ପିସିଆର ବ୍ୟୁରୋ, ଭୁବନେଶ୍ୱର: ପତିକୁ ହାଣିଲା ପତ୍ନୀ । ନିଜ ହାତରେ ପୋଛିଲା ନିଜ ମଥା ସିନ୍ଦୂର । ଭାଇ ସହ ମିଶି ସ୍ୱାମୀଙ୍କ ମର୍ଡର । ହତ୍ୟାପରେ ଥାନାରେ ଆତ୍ମସମର୍ପଣ । ହତ୍ୟା ପଛରେ ସ୍ୱାମୀର ପରକୀୟା ପ୍ରୀତି ! ଘରୱାଲି ଜାଣିଗଲା ବାହାରୱାଲି କଥା ।
ପତି ହତ୍ୟାକାରୀ ପତ୍ନୀ । ନିଜ ହାତରେ ପୋଛିଦେଲା ମଥାର ସିନ୍ଦୂର । ପରିବାର ଲୋକଙ୍କ ସହ ମିଶି କଟୁରିରେ ଟିକ୍ ଟିକ୍ କରି ହାଣି ଅତି ବିଭତ୍ସ ଭାବେ ହତ୍ୟା କଲା ସ୍ୱାମୀକୁ । ଭୁଲିଗଲା ଜନ୍ମ ଜନ୍ମ ଧରି ସାଥି ହୋଇ ବଞ୍ଚିବାର ସଙ୍କଳ୍ପ । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳରେ ଘଟିଗଲା ଜଘନ୍ୟ ଘତ୍ୟାକାଣ୍ଡ । ପଟ୍ଟାଧାର ଗାଁରେ ଜଣେ ଯୁବକଙ୍କୁ ତାଙ୍କ ପତ୍ନୀ ଓ ଶଳା ମିଶି ହତ୍ୟା କରିବା ପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ହତ୍ୟାପରେ ଥାନାରେ ଆତ୍ମସର୍ମପଣ କରିଛନ୍ତି ଦୁଇ ଅଭିଯୁକ୍ତ ଭାଇ ଓ ଭଉଣୀ । ତେବେ କାହିଁକି ଜଣେ ଯୁବତୀ ନିଜ ସ୍ୱାମୀ ସହିତ ହିଁ ଘଟାଇ ବସିଲା ଏହି ଛାତିଥରା ଘଟଣା ?
ଆସନ୍ତୁ ଜାଣିବା ଏହି ହତ୍ୟା ଘଟଣା ପଛର କାହାଣୀକୁ । ଗାଁର ଟୁଲୁ ପ୍ରଧାନ ନିଜ ଗାଁର ବବି ପ୍ରଧାନଙ୍କୁ କିଛି ବର୍ଷ ତଳେ ବିବାହ କରିଥିଲେ । ଭୁବନେଶ୍ୱରରେ ରହି ଅଟୋ ଚଳାଉଥିଲେ ଟୁଲୁ । ଦୁଇଦିନ ତଳେ ଟୁଲୁ ନିଜ ଗାଁ ପଟ୍ଟାଧାରକୁ ଆସିଥିଲେ । କୌଣସି କାରଣକୁ ନେଇ ବୁଧବାର ରାତିରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି ଗଣ୍ଡଗୋଳ ଏତେ ଭୟଙ୍କର ହୋଇଥିଲା ଯେ ଶେଷରେ ସ୍ତ୍ରୀ ଓ ଶଳା ମିଶି ଟୁଲୁକୁ ହତ୍ୟା କରିଦେଇଥିଲେ । ତେବେ କ'ଣ ଥିଲା ସେହି କାରଣ ? ବବି ଏବଂ ତାଙ୍କ ଭାଇ ଖବର ପାଇଥିଲେ ଯେ ଟୁଲୁ ଭୁବନେଶ୍ୱର ରହଣୀ କାଳରେ ଅନ୍ୟଜଣେ ମହିଳାଙ୍କ ସହ ରଖିଥିଲେ ଅବୈଧ ସମ୍ପର୍କ ।
ଖାଲି ସେତିକି ନୁହେଁ, ସେ ଯେତେବେଳେ ବି ପଟ୍ଟାଧାରସ୍ଥିତ ନିଜ ଘରକୁ ଆସୁଥିଲେ, ସବୁବେଳେ ପତ୍ନୀକୁ ମାରଧର କରୁଥିଲେ । ତାଙ୍କୁ ଦେଉଥିଲେ ଶାରୀରିକ ଓ ମାନସିକ ନିର୍ଯାତନା । ତେଣୁ ସେଦିନ ଦୁହିଙ୍କ ମଧ୍ୟରେ କଳହ ଚରମ ସୀମାରେ ପହଞ୍ଚିବା ପରେ ଘରେ ଉପସ୍ଥିତ ଥିବା ଶଳା ଏହା ସହି ପାରି ନ ଥିଲେ । ନିଜ ଭଉଣୀ ସହ ମିଶି ସେମାନେ ଟୁଲୁକୁ ହତ୍ୟା କରି ଦେଇଥିଲେ । ଏକ କାତିରେ ଟୁଲୁର ହାତକୁ କାଟି ଦେବା ସହ ଏକ ଅଖାରେ ବାନ୍ଧି ଫୋପାଡି ଦେବା ପାଇଁ ଉଦ୍ୟମ କରିଥିଲେ । ତେବେ ସେଥିରେ ବିଫଳ ହୋଇଥିଲେ ହତ୍ୟାକାରୀମାନେ । ଆଉ ଶେଷରେ ହତ୍ୟାକାରୀ ସ୍ତ୍ରୀ ଓ ଶଳା ଜଗନ୍ନାଥପ୍ରସାଦ ଥାନାରେ କରିଥିଲେ ଆତ୍ମସମର୍ପଣ ।
ସେପଟେ ଏହି ଅଭିଯୁକ୍ତମାନେ ଗୁରୁବାର ଥାନାରେ ଆତ୍ମସମର୍ପଣ କରିବାପରେ ପୋଲିସ ଅଶ୍ଚର୍ଯ୍ୟ ହୋଇ ଯାଇଥିଲା । ସାଇଣ୍ଟିଫିକ୍ ଟିମ୍ ସହ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କାତି ଓ ଖଣ୍ଡବିଖଣ୍ଡ ଶବକୁ ଜବତ କରି ଏକ ହତ୍ୟା ମାମଲା ରୁଜୁ କରିଥିଲା ପୋଲିସ । ଏହାପରେ ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ । ଏହି ହତ୍ୟାକାଣ୍ଡ ପରେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ, ସାମାନ୍ୟ ପାରିବାରିକ ବିବାଦ କେତେ ଭୟଙ୍କର ହୋଇପାରେ ତାହା ପ୍ରମାଣିତ ହୋଇଛି ।
ହତ୍ୟାକାଣ୍ଡର ବାସ୍ତବତା ଓ କାରଣକୁ ନେଇ ପୋଲିସ ଅନୁସନ୍ଧାନ ଜାରି ରଖିଛି । ହତ୍ୟାର ମୋଟିଭ କ'ଣ ଥିଲା ଓ କେଉଁ ପରିସ୍ଥିତିରେ ଅଭିଯୁକ୍ତମାନେ ଆତ୍ମସମର୍ପଣ କଲେ, ସେ ନେଇ ବି ତଦନ୍ତ ଚାଲିଛି । ଟୁଲୁଙ୍କ ପରକୀୟା ପ୍ରୀତିକୁ ନେଇ ସେମାନଙ୍କ ଅଭିଯୋଗ ପଛରେ କେତେ ସତ୍ୟତା ରହିଛି, ତା'ର ମଧ୍ୟ ତଦନ୍ତ କରୁଛି ପୋଲିସ ।