ନବୀନଙ୍କ ବିନା ବିଜେଡି ଚାଲିପାରିବ ତ ?
Advertisement

ନବୀନଙ୍କ ବିନା ବିଜେଡି ଚାଲିପାରିବ ତ ?

ଦଳ ଏବେ କାହା ଉପରେ ନିର୍ଭରଶୀଳ ନୁହେଁ, ଏପରିକି ମୋ’ଉପରେ ମଧ୍ୟ ନୁହେଁ । ନବୀନଙ୍କ ଏପରି ମନ୍ତବ୍ୟ ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ନବୀନଙ୍କ ବିନା ବିଜେଡ଼ି ଚାଲିପାରିବ ନାହିଁ । ନବୀନ ଗଲେ, ବିଜେଡ଼ି ଗଲା । ଦଳ ଭିତରେ ଓ ବାହାରେ ଏଭଳି ଭାବନା, ଆଶଙ୍କାକୁ ଦୂର କରିବାକୁ ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍କୁ ନେଇ ଚର୍ଚ୍ଚା । ବିଜେଡ଼ି ଏବେ ଆଉ ଦଳ ହୋଇନାହିଁ । ଏକ ଆନ୍ଦୋଳନ, ବିଚାରଧାରାରେ ପରିଣତ ହେଲାଣି । ଦଳ ଏବେ କାହା ଉପରେ ନିର୍ଭରଶୀଳ ନୁହେଁ, ଏପରିକି ମୋ’ଉପରେ ମଧ୍ୟ ନୁହେଁ । ନବୀନଙ୍କ ଏପରି ମନ୍ତବ୍ୟ ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । 

ସମାଲୋଚକଙ୍କୁ ଜବାବ ଦେବା ପାଇଁ ନବୀନଙ୍କ ଏହି ଉକ୍ତି ଅନେକ ଗୁରୁତ୍ୱ ବହନ କରୁଛି । ବିଜେଡ଼ି ନେତା ଏହାକୁ ସମର୍ଥନ କରିଥିବା ବେଳେ ବିରୋଧି କିନ୍ତୁ ଚୁପ୍ ହୋଇପାରିନାହାନ୍ତି । ଆସନ୍ନ ବିପର୍ଯ୍ୟୟକୁ ନବୀନ ଦେଖି ପାରୁଥିବାରୁ ଏପରି କହୁଛନ୍ତି ବୋଲି ବିଜେପି କହିଥିବା ବେଳେ କଂଗ୍ରେସ କହିଛି, ନବୀନଙ୍କ ଉତରାଧିକାରୀ ତାଙ୍କ ପରିବାରରୁ ହିଁ ହେବେ ।

ବିଜେଡ଼ିର ୨୩ତମ ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଏହା ଥିଲା ଦଳୀୟ କର୍ମୀଙ୍କୁ ସମ୍ବୋଧନ । ୨୨ବର୍ଷ ଭିତରେ ଦଳ କେଉଁଠି ପହଞ୍ଚିଲାଣି, ସେକଥା ଦର୍ଶାଇବାକୁ ଚାହିଁଥିଲେ ସୁପ୍ରିମୋ । ଦଳରେ ଆଉ କେହି ଆବଶ୍ୟକତା ନୁହଁନ୍ତି । ମୁଁ ବି ନୁହେଁ । କାରଣ ଦଳ ଏବେ ଏକ ଚିନ୍ତାଧାରା । ବିକାଶର ଧାରାରେ ଆନ୍ଦୋଳନରେ ପରିଣତ ହେଲାଣି ବିଜେଡ଼ି । ଦଳ ହିଁ ସବୁକିଛି, ବ୍ୟକ୍ତି ନୁହେଁ । ନବୀନଙ୍କ ଏପରି ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି । ନବୀନ ଗଲେ, ବିଜେଡ଼ି ଚାଲିପାରିବ ନାହିଁ ବୋଲି କହୁଥିବା ସମାଲୋଚକଙ୍କ ମୁହଁ ବନ୍ଦ କରିବାକୁ ନବୀନ ଏପରି କହିଛନ୍ତି ବୋଲି ସମୀକ୍ଷକ ମତ ଦେଇଥିବା ବେଳେ ବିଜେଡ଼ି କହିଛି, ୨୨ବର୍ଷରେ ଦଳରେ ଅନେକ ପରିବର୍ତ୍ତନ ହୋଇଛି । ବିକାଶ ଓ ସେବା ମନୋବୃତ୍ତି ନେଇ କର୍ମୀମାନେ କାମ କରୁଥିବାରୁ ସାଢେ ଚାରିକୋଟି ଆମ ପରିବାରରେ ସାମିଲ ହୋଇଛନ୍ତି ।

ବିରୋଧି କଂଗ୍ରେସ ଓ ବିଜେପି ନବୀନଙ୍କ ଉକ୍ତିକୁ ଭିନ୍ନ ଭିନ୍ନ ନଜରରେ ଦେଖିଛନ୍ତି । ୨୦ବର୍ଷ ଶାସନ ପରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନଗମନ ବ୍ୟବସ୍ଥା ସୁଧୁରିନାହିଁ । ଲୋକେ ଏହା ଧିରେ ଧିରେ ବୁଝିଲେଣି । ନବୀନ ବାବୁ ମଧ୍ୟ ଜାଣିଲେଣି ରାଜ୍ୟ କେଉଁ ସ୍ଥିତିକୁ ଗଲାଣି । ନିଜ ଅପାରଗତାକୁ ଘୋଡ଼ାଇବା ପାଇଁ ହତାଶ ଭାବେ ମୁଖ୍ୟମନ୍ତ୍ରୀ ଏଭଳି କହିଛନ୍ତି ବୋଲି ବିଜେପି କହିଛି । ଅନ୍ୟପଟେ କଂଗ୍ରେସ କହିଛି, ନବୀନ ବାବୁ ଯେତେ ଯାହା କହିଲେ ମଧ୍ୟ ତାଙ୍କ ଉତରାଧିକାରୀ ତାଙ୍କ ପରିବାରରୁ କଣେ କିଏ କିଏ ହେବେ । ତାଙ୍କ ପୁତରା କି ତାଙ୍କ ଭାଇ ହୋଇପାରନ୍ତି, ହେଲେ ଦଳ ଭିତରୁ କେହି ହେଲା ଭଳିଆ ଲାଗୁ ନାହିଁ ବୋଲି କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ।

ଦଳରେ ଉତରାଧିକାରୀ ସାଢେ ଚାରି କୋଟି ଓଡ଼ିଆ ବାଛିବେ ବୋଲି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଥିଲେ । ଏବେ କହିଛନ୍ତି, ବ୍ୟକ୍ତି ନୁହେଁ, ଦଳ ଗୁରୁତ୍ୱପୂର୍ଣ୍ଣ । କାହା ପାଇଁ ଦଳ ଅଟକି ଯିବ ନାହିଁ, ସୁପ୍ରିମୋଙ୍କ ଏହି ବାର୍ତ୍ତା ପରେ ଦଳ ଭିତରେ ଓ ବାହାରେ ମଧ୍ୟ ଚର୍ଚ୍ଚା ଜାରି ରହିଛି ।

ଆହୁରି ପଢନ୍ତୁ; ବିଜେଡ଼ିର ଉତ୍ତରାଧିକାରୀ ଚୟନକୁ ନେଇ ପ୍ରଶ୍ନ