜ ଗନ୍ତବ୍ୟସ୍ଥଳକୁ ଫେରୁଛନ୍ତି । ନିଜ ଘରକୁ ଫେରୁବାକୁ ଚାହୁଁଥିବା ଶ୍ରମିକମାନେ କୋରୋନା କ୍ୱାରେଣ୍ଟାଇନ୍ ନିମୟକୁ ଭୁଲି ଯାଉଛନ୍ତି । ପରିସ୍ଥିତିରେ ପଡ଼ି ବାଧ୍ୟବାଧକତାରେ ସେମାନେ ଫେରିବାକୁ ବାଧ୍ୟ ହେଉଥିବା ବେଳେ ଏମାନଙ୍କ ଅସୁରକ୍ଷିତ ଯାତ୍ରା ଆଉ କାହାକୁ ସମସ୍ୟରେ ପକାଇପାରେ । ତେଣୁ ଏମାନଙ୍କୁ ସୁରକ୍ଷିତ ଭାବେ ଫେରିବାର ବାଟ ବାହାର କରିବା ହେଉ କି ଏମାନଙ୍କ ସ୍ୱାସ୍ଥ୍ୟବସ୍ଥାର ଉପଯୁକ୍ତ ପରୀକ୍ଷା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ଗୃହ ସଚିବ । ଏହା ସାଙ୍ଗକୁ ସ୍ୱାସ୍ଥ୍ୟ କର୍ମୀ, ପାରା-ମେଡ଼ିକାଲ କର୍ମଚାରୀଙ୍କ ଯାତାୟାତରେ ଯେପରି କିଛି ଅସୁବିଧା ନ ହୁଏ, ସେପ୍ରତି ଧ୍ୟାନ ଦେବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସାରକାରଙ୍କୁ ଜଣାଇଛନ୍ତି ।
ଖୋର୍ଦ୍ଧାରେ ଟ୍ରେନରୁ ଓହ୍ଲାଇବା ପରେ ପ୍ରବାସୀ ଶ୍ରମିକ ଷ୍ଟେସନରେ ବସି ରହିଛନ୍ତି। କେଉଁ ଗାଡିରେ ଯିବେ, କେଉଁଠି କୁ ଯିବେ ସେ ବ୍ୟବସ୍ଥା ହୋଇନାହିଁ । ଅନୁଗୁଳରେ ଟ୍ରେନ ଚେନ୍ ଟାଣି ଲୋକେ ଓହ୍ଲାଇପଡ଼ୁଛନ୍ତି । ରାଜଧାନୀ ରାସ୍ତାରେ ଘୁରି ବୁଲୁଛନ୍ତି ପ୍ରବାସୀ ଶ୍ରମିକ । ଅନ୍ୟ ରାଜ୍ୟରେ ଓଡ଼ିଶା ସରକାରଙ୍କ ଯେଉଁ ନୋଡାଲ ଅଫିସର ଅଛନ୍ତି, ସେମାନଙ୍କ ପାଖରେ ବି କିଛି ଖବର ରହୁନି। ପ୍ରବାସୀ କେଉଁ ଲୋକ କେଉଁଠି ଅଛନ୍ତି, ତାଙ୍କ ପାଖରେ ତାଲିକା ନାହିଁ। ପ୍ରବାସୀଙ୍କ ଫେରିବା ନେଇ ଥିବା ପ୍ରକିୟାକୁ ସରକାର ବ୍ୟବସ୍ଥିତ କରି ନାହାଁନ୍ତି ବୋଲି ବିରୋଧି ଦଳ ନେତା ଅଭିଯୋଗ କରିଛନ୍ତି । କିଏ କେଉଁଠି ଓହ୍ଲାଇବେ ଖବର ରହୁନି । ପିଇବା ପାଇଁ ପାଣି ନାହିଁ । ରହିବା ପାଇଁ ଜାଗା ନାହିଁ । କଂଗ୍ରେସ ବିଧାୟକ କହିଛନ୍ତି, ପ୍ରବାସୀ ଆସନ୍ତୁ କିନ୍ତୁ ମନଇଚ୍ଛା ଓହ୍ଲାନ୍ତୁ ନାହିଁ । ନ ହେଲେ ସଂକ୍ରମଣ ଆହୁରି ବଢ଼ିବ। ନିୟମକୁ ସମ୍ପୁର୍ଣ ଉଲ୍ଲଂଘନ କରାଯାଉଛି। ଦାୟିତ୍ୱ ନେଇଥିବା ଅଫିସର ପରିଚାଳନା କରିପାରୁ ନାହାଁନ୍ତି । ଅନ୍ୟପଟେ ବିଜେଡ଼ି କହିଛି, ଏବେ ଆରୋପ-ପ୍ରତ୍ୟାରୋପର ସମୟ ନୁହେଁ । ସରକାର କୋରୋନା ନିୟନ୍ତ୍ରଣ ଠିକ୍ ଭାବେ କରୁଛନ୍ତି । ସମସ୍ତେ ଏଥିରେ ସହଯୋଗ କରନ୍ତୁ ।
ରବିବାର ଦିନ କୋରୋନା ମୁକାବିଲା ନେଇ କ୍ୟାବିନେଟ ସଚିବ ସବୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ସହ କଥା ହୋଇଥିଲେ । ଆଜି ଗୃହ ସଚିବ ଅଜୟ ଭଲ୍ଲା ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ରାସ୍ତା ଓ ରେଲୱେ ଟ୍ରାକ୍ରେ ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ଉପଯୁକ୍ତ ଥଇଥାନ କରିବା ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ଗନ୍ତବ୍ୟ ସ୍ଥଳକୁ ଫେରିବାର ବ୍ୟବସ୍ଥା ନ ଥିଲେ ସେମାନଙ୍କୁ ବୁଝାସୁଝା କରି ଅସ୍ଥାୟୀ ମେଡ଼ିକାଲ କ୍ୟାମ୍ପରେ ରଖିବାକୁ କୁହାଯାଇଛି । ଏହା ସହିତ ପାରା-ମେଡ଼ିକାଲ କର୍ମଚାରୀଙ୍କ ଯାତାୟାତ ବ୍ୟବସ୍ଥା ସହ ଘରୋଇ ହସ୍ପିଟାଲ ଗୁଡ଼ିକ ଯେପରି ସବୁ ପ୍ରକାର ରୋଗୀଙ୍କୁ ସେବା ଯୋଗାଇବେ, ତାହା ଉପରେ ନଜର ଦେବାକୁ ଗୃହ ସଚିବ ଆଉ ଏକ ଚିଠି ଲେଖିଛନ୍ତି । ଏହି ପ୍ରସଙ୍ଗରେ ତିନି କଂଗ୍ରେସ ଓ ବିଜେପି ପ୍ରତିକ୍ରିୟା ରଖିଥିବା ବେଳେ ସ୍ୱାସ୍ଥ୍ୟ ମନ୍ତ୍ରୀ ନିୟମକୁ କଡ଼ାକଡ଼ି ପାଳନ କରାଯିବ ବୋଲି କହିଛନ୍ତି ।
ସୁରତ ଫେରନ୍ତା ହୁଅନ୍ତୁ କି କୋଲକାତା ଫେରନ୍ତାଙ୍କ ଯୋଗୁଁ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଆଗକୁ ଲକ୍ଷ ଲକ୍ଷ ଓଡ଼ିଆ ନିଜ ଘରକୁ ଫେରୁଥିବାରୁ ସଂକ୍ରମିତଙ୍କ ସଂଖ୍ୟା ବି ବଢିବ, ଏଥିରେ ସନ୍ଦେହ ନାହିଁ । ହେଲେ ଏମାନେ ନିଜ ଭିଟାମାଟିରେ ପହଞ୍ଚିବା ପୂର୍ବରୁ ଉପଯୁକ୍ତ ସ୍ୱାସ୍ଥ୍ୟ ପରୀକ୍ଷା ସାଙ୍ଗକୁ କ୍ୱାରେଣ୍ଟାଇନ ନିୟମକୁ ମାନି ଥଇଥାନ କରିବା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ ।