ଅଧିବେଶନ କାହା ପାଇଁ ?

ହଟ୍ଟଗୋଳ ଓ ମୁଲତବୀରେ ସରି ଯାଉଛି ଅଧିବେଶନ

ଅଧିବେଶନ କାହା ପାଇଁ ?
file photo

ଚାରୁ ଚନ୍ଦନ ଦାଶ, ଭୁବନେଶ୍ୱର: ଗତ ୧୩ ତାରିଖରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି । ସ୍ମିତାରାଣୀ ପ୍ରସଙ୍ଗରେ ତିନି ଦିନ ଧରି ଗୃହରେ ହଙ୍ଗାମା କରିଛନ୍ତି ବିରୋଧୀ । ଆଗକୁ ବି କରିବାର ସମ୍ଭାବନା ଅଛି । ବିଧାନସଭା ଅଧିବେଶନ ସମୟରେ ବାଚସ୍ପତିଙ୍କ ପୋଡ଼ିୟମ୍ ଉପରକୁ ଚଢ଼ିଯିବା, ତାଙ୍କ ମାଇକ୍ ଟାଣିବା, ଏସବୁ ବିରୋଧୀଙ୍କ କାମ । ଆଉ ଏଇ ଭୂମିକା ନିଭାଇବାରେ କଂଗ୍ରେସ ଏଥିରେ ପାରଙ୍ଗମ । ଏଭଳି କରିବାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ରେକର୍ଡ ବୋଧହୁଏ କେହି ଭାଙ୍ଗି ପାରିବେନି । ସେହିପରି ବିରୋଧୀ ବିଜେପି ମଧ୍ୟ ଗୃହ ଭିତରେ ଗଟ୍ଟଗୋଳ, ପ୍ରତିବାଦ, ଗାନ୍ଧି ମୂର୍ତ୍ତି ତଳେ ଧାରଣା ଇତ୍ୟାଦି କରିବାରେ ଉସ୍ତାଦ । ପ୍ରାୟ ସବୁ ଅଧିବେଶନରେ ଏଭଳି ଦେଖାଯାଏ । ଗୃହକୁ ଚଲାଇ ନଦେବା, ସରକାରଙ୍କୁ କାରଣ ନଥାଇ ଘେରିବା ଏବଂ ସର୍ବୋପରି ପୋଡ଼ିୟମ୍ ଉପରକୁ ଚଢ଼ି ହୋହଲ୍ଲା କରିବା ଉଭୟ କଂଗ୍ରେସ ଓ ବିଜେପି କରିଥାନ୍ତି ।
ବିଧାୟକମାନେ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଅଧିବେଶନ ବେଳେ ଉପସ୍ଥାପନା କରିବାକୁ ଅନେଇ ବସିଥାନ୍ତି । ରାଜ୍ୟର ପ୍ରମୁଖ ସମସ୍ୟାକୁ ନେଇ ବିଧାନସଭାରେ ଆଲୋଚନା କରିବା ଏବଂ ସମସ୍ୟାର ସମାଧାନ କରିବା ପାଇଁ ହିଁ ଅଧିବେଶନ ବସିଥାଏ । ବିଭିନ୍ନ ପ୍ରସଙ୍ଗ ଉପରେ ବିରୋଧୀ ଓ ଶାସକ ଦଳ ପରସ୍ପର ଆଲୋଚନା କରିବା ଆବଶ୍ୟକ । ଆଉ ଏଭଳି ହେବା ବି ଦରକାର । କିନ୍ତୁ ଏଠି ପୂରା ଅଲଗା । ଏଠି ବିରୋଧୀ ସରକାରଙ୍କ ସହ ଆଲୋଚନା କରିବା ପରିବର୍ତ୍ତେ ହଟ୍ଟଗୋଳ ଦ୍ୱାରା ନିଜର ଶକ୍ତି ପ୍ରଦର୍ଶନ କରିଥାନ୍ତି । ପୋଡ଼ିୟମ ଉପରକୁ ଉଠିଯାଇ ନିଜର ଦାମ୍ଭିକତାର ପରିଚୟ ଦେଇଥାନ୍ତି ଏବଂ ମୁଲତବୀ ପ୍ରସ୍ତାବ ଦେଇ ଗୃହ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରିଥାନ୍ତି । ସେହିପରି ଶାସକ ଦଳ ମଧ୍ୟ ବିରୋଧୀଙ୍କୁ ଡିଫେଣ୍ଡ କରିବା ପରିବର୍ତ୍ତେ ଗୃହକୁ ବାରମ୍ୱାର ମୁଲତବୀ କରି ପ୍ରସଙ୍ଗକୁ ଟାଳିଦେବାର ପ୍ରୟାସ କରିଥାନ୍ତି । ବେଳେବେଳେ ତ ସଂପୃକ୍ତ ବିଭାଗର ମନ୍ତ୍ରୀ ଜାଣିଶୁଣି ଗୃହରେ ଅନୁପସ୍ଥିତ ରହିଥାନ୍ତି ।
ରାଜ୍ୟର ସବୁଠୁ ବଡ଼ ପ୍ରସଙ୍ଗ ହେଉଛି ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା । ଏହି ପ୍ରସଙ୍ଗରେ ଗୃହରେ ଉପଯୁକ୍ତ ଆଲୋଚନା ହେବା ନିହାତି ଜରୁରୀ । କିନ୍ତୁ ଆଲୋଚନା କରିବା ପରିବର୍ତ୍ତେ ଗୃହରେ ବିଶୃଙ୍ଖଳା ଦେଖାଦେଉଛି ।
ସେହିପରି ଚାଷୀ ସମସ୍ୟା, ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ନ ହୋଇ ଗୃହରେ କେବଳ ବିଶୃଙ୍ଖଳା ହିଁ ସୃଷ୍ଟି ହେଉଛି । ଫଳରେ ବାଚସ୍ପତିଙ୍କୁ ବାରମ୍ୱାର ଗୃହକୁ ମୁଲତବୀ କରିବାକୁ ପଡ଼ୁଛି ।
ପ୍ରତି ବିଧାନସଭା ଅଧିବେଶନ ପାଇଁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହୁଏ । ପ୍ରତିଦିନ ପାଖାପାଖି ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଏସବୁ ଟଙ୍କା ସରକାରଙ୍କ । ସରକାରଙ୍କ ଟଙ୍କା ମାନେ ଲୋକଙ୍କ ଟଙ୍କା । ତେଣୁ, ବିଧାନସଭା ଗୃହ ଠିକ୍ ଭାବେ ଚାଲି ନ ପାରିବା ଯୋଗୁ ଅନେକ ଟଙ୍କା ଅର୍ଥଶ୍ରାଦ୍ଧ ହେଉଛି । ଏଥିରେ ସାଧାରଣ ଲୋକଙ୍କର ବିଶେଷ ଭାବେ କ୍ଷତିସାଧନ ହୋଇଥାଏ । ପ୍ରଥମେ ତ ଲୋକମାନେ ନିଜ ଅଞ୍ଚଳର ସମସ୍ୟାର ସମାଧାନ ପାଇଁ ନିଜର ପ୍ରତିନିଧିଙ୍କୁ ବାଛିଥାନ୍ତି । ପ୍ରତିନିଧି ଅଧିବେଶନ ସମୟରେ ନିଜ ଅଞ୍ଚଳର ସମସ୍ୟା ଗୃହରେ ଉପସ୍ଥାପନ କରିବେ ବୋଲି ଲୋକମାନେ ଅନେଇ ବସିଥାନ୍ତି । କିନ୍ତୁ ବାସ୍ତବତା ପୂରା ଭିନ୍ନ । ବିରୋଧୀଙ୍କ ହଟ୍ଟଗୋଳ ଆଉ ବାଚସ୍ପତିଙ୍କ ମୁଲତବୀ ଭିତରେ ଲୋକଙ୍କ ଆଶା ଫସର ଫାଟିଯାଇଥାଏ । ସେହିପରି ନିର୍ବାଚନ ପରେ ଅନେକ ଯୁବ ବିଧାୟକ ଗୃହରେ ଅଛନ୍ତି । ସେମାନେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ଦୃଷ୍ଟିଗୋଚର କରିବାକୁ ମନ ବଳାଉଥିବେ । କିନ୍ତୁ ହଟ୍ଟଗୋଳ ଓ ମୁଲତବୀ ଭିତରେ ସେମାନଙ୍କ ସ୍ୱପ୍ନ ବି ପୂରଣ ହେଉନି ।

ବିରୋଧୀଙ୍କୁ ସାଙ୍ଗରେ ଘେନି ଚାଲିବା ଭାରତୀୟ ରାଜନୀତିରେ ନୂଆ କିମ୍ୱା ଆଶ୍ଚର୍ଯ୍ୟଜନକ ନୁହେଁ । ଦେଶ ବା ରାଜ୍ୟରେ ବିରୋଧୀଙ୍କ ଭୂମିକା ବି ବେଶ୍ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବାରମ୍ୱାର ଅବଗତ କରିବା ବିରୋଧୀଙ୍କ କାମ । କୌଣସି ଏକ ପ୍ରସଙ୍ଗରେ ଯଦି ସରକାର ଭୁଲ୍ ନିଷ୍ପତ୍ତି ନେଉଛନ୍ତି, କିମ୍ୱା ଅବହେଳା କରୁଛନ୍ତି, ତେବେ ବିରୋଧୀ ଏହି ବିଷୟରେ ସରକାରଙ୍କୁ ଚେତାଇ ଦେବେ । ସେହିପରି ବଡ଼ ବଡ଼ ପ୍ରସଙ୍ଗରେ ସରକାର ମଧ୍ୟ ବିରୋଧୀଙ୍କ ସହ ଆଲୋଚନା କରିବା ନିହାତି ଜରୁରୀ । ଅତୀତରେ ଯଦି ଆମେ ଦେଖିବା ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସବୁବେଳେ ବିରୋଧୀଙ୍କୁ ପ୍ରାଧାନ୍ୟ ଦେଉଥିଲେ । ଅନେକ ପ୍ରସଙ୍ଗରେ ସେ ବିରୋଧୀଙ୍କ ପରାମର୍ଶ ଲୋଡ଼ିଥିଲେ । କହିବା ବାହୁଲ୍ୟ ଯେ, ଏକ ଗାଣତାନ୍ତ୍ରିକ ରାଷ୍ଟ୍ରରେ ଶାସକ ଦଳର ଯେତିକି ଭୂମିକା ରହିଛି, ବିରୋଧୀ ଦଳର ମଧ୍ୟ ଠିକ୍ ସେତିକି ଭୂମିକା ରହିଛି । ତେଣୁ, ଅଧିବେଶନ ସମୟରେ କେବଳ ହଟ୍ଟଗୋଳ, ହୋହଲ୍ଲା ଏବଂ ମୁଲତବୀରେ ଗୃହକାର୍ଯ୍ୟ ସରିଯିବା କଥା ନୁହେଁ, ବରଂ ଲୋକଙ୍କ ସମସ୍ୟା ଏବଂ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ନିହାତି ଜରୁରୀ । ତେବେଯାଇ ବିଭିନ୍ନ ଅଞ୍ଚଳର ସମସ୍ୟା ସରକାରଙ୍କ ଦୃଷ୍ଟିକୁ ଆସି ପାରିବ ଏବଂ ବିଧାୟକମାନେ ମଧ୍ୟ ନିଜ ନିଜ ଅଞ୍ଚଳର ସମସ୍ୟା ସରକାରଙ୍କ ଆଗରେ ଉପସ୍ଥାପନ କରିପାରିବେ ।